ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧ ମୃତ : ଠିକାଦାର ବିରୋଧରେ ଥାନାରେ ଏତଲା

0
719

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ଆଡପଡା ପଞ୍ଚାୟତର ମୋହିଗୁଡାରୁ କଇଠବେଢା କେନାଲ ରାସ୍ତାରେ କାମ ପାଇଁ ବେଆଇନ ଭାବେ ଝୁଲା ହୋଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବୃଦ୍ଧଙ୍କ ବୁଧବାର ସକାଳେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ବୃଦ୍ଧ ଜଣକ ହେଲେ ହିଞ୍ଜିଳି ଥାନା ସାନଖେମୁଣ୍ଡି ବ୍ଳକ କଇଠବେଢା ଗ୍ରାମର ହରିହର ମଲ୍ଲ (୭୫) ବୋଲି ସୂଚନା ମିଳିଛି । ଘଟଣାପରେ ମୃତକଙ୍କ ପୁଅ ରମେଶ ମଲ୍ଲ ଠିକାଦାରଙ୍କ ଖାମଖିଆଲି କାମ ଯୋଗୁଁ ବାପାଙ୍କ ଜୀବନ ଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ଖବରପ୍ରକାରେ , ହରିଙ୍କ ବାପା ମଙ୍ଗଳବାର ଦିନ ମୋହିଗୁଡାରୁ ରହୁଥିବା ଝିଅ ଘରକୁ ଯାଇଥିଲେ । ଆଜି ସକାଳୁ ସେ ମୋହିଗୁଡାରୁ କଇଠବେଢାକୁ ସଂଯୋଗ କରୁଥିବା କେନାଲ ରାସ୍ତାରେ ଚାଲି ଚାଲି ଆସୁଥିଲେ । ତେବେ ପୂର୍ବରୁ ଏଠାରେ ଜଳସେଚନ ବିଭାଗର କେନାଲ କାମ ଚାଲିଥିଲା । ତେବେ ଠିକାଦାର ଜଣକ କଂକ୍ରିଟ ଖାଡି କାଟିବା ପାଇଁ ବିଦ୍ୟୁତ ଖୁଣ୍ଟରୁ ବେଆଇନ ଭାବେ ତାର ଆଣିଥିବା ବେଳେ ତାହା ଗଛ ଡାଳରେ ଘୋଡାଇ ହୋଇ ରହିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ସୂଚନା ଦିଆଯାଇଛି । ଯାହାଫଳରେ ବୃଦ୍ଧ ଜଣକ ଏହି ତାର ସଂସ୍ପର୍ଶରେ ଆସିବା ଫଳରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାପରେ ମୃତକଙ୍କ ପୁଅ ଠିକାଦାରଙ୍କ ବିରୋଧରେ ଥାନାରେ ଅଭିଯୋଗ ଆଣିଥିଲେ । ଏପଟେ ଉକ୍ତ ବିଭାଗର ଅଧିକାରୀଙ୍କ ସହ ଯୋଗାଯୋଗ ପରେ ସେ କହିଛନ୍ତି ଯେ , ଠିକାଦାର ଜଣକ ଏହି ବିଷୟରେ ଆମକୁ ଅବଗତ କରାଇ ନଥିବା ଜଣାଇଛନ୍ତି । ଅନ୍ୟପକ୍ଷରେ ଏତଲାକୁ ଭିତ୍ତିକରି ହିଞ୍ଜିଳି ଥାନା କେସ୍ ନଂ ୪୫୨/୨୩ ପ୍ରକାରେ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here