ବାଙ୍କେଶ୍ୱରୀ ଘାଟିରେ ଓଲଟିଲା ପିକଅପ ଭ୍ଯାନ୍ : ଅଧୁରା ରହିଲା ମାନସିକ କାର୍ଯ୍ୟ ; ଜଣେ ମୃତ , ୫ ଗୁରୁତର

0
177

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବି . ତୁରୁବୁଡି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶୀର୍ଷରେ ଅବସ୍ଥାପିତ ମାଁ ନିଜ ବାଙ୍କେଶ୍ଵରୀ ଘାଟି ରାସ୍ତାରେ ଶୁକ୍ରବାର ସକାଳୁ ଏକ ପିକଆପ ଭ୍ଯାନ୍ ଓଲଟି ପଡିଥିବା ଜଣାପଡିଛି । ତେବେ ମାନସିକ କାର୍ଯ୍ୟ ଅଧୁରା ରହିଥିବା ବେଳେ ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୫ ଜଣ ଗୁରୁତର ଆହତ ଅବସ୍ଥାରେ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଚିକିତ୍ସାଧୀନ ରହିଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ଅନ୍ତର୍ଗତ ଖଇରପଙ୍କ ଗ୍ରାମର ଲିଙ୍ଗା କନିୟାରୀ (୪୨) ବୋଲି ଖବର ମିଳିଥିବା ବେଳେ ଗୁରୁତର ମାନଙ୍କ ମଧ୍ୟରେ ଗଡଗୋବିନ୍ଦପୁର ପଞ୍ଚାୟତ ଧାନ୍ଯରାଶି ଗ୍ରାମର ବୃନ୍ଦା କନିୟାରୀ , ଭାଗ୍ଯଲତା ବାଡତ୍ୟା , ରମ୍ଭା ପ୍ରଧାନ , ଏଲ୍ . ଦମୟନ୍ତୀ ରହିଛନ୍ତି । ଖବରନୁଯାୟୀ , ଆଜି ସକାଳୁ ଖଇରପଙ୍କ ଗ୍ରାମର ଡି . ଜାଗିଲିଙ୍କ ପୁଅର ମାନସିକ କାର୍ଯ୍ୟ ଚୁଟି ମୁଣ୍ଡନ ନିମନ୍ତେ ଏକ ପିକଅପ ଭ୍ଯାନ୍ ଜରିଆରେ ମାଁ ନିଜ ବାଙ୍କେଶ୍ଵରୀ ପୀଠକୁ ଯାଉଥିଲେ । ତେବେ ୪୦ ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ଘାଟି ରାସ୍ତାର ପିଲିକା ଢିଅ ଗ୍ରାମ ନିକଟସ୍ଥ ମଗୁରମା ନାଳ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ବେଳେ ଏଥିରେ ୨୫ ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଖବର ପ୍ରଚାରିତ ହେବା ପରେ ନିକଟସ୍ଥ ଗ୍ରାମବାସୀଙ୍କ ସହଯୋଗ କ୍ରମେ ଗୁରୁତର ଅବସ୍ଥାରେ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଏହାପରେ ୧୦୮ ଆମ୍ବୁଲାନ୍ସରେ ସମସ୍ତଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବା ବେଳେ ଉପସ୍ଥିତ ଡାକ୍ତର ଲିଙ୍ଗାଙ୍କୁ ମୃତ ଘୋଷଣା କରିଥିଲେ । ଏପଟେ ଗୁରୁତର ୫ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଥିଲା । ଅପରପକ୍ଷରେ ଦିଗପହଣ୍ଡି ଥାନା ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ଶବ ଗୃହକୁ ପଠାଇଥିବା ଜଣାପଡିଛି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here