ଏମକେସିଜି ମେଡ଼ିକାଲରେ ନକଲି ଡାକ୍ତର ଆଇକାର୍ଡ ପକାଇ ବୁଲୁଥିବା ଯୁବକକୁ କାବୁ କଲା ପୁଲିସ

0
305

ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ଏମକେସିଜି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ କମିନି ଦଲାଲରାଜ ।ଗତ କିଛି ଦିନ ତଳେ ପୁଲିସ ୬ଜଣ ଦଲାଲଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ଜଣେ ଯୁବକଙ୍କୁ କାବୁ କରିଥିବା ସୂଚନା ମିଳିଛି ।ଏହି ଯୁବକଙ୍କ ଠାରୁ ନକଲି ଡାକ୍ତରୀ ପରିଚୟପତ୍ର ମଧ୍ୟ ଜବତ ହୋଇଛି ।ସଂପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖାଯାଇ ପୁଲିସ ଅଧିକ ପଚରାଉଚରା ଜାରି ରଖିଛି ।ସୂଚନାପ୍ରକାରେ ଜାଣିବାକୁ ମିଳିଛି ଯେ, ଆଜି ସକାଳୁ ଜଣେ ଯୁବକ ନିଜ ବେକରେ ଏକ ପରିଚୟ ପତ୍ର ପକାଇ ବିଭିନ୍ନ ୱାର୍ଡରେ ବୁଲୁଥିବା ଦେଖିବାକୁ ମିଳିଥିଲା । ଯୁବକ ଜଣଙ୍କ ଜଣେ ରୋଗୀଙ୍କୁ ଧରି ଅସ୍ଥିଶଲ୍ୟ ବିଭାଗ ଇନଡୋରକୁ ଯାଉଥିବା ବେଳେ କୌଣସି କାରଣକୁ କେନ୍ଦ୍ର କରି ସେଠାକାର କର୍ମଚାରୀଙ୍କ ସହ ପାଟିତୁଣ୍ଡ ହୋଇଥିଲା ।ଏହା ଦେଖି ସେଠାରେ କାର୍ଯ୍ୟରତ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଯୁବକ ଜଣଙ୍କ ନିଜ ବେକରେ ଏକ ପରିଚୟପତ୍ର ଝୁଲାଇଥିବାରୁ ସୁରକ୍ଷା କର୍ମୀମାନେ ତାଙ୍କ ପରିଚୟ ପଚାରିଥିଲେ ।ଯାଞ୍ଚ ବେଳେ ସେହି ପରିଚୟପତ୍ରରେ ଡାକ୍ତର ଦୀପକ କୁମାର ନାହାକ ବୋଲି ନାଁ ଲେଖା ହୋଇଥିଲା ।ସେହିପରି ବର୍ହିବିଭାଗ ସୁପରଭାଇଜର ବୋପଳି ତାଙ୍କ ପଦବୀ ଲେଖା ହୋଇଥିଲା ।ତେ​‌ବେ ଉକ୍ତ ପରିଚୟପତ୍ରରେ ଯେଉଁ ପଦବୀ ଲେଖା ହୋଇଛି ଏମକେସିଜିରେ ସେଭଳି କୌଣସି ପଦବୀ ନଥିବା ବେଳେ ଯୁବକଙ୍କ ବୟସ ଓ ଚେହେରା ଦେଖିଲେ ସେ କୌଣସି ଡାକ୍ତର ଭଳି ଦିଶୁନଥିଲେ ।ଯାହାକୁ ନେଇ ସୁରକ୍ଷାକର୍ମୀମାନେ ଏମକେସିଜି ଫାଣ୍ଡି ପୁଲିସକୁ ଖବର ଦେଇଥିଲେ ।ପୁଲିସ ପହଞ୍ଚି ଦୀପକଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା ।ଦୀପକଙ୍କ ଘର ସାନଖେମୁଣ୍ଡି ହୋଇଥିବା ବେଳେ ସେ ଜଣେ ଡିପ୍ଲୋମା ଛାତ୍ର ବୋଲି କହିଥିଲେ ।ସେ ଏହି ପରିଚୟ ପତ୍ରକୁ କୋର୍ଟପେଟା ଛକ ନିକଟରେ ଥିବା ଏକ ଦୋକାନରେ ୮୦ ଟଙ୍କା ଖର୍ଚ୍ଚ କରି ତିଆରି କରିଥିବା କହିଥିଲେ ।ଦୀପକଙ୍କ କଥାରେ ତାଳମେଳ ରହୁନଥିବାରୁ ସେ କୌଣସି ଘରୋଇ କ୍ଲିନିକ କିମ୍ବା ଡାଏଗ୍ନୋଷ୍ଟିକ ସେଣ୍ଟର ପାଇଁ ଦଲାଲି କରୁଥିବା ସନ୍ଦେହ ଉପୁଜିଛି ।ବର୍ତ୍ତମାନ ପୁଲିସ ଏ ନେଇ ଅଧିକ ଖୋଳତାଡ ଜାରି ରଖିଥିବା ସୂଚନା ମିଳିଛି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here