ସମିତି ବୈଠକ ନିମନ୍ତେ କୁକୁଡ଼ାଖଣ୍ଡି ବିଡ଼ିଓ ଙ୍କ ନିକଟରେ ଦାବି

0
506

କୁକୁଡ଼ାଖଣ୍ଡି:କୁକୁଡ଼ାଖଣ୍ଡି ବ୍ଲକ ସମିତି ବୈଠକ ଦୀର୍ଘ ଛଅମାସ ହେଲା ଅନୁଷ୍ଠିତ ହୋଇନଥିବାରୁ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି ।ପୂର୍ଵରୁ ଅକ୍ଟୋବର ୨୩ ତାରିଖରେ କିଛି ସରପଞ୍ଚ,ସମିତିସଭ୍ୟ ମାନେ ବିଡ଼ିଓ ଙ୍କୁ ଅଭିଯୋଗ କରିବା ପରେ ମଧ୍ୟ ବିଡ଼ିଓ ସମିତି ବୈଠକ ହେବା ନେଇ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ ।ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ଦିଗପହଣ୍ଡି ବିଜେଡି ବିଧାୟକଙ୍କ ଆଶ୍ରିବାଦ୍ ରୁ ଦ୍ଵିତୀୟ ଥର ପାଇଁ ଅଧ୍ୟକ୍ଷ ପଦରେ ଅବସ୍ଥାପିତ ହୋଇଥିଲେ ମଧ୍ୟ ଭିନ୍ନ ଏକ ଗୋଷ୍ଟି ଏହାର ପ୍ରତିବାଦ କରି ପ୍ରଥମରୁ ହିଁ ଅସନ୍ତୋଷ ବ୍ୟକ୍ତ କରିଆସୁଛନ୍ତି ।ଏହା ବ୍ୟତିତ ବ୍ଲକ ବିଜେଡି ସାଂଘଠନିକ କମିଟିରେ ବ୍ଲକ ଅଞ୍ଚଳର ପୁରୁଖା ନେତାଙ୍କୁ ଅଣଦେଖା କରି ଅଧ୍ୟକ୍ଷଙ୍କ ବୋଲକରା ସମର୍ଥକଙ୍କୁ ନେଇ ବିଜେଡି ବ୍ଲକ କମିଟି ଗଠନ କରାଯିବା ପରେ ବିଧାୟକଙ୍କ ବିରୋଧରେ କୁହୁଳୁ ଥିବା ଅସନ୍ତୋଷ ଏବେ ପଦାରେ ପଡିଛି । ଫଳରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଡଃ ଗୋପବନ୍ଧୁ ଦାଶଙ୍କ ଇଙ୍ଗିତ କ୍ରମେ ଆଉ ଏକ ବ୍ଲକ ବିଜେଡି କମିଟି ଗଠନ କରାଯାଇଛି ।ଇତିମଧ୍ୟରେ ଦିଗପହଣ୍ଡି ବିଧାୟକଙ୍କ ବାଚସ୍ପତି ପଦ ଚାଲିଯିବା ପରେ ତାଙ୍କ ସମର୍ଥକ ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ପ୍ରବଳ ବିରୋଧର ସମ୍ମୁଖୀନ ହେବା ଭୟରେ ନିୟମିତ ସମିତି ବୈଠକକୁ ଏଡାଇ ଯାଉଥିବା ନେଇ ଅପର ଗୋଷ୍ଟି ପକ୍ଷରୁ ଚର୍ଚ୍ଚା ହେଉଛି ।ଆଜି କୁକୁଡ଼ାଖଣ୍ଡି ବ୍ଲକର ମହୁଡା ସମିତି ସଭ୍ୟ ଜତିନ୍ଦ୍ର ପାତ୍ର,ବାଘଲଟି ସମିତି ସଭ୍ୟ ସାରଥୀ ପ୍ରସାଦ ଗୌଡ଼, ବୋରିଗାଁ ସମିତି ସଭ୍ୟ ସନ୍ତୋଷ କୁମାର ସାହୁ, ସମବାୟବିତ୍ ତଥା ପୂର୍ବତନ ସରପଞ୍ଚ ସୁଧୀର ରାଉତ, ବଉଳଝୋଳି ସମିତିସଭ୍ୟ ପ୍ରତିନିଧି ସନାତନ ସଂଗ୍ରାମ ସିଂ,ସୁରେଶ ସାହୁ,ପୂର୍ବତନ ବ୍ଲକ ବିଜେଡି ସଭାପତି ସନ୍ତୋଷ ଚୌଧୁରୀ,ଗୁରୁଣ୍ଠି ପୂର୍ବତନ ସମିତିସଭ୍ୟ ପୂର୍ଣ୍ଣଚନ୍ଦ୍ର ନାୟକ,ରଜିତ ପାତ୍ର ପ୍ରମୁଖ ବିଡ଼ିଓ ପଲ୍ଲବୀ ସ୍ୱାଇଁଙ୍କୁ ସାକ୍ଷାତ କରି ସମିତି ବୈଠକ ଡକାଇବାକୁ ଦାବି କରିଛନ୍ତି । ଅଭିଯୋଗକାରୀଙ୍କ ପକ୍ଷରୁ ବ୍ଲକର ବିଭିନ୍ନ ବିଭାଗ ଷ୍ଟାଣ୍ଡିଙ୍ଗ କମିଟି ଗଠନ ସହ ଆର୍.ଡବ୍ଲୁ.ଏସ୍.ଏସ୍ ,ଖାଦ୍ୟ ଯୋଗାଣ ବିଭାଗ,ପି.ଡବ୍ଲୁ.ଡି, ଶିଶୁ ବିକାଶ ଓ ମାତୃ କଲ୍ୟାଣ ଯୋଜନା,ଶିକ୍ଷା ବିଭାଗ,ଇରିଗେସନ ଏନ୍ଆରଇଜିଏସ୍,କୃଷି ବିଭାଗ,ଫିସେରି,ପରିସଂଖ୍ୟନ ବିଭାଗରେ ହେଉଥିବା ବହୁ ଅନିୟମିତତା ସମ୍ପର୍କରେ ଆଲୋଚନା ହୋଇପାରୁନଥିବାରୁ ଆଗାମୀ ଦିନରେ ବ୍ରହ୍ମପୁର ଉପଜିଲ୍ଲାପାଳ, ଗଞ୍ଜାମ ଜିଲ୍ଲାପାଳ ଏବଂ ପଞ୍ଚାୟତରାଜ ବିଭାଗର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଜଣାଇଛନ୍ତି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here