ମୁନିସିପେଣ୍ଠ ଗ୍ରାମରେ ମା ଶୀତଳା ଠାକୁରାଣୀଙ୍କ ଐତିହାସିକ ଯାତ୍ରା, ମାଙ୍କୁ ଦର୍ଶନ କଲେ ରାଜ୍ୟ କାଜୁ ନିଗମର ଅଧ୍ୟକ୍ଷ, ସୁନ୍ଦର ଆଲୋକ ସର୍ଯ୍ୟା ସହ ସୁସର୍ଜିତ ତୋରଣ

0
176

ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିଷିପେଣ୍ଠ ଗ୍ରାମର ଆରାଧ୍ୟା ଦେବୀ ମା ଶୀତଳା ଠାକୁରାଣୀଙ୍କ ଐତିହାସିକ ଠାକୁରାଣୀ ଯାତ୍ରା ଗତ 9 ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ରବିବାର ମାଙ୍କ ଯାତ୍ରା 19 ଦିନରେ ପହଂଚିଛି । ରବିବାର ରାତ୍ରରେ ରାଜ୍ୟ କାଜୁ ନିଗମର ଅଧ୍ୟକ୍ଷ ସୁବାସ ମହାରଣା ଗ୍ରାମକୁ ଯାଇ ମାଙ୍କ ଦର୍ଶନ କରିଛନ୍ତି । ମାଙ୍କ ଘଟ ରବିବାର ଗ୍ରାମର ସମସ୍ତ ସାହି ପରିକ୍ରମା କରିଛିି, ହଜାର ହଜାର ଭକ୍ତଙ୍କ ଜନ ସମାଗମ ହୋଇଥିଲା । ମା ଶୀତଳା ଠାକୁରାଣୀ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଗହଣରେ ସାହିକୁ ସାହି ବୁଲି ଭକ୍ତଙ୍କ ଠାରୁ ନାନା ପ୍ରକାର ପିଠା, ମିଠା ଆଦି ଭୋଗ ଗ୍ରହଣ କରିଛନ୍ତି । ମାଙ୍କ ଯାତ୍ରା ପାଇଁ ମୁନିସିପେଣ୍ଠ ଗ୍ରାମ ସମେତ ଆଖପାଖ ଅଂଚଳ ଉତ୍ସବ ମୁଖର ହୋଇ ପଡିଛି । ବିଭିନ୍ନ ପ୍ରକାର ବାଦ୍ୟବାଜଣା ସହିତ ବିଭିନ୍ନ ସାହି ପକ୍ଷରୁ ହନୁମାନ ବେଶ, କାମ୍ପ ବେଶ, ଧୁମଧୁଡୁକା, ହଳ କୀର୍ତ୍ତନ ସହିତ ବାଘ ନାଚ, କାଳୀ ନାଚ ଆଦିରେ ଫାଟି ପଡୁଛି ଗାଁ ଦାଣ୍ଡ । ସକାଳୁ ସକାଳୁ ପାରମ୍ପରିକ ରିତୀନିତୀ ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ମୁନିସିପେଣ୍ଠ ଗ୍ରାମ ଏବଂ ଆଖପାଖ ଅଂଚଳର ବହୁ ଶ୍ରଦ୍ଧାଳୁ ମାନେ ମାଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଶ୍ରଦ୍ଧାଳୁ ଓ ଅଂଚଳବାସୀ ଙ୍କ ମନୋରଞ୍ଜନ ନିମନ୍ତେ ଯାତ୍ରା କମିଟି ପକ୍ଷରୁ ମାଙ୍କ ଯାତ୍ରାକୁ ଯାକଜକମରେ କରାଯାଉଛି । ସୁନ୍ଦର ତୋରଣ ସହ ଆଲୋକ ସଜ୍ଜାରେ ଅସ୍ଥାୟୀ ମନ୍ଦିର ଓ ଗ୍ରାମକୁ ସୁସଜ୍ଜିତ କରାଯାଇଛି । ଏହା ସହ ରାମଦୋଳି, ମୀନା ବଜାର ଏବଂ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଛି । ଏହି ଯାତ୍ରା ପ୍ରତି ୧୨ ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ବହୁ ଆଡମ୍ଭର ସହକାରେ ପାଳନ କରିବା ନିମନ୍ତେ ଗ୍ରାମବାସୀ ମାନେ ଉତ୍ସାହିତ ଅଛନ୍ତି । ଏଥି ନିମନ୍ତେ ପୋଲିସ୍ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଯାତ୍ରା କମିଟି ସଭାପତି ବିଶ୍ୱନାଥ ସୁବୁଦ୍ଧିଙ୍କ ନେତୃତ୍ୱରେ ଉପସଭାପତି ପ୍ରବାସୀ ପ୍ରଧାନ, ସମ୍ପାଦକ ସୁଦାମ ସାହୁ, ଯୁଗ୍ମ ସମ୍ପାଦକ କେ. ରାମେୟା, କୋଷାଧ୍ୟକ୍ଷ କେ. ଭୀମାରାଜୁ ଓ ବିରଞ୍ଚି ନାୟକ, ଉପଦେଷ୍ଠା ପ୍ରମୋଦ କୁମାର ସାହୁ, ଗଣପତି ବାରିକ, ବିଜୟ ପ୍ରଧାନ, ରାମଚନ୍ଦ୍ର ବେହେରାଙ୍କ ସମେତ ସମସ୍ତ କର୍ମକର୍ତ୍ତା ଏବଂ ଗ୍ରାମବାସୀ ମାନେ ଯାତ୍ରା ପରିଚାଳାନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here