ବିଶ୍ବ ହକିକପ୍ କୁ ଗଞ୍ଜାମ ଜିଲ୍ଲାରେ ଭବ୍ୟ ସ୍ବାଗତ କରାଯିବା ନେଇ ବୈଠକ

0
190

ଛତ୍ରପୁର: ଗଞ୍ଜାମ ଜିଲ୍ଲାକୁ ଚଳିତ ମାସ ୨୮ ତାରିଖରେ କନ୍ଧମାଳ ଜିଲ୍ଲାରୁ ଆସୁଥିବା ବିଶ୍ବ ହକିକପ୍ ର ସମ୍ମାନାର୍ଥେ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । କନ୍ଧମାଳ ଜିଲ୍ଲାରୁ ଗଞ୍ଜାମ ଜିଲ୍ଲାର ଦୂର୍ଗାପ୍ରସାଦ ଠାରେ ଉକ୍ତ ବିଶ୍ବ ହକିକପ୍ କୁ ସାଦରରେ ଜିଲ୍ଲା ପ୍ରଶାସନ ଦ୍ବାରା ମହା ଆଡମ୍ବର ସହକାରେ ସ୍ବାଗତ କରାଯିବ । ଏଥି ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଜୁମ୍ ଆଭାସୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅବଗତ କରାଇଥିଲେଯେ ହକି ବିଶ୍ବକପ୍ ଆମ ଗର୍ବ ଓ ଗୌରବ । ଏଣୁ ଏହି କପ୍ ଜିଲ୍ଲା ମଧ୍ୟଦେଇ ଗତି କରିବା ସମୟରେ ସମସ୍ତ ବିଦ୍ୟାଳୟ ଓ ମହା ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷାବିତ୍, ଜନ ପ୍ରତିନିଧି ଓ ଜନ ସାଧାରଣଙ୍କ ମିଳିତ ଉଦ୍ୟମରେ ଏହାକୁ ସ୍ବାଗତ କରାଯିବ । ସେଥିନେଇ ଯୋଜନା ପ୍ରସ୍ତୁତ କରିବାକୁ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ । ଦୂର୍ଗା ପ୍ରସାଦ ଠାରେ ଏହି ଟ୍ରଫିକୁ ସ୍ବାଗତ ଜଣାଇ ଭଞ୍ଜନଗର ମଧ୍ୟ ଦେଇ ଆସ୍କା ଠାରେ ପହଞ୍ଚିବା ପରେ ସ୍ବାଗତ କରିବା ସହ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ । ପରେ ପରେ ହିଞ୍ଜିଳି ମିନି ଷ୍ଟାଡିୟମ୍ ଠାରେ କପ୍ ଟିକୁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସମ୍ବର୍ଦ୍ଧନା ଦିଆଯିବ । ସ୍ଥାନୀୟ କ୍ରୀଡାବିତ୍ ମାନଙ୍କୁ ସମ୍ମାନୀତ କରାଯିବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ସେହିଠାରୁ ତାରାତାରିଣୀ ପୀଠରେ ପହଞ୍ଚିବ । ମା ତାରା ତାରିଣୀଙ୍କ ଆଶୀର୍ବାଦ ଲାଭ କରି ପୁନର୍ବାର ଏହା ଛତ୍ରପୁର ଖେଳ ପଡିଆ ଠାରେ ପହଞ୍ଚିବ । ଛତ୍ରପୁର ଖେଳ ପଡିଆ ଠାରେ ହକି ଓ ଭଲିବଲ୍ ମ୍ୟାଚ୍ କ୍ରୀଡାବିତ୍ ମାନଙ୍କ ଦ୍ବାରା ଆୟୋଜିତ ହେବ ଓ ସେମାନଙ୍କୁ ସମ୍ମାନୀତ କରାଯିବ । ସେହି ଠାରୁ ବ୍ରହ୍ମପୁର ଗସ୍ତରେ ଆସି ରାତ୍ର ରହଣୀ ହେବ । ୨୯ ତାରିଖ ପୂର୍ବାହ୍ନରେ ଏକ ବିଶାଳ ରାଲି ମଧ୍ୟରେ ବ୍ରହ୍ମପୁର ସହର ପରିକ୍ରମା ପୂର୍ବକ ରାମ ଲିଙ୍ଗମ୍ ପୋଖରୀ ଠାରେ ପହଞ୍ଚିବ । ରାମ ଲିଙ୍ଗମ୍ ପୋଖରୀ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହିତ କ୍ରୀଡାବିତ୍ ମାନଙ୍କୁ ସମ୍ମାନୀତ କରାଯିବ ଏବଂ ସେହି ଠାରୁ ତପ୍ତପାଣି ଗସ୍ତକରି ଗଜପତି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯିବ । ଏହି ସମସ୍ତ କାର୍ଯ୍ୟକ୍ରମ ଗୁଡିକରେ ଜନ ସାଧାରଣ କିଭଳି ବିପୁଳ ପରିମାଣରେ ଅନ୍ତର୍ଭୁକ୍ତ ହେବେ ତାର ପ୍ରସ୍ତୁତି କରିବାକୁ କୁହାଯାଇଛି । ନିରାପତ୍ତାର ସହିତ ବିଶ୍ବ ହକିକପ୍ ଟି ଯେପରି ଜିଲ୍ଲାରେ ପରିଭ୍ରମଣ କରିପାରିବ ସେଥି ସକାଶେ ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କୁ କୁହାଯାଇଛି ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ସମସ୍ତ କାର୍ଯ୍ୟକ୍ରମର ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଗଞ୍ଜାମ କିର୍ତ୍ତୀଭାସନ୍ ଭି ଏହାକୁ କିପରି ବ୍ୟାପକ ଭାବେ ପ୍ରଚାର ପ୍ରସାର, ସାଂସ୍କୃତିକ ଦଳଙ୍କ ଦ୍ବାରା କାର୍ଯ୍ୟକ୍ରମ ପରିବେଷଣ ଇତ୍ୟାଦି ସମ୍ପର୍କରେ ଜଣାଇଥିଲେ ।
ବ୍ରହ୍ମପୁର ମନହାନଗର ନିଗମ କମିଶନର୍ ଜେ ସୋନାଲ୍ ରାମଲିଙ୍ଗମ୍ ଟ୍ୟାଙ୍କ ଠାରେ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚାଇଥିଲେ । ଜୁମ୍ ଆଭାସୀ ବୈଠକରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଜିଲ୍ଲା କ୍ରୀଡା ଅଧିକାରୀ ସୁକାନ୍ତ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here