୨୨ ଗୋଟି ପ୍ରଶ୍ନକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲା ଭାରତୀୟ ଜନତା ଯୁବ ମୋର୍ଚ୍ଚା

0
262

ବ୍ରହ୍ମପୁର: ରାଜ୍ୟ ସରକାର ୨୨ବର୍ଷ ଶାସନରେ ସବୁ କ୍ଷେତ୍ରରେ ପଛୁଆ ରହିଛି ଯାହା ଫଳରେ ଗଞ୍ଜାମ ଜିଲ୍ଲାର ମହିଳା,ଯୁବକ,ଶିଶୁ ଓ ଚାଷୀ ମଧ୍ୟ ଆଜି ହନ୍ତସନ୍ତ ହେଉଛନ୍ତି । ଏହାକୁ ନେଇ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଏଲ୍. ମୋହନ ଦାସଙ୍କ ନେତୃତ୍ବରେ ସୋମବାର ମଧ୍ୟାହ୍ନ ୧୨ଟା ସମୟରେ ବ୍ରହ୍ମପୁର ଗାନ୍ଧୀ ନଗର ସ୍ଥିତ ବିଜେପି କାର୍ଯ୍ୟାଳୟ ପରିସରରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ପ୍ରଭାତ ଷଡଙ୍ଗୀ,ଶିବ ଶଙ୍କର ଶତପଥି,ଯୁବନେତା ସିଦ୍ଧାନ୍ତ ଗଙ୍ଗଦେବ ପ୍ରମୁଖ ମଞ୍ଚାସିନ ଥିଲେ ।ଓଡିଶାରେ ୨୨ବର୍ଷ ଧରି ଜଣେ ମୁଖ୍ୟମନ୍ତ୍ରୀ ଶାସନ ଦାୟିତ୍ବରେ ଅଛନ୍ତି । ବିଜେଡ଼ି ନିଜକୁ ଏକ ନମ୍ବର ସରକାର କହିବାର ଡ଼ିଣ୍ଡିମ୍ ପିଟୁଛି ।ରାଜ୍ୟ ଓଡ଼ିଶାରେ ସୁଦୀର୍ଘ ବେଳାଭୂମି,ପ୍ରଚୁର ଖଣିଜ ପଦାର୍ଥ,ପରିଶ୍ରମୀ ମାନବ ସମ୍ବଳ,ଉର୍ବର ଚାଷ ଜମି ସତ୍ତ୍ବେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଏକ ସମ୍ଭାବ୍ୟ ଶିଳ୍ପ କେନ୍ଦ୍ର କିମ୍ବା ପୁଞ୍ଜି ନିବେଶର ପେଣ୍ଠସ୍ଥଳି ଭାବରେ ଉଭା ହେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ଏଠାରେ କୁହାଯାଇଥିଲା ।ବେରୋଜଗାରୀ ଲାଗି ରାଜ୍ୟର ଲୋକମାନେ ଅନ୍ୟ ରାଜ୍ୟକୁ ପଳାୟନ କରିବା ସହ ଦାଦନ ଭାବେ ଖଟିବା ପାଇଁ ବାଧ୍ୟ ହେଉଛନ୍ତି ।କେବଳ ସାଧାରଣ ଜନତା ନୁହେଁ ବନ୍ୟପ୍ରାଣୀ ବି ସୁରକ୍ଷିତ ନୁହଁନ୍ତି ।ମାନବ ତସ୍କରୀ ସହିତ ବନ୍ୟପ୍ରାଣୀଙ୍କ ତସ୍କରୀ ଓଡ଼ିଶାରେ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି ।ଓଡ଼ିଶା ଯୁବ ମୋର୍ଚ୍ଚା ପକ୍ଷରୁ ଦୀର୍ଘ ୨୨ ବର୍ଷର ଶାସନରେ ବିଜେଡ଼ି ସରକାରଙ୍କ ମୁଖ୍ୟଙ୍କୁ ୨୨ଟି ପ୍ରଶ୍ନ ଉଠାଇଛନ୍ତ । ଏହି ପ୍ରଶ୍ନ ପ୍ରତ୍ୟେକ ଯୁବ ବର୍ଗଙ୍କ ପ୍ରଶ୍ନ,ନିଜର ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ଚିନ୍ତିତ ଥିବା ଯୁବବର୍ଗ ପ୍ରତି ପ୍ରଶ୍ନର ଉତ୍ତର ଚାହାନ୍ତି । ଯଥା,ପ୍ରଧାନମନ୍ତ୍ରୀ ଆବାସରେ ଯୋଜନାରେ ହଜାର କୋଟି ଟଙ୍କାର ମହାଦୁର୍ନୀତି ପଛରେ କିଏ,ସହରାଞ୍ଚଳରେ ଭୂମିହୀନଙ୍କ ପାଇଁ ଜମିପଟ୍ଟା ଆବଣ୍ଟନ ଏକ ପ୍ରହସନ ନୁହେଁ କି,ରାଜ୍ୟବାସୀଙ୍କୁ ବିଶ୍ବସ୍ତରୀୟ ପାଇପ ଯୋଗେ ବିଶୁଦ୍ଧ ଜଳ ଯୋଗାଣର ରୂପାୟନ କିପରି ହୋଇଛି,ଜନ ସାଧାରଣଙ୍କ ସାମ୍ନାରେ ଜଳଜଳ ହୋଇ ଦିଶୁଛି,ସୀମାବର୍ତ୍ତୀ ଅଞ୍ଚଳ ସୁରକ୍ଷା,ନଦୀ ସୁରକ୍ଷା ଓ ବନ୍ୟା ପରିଚାଳନାରେ ଅବ୍ୟବସ୍ଥା,ଅପପୃଷ୍ଟି ଓ ଶିଶୁ ମୃତ୍ୟୁ,ଦାରିଦ୍ର୍ୟ ସୀମାରେଖା ତଳେ ଓଡ଼ିଶା,ରାଜ୍ୟରେ ସ୍ବାସ୍ଥ୍ୟବସ୍ଥାର ଦୂରାବସ୍ଥା,ମହିଳା ଓ ଶିଶୁ ସୁରକ୍ଷା,ଆଇନ ଶୃଙ୍ଖଳାରେ ଅବ୍ୟବସ୍ଥା ଏବଂ ନିଶା ଜନିତ ଅପରାଧର ବୃଦ୍ଧି,ଚାଷୀ ସମସ୍ୟା ଓ କୃଷିରେ ଅବ୍ୟବସ୍ଥା,ଭ୍ରଷ୍ଟାଚାର ପିସି କାରବାରରେ ବଡ଼ ବଡ଼ିଆଙ୍କୁ ଆଶୀର୍ବାଦ,ଶକ୍ତି ବିଭାଗର ଚଞ୍ଚକତା,ଶିକ୍ଷା ବିକାଶରେ ଅବ୍ୟବସ୍ଥା,ଡ଼ିଏମଏଫ ଫଣ୍ଡର ବିନା ଟେଣ୍ଡରରେ ବ୍ୟାପକ ଦୁରୂପଯୋଗ,ମେକ୍ ଇନ ଓଡ଼ିଶା ବିଫଳ ଓ ରାଜ୍ୟରେ ଶିଳ୍ପ ଓ ଶିଳ୍ପାୟନ ସମସ୍ୟା,ଓବିସି ବର୍ଗଙ୍କୁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣ କେବେ,ଓଡ଼ିଆ ଭାଷାର ସୁରକ୍ଷା ଓ ଓଡ଼ିଆ ଭାଷା ବିଶ୍ବ ବିଦ୍ୟାଳୟ କେବେ,ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି,ବିଜୁ ଯୁବ ବାହିନୀ, ପିଠା ଯୋଜନା,ଆମ ଗାଁ ଆମ ବିକାଶ ଯୋଜନାର ସ୍ଥିତି କଣ,ବିଜୁ ଗାଁ ଗାଡିର ଅବସ୍ଥା କଣ,ଗ୍ରାମାଞ୍ଚଳର ରୋଗୀ ଖଟିଆରେ ବୁହା ହେବା ତାହାର ଉଦାହରଣ,ଓଡ଼ିଶାରେ ବିକଟ ବେରୋଜଗାରୀ ସମସ୍ୟା,ଆଦିବାସୀଙ୍କୁ ଲଘୁ ବନଜାତ ଦ୍ରବ୍ୟର ଉଚିତ୍ ମୂଲ୍ୟ,ବନ୍ୟପ୍ରାଣୀ ସୁରକ୍ଷା ଓ ବନ୍ୟପ୍ରାଣୀଙ୍କ ଅଙ୍ଗ ତସ୍କରୀ ନମିଳିବାର କାରଣ କଣ ଓ ତାହା ବନ୍ଦ କେବେ ହେବ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here