ଦଣ୍ଡ ନାଚ ନାଁ ରେ ନଗ୍ନତା ପ୍ରଦର୍ଶନକୁ ବିରୋଧ କଲା ପୂଜ୍ୟ ପୂଜା ସମିତି

0
170

ବ୍ରହ୍ମପୁର: ଦଣ୍ଡ ନାଚ ନାଁ ରେ ସମଗ୍ର ଗଞ୍ଜାମ ଜିଲ୍ଲାରେ ଅଶ୍ଳୀଳ ଭାଷା ଓ ନଗ୍ନତା ର ଯେଉଁ ପ୍ରକାର ଭାବେ ସର୍ବସାଧାରଣରେ ପ୍ରଦର୍ଶନ ଚାଲିଛି,ତାକୁ ଦୃଢ଼ ବିରୋଧ କରିଛି ପୂଜ୍ୟ ପୂଜା ସମିତି l ପ୍ରକାଶ ଯୋଗ୍ୟଯେ, ଦଣ୍ଡ ନାଚ ଗଞ୍ଜାମ ଜିଲ୍ଲାର ଏକ ପ୍ରସିଦ୍ଧ ଲୋକକଳା ଓ ସଂସ୍କୃତିର ପର୍ବ l ଅନେକ ଭକ୍ତ ନିଜ ମାନସିକ ପୂରଣ ବିଶ୍ୱାସ ରଖି ଏହି ଦଣ୍ଡ ନାଚ ପର୍ବ ପାଳନ କରିଥାନ୍ତି ଓ ଏଥିରେ ଅଂଶ ଗ୍ରହଣ କରିଥାନ୍ତି l ପୌରାଣିକ କାହାଣୀ, ଲୋକ କଥାକୁ ନେଇ ବିଭିନ୍ନ ଚରିତ୍ର ମାଧ୍ୟମରେ ଏହି ଲୋକ କଳାକୁ ପ୍ରଚାର ପ୍ରସାର କରାଯାଏ l ଏହାର ଏକ ମାତ୍ର ଉଧେଶ୍ୟ ହେଲା ଲୋକ ସଂସ୍କୃତିର ଉତଥାନ ଓ ଅଭିବୃଦ୍ଧି l କିନ୍ତୁ କିଛି ବର୍ଷ ରୁ ଏଥିରେ ବ୍ୟତିକ୍ରମ ଦେଖାଯାଇ ନଗ୍ନ ନୃତ୍ୟ ପ୍ରସାରଣ କରିବା ଏକ ମୁଖ୍ୟ କାର୍ଯ୍ୟ ହୋଇପଡିଛି l ପୁରାଣ, ସାହିତ୍ୟ, ଭାଷା ଓ ଲୋକ ଚରିତ୍ରକୁ ଧ୍ବଂସ କରିବାପାଇଁ ସମସ୍ତ ପ୍ରୟାସ ଏଥିରେ ରହିଛି l ବୁଦ୍ଧିଜୀବୀ, ସୁଧୀଜନଙ୍କ କଥାକୁ ଗ୍ରହଣ କରାଯାଉନାହିଁ l ପୋଲିସ ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ l ଖୋଲାଖୋଲି ସର୍ବ ସାଧାରଣରେ ପୁଅ ଝିଅଙ୍କ ନଗ୍ନ ଡ୍ୟାନ୍ସ ପ୍ରଦର୍ଶନ କରିବା ପଛରେ ଦଣ୍ଡ ନାଚର କି ଉଧେଶ୍ୟ ରହିଛି, ଏହା ଭକ୍ତ ଓ ଆୟୋଜକ ମାନେ ଚିନ୍ତା କରିବା କଥା l ଚୁପଚାପ ଏହାକୁ ଦେଖି,ଜାଣି ପୋଲିସ ନିରବ ରହିବାଟା ସମାଜର ବହୁତ କ୍ଷତି କରୁଛି ବୋଲି ଆଜି ସମିତି ସଭାପତି ବଂଶୀଧର ଭୂୟାଁ ପ୍ରକାଶ କରିଛନ୍ତି l ସମାଜରେ ଦିନକୁ ଦିନ ବୃଦ୍ଧି ପାଉଥିବା ଅଶ୍ଳୀଳତା, ନଗ୍ନତା, ଅପସଂସ୍କୃତିର ପ୍ରଭାବରେ ବହୁ ନିରୀହ ଝିଅ ବିଭିନ୍ନ ପ୍ରକାର ପାଶବିକ ଅତ୍ୟାଚାରର ଶିକାର ହେଉଛନ୍ତି l ସଭ୍ୟତା ଓ ସଂସ୍କୃତିର କଲ୍ୟାଣ ପାଇଁ ସ୍ୱର ଉତ୍ତୋଳନ କରିବାପାଇଁ ବୁଦ୍ଧିଜୀବୀ ଓ ସଭ୍ୟ ନାଗରିକଙ୍କୁ ଆଜି ସମିତି ନିବେଦନ କରିଛି l ତୁରନ୍ତ ଏ ପ୍ରକାର ନଗ୍ନତାର ପ୍ରସାର ବନ୍ଦ କରି ଆୟୋଜକଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l ଆଜିର ଏହି କାର୍ଯ୍ୟକ୍ରମରେ ସମାଜସେବୀ ସୁବାଷ ଚନ୍ଦ୍ର ମିଶ୍ର, କବିରାଜ ସାହୁ, ଗଗନ ଚନ୍ଦ୍ର ମଲ୍ଲିକ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ମନୋଜ କୁମାର ତରାଇ, ସନ୍ତୋଷ କୁମାର ରଥ, ସୁରେନ୍ଦ୍ର ନାଥ ପଣ୍ଡା,ସମାଜସେବୀ ତାରିଣୀ ପାତ୍ର,ଏସ. ସlମ୍ବଶିବା ରାଓ,ଅବନୀ ଗୟା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

LEAVE A REPLY

Please enter your comment!
Please enter your name here