ଦୁର୍ନିତୀର ଗନ୍ତାଘର ଏମକେସିଜି ପ୍ରସୂତି ବିଭାଗ, ଲାଞ୍ଚ ନେଇ ଧରାପଡ଼ିଲେ ଦୁଇ ନର୍ସ

0
215

ବ୍ରହ୍ମପୁର: ଲାଞ୍ଚ କାରବାର ଓ ଦୁର୍ନିତୀର ଗନ୍ତାଘର ପାଲଟିଛି ଏମକେସିଜି ମେଡିକାଲ କଲେଜ ଓ ହସପିଟାଲର ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ । ଏଠାକୁ ଆସୁଥିବା ପ୍ରତ୍ୟେକ ଗର୍ଭବତୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ହାତଗୁଞ୍ଜା ଦେବାକୁ ପଡ଼ୁଛି । କାର୍ଯ୍ୟରତ ସୁରକ୍ଷା କର୍ମୀ ଠାରୁ ଆରମ୍ଭ କରି ଡାକ୍ତର ଓ ନର୍ସ ମାନେ ସିଧାସଳଖ ଲାଞ୍ଚ ଦାବି କରୁଛନ୍ତି । ଏଠାରେ ପୂର୍ବରୁ ଲାଞ୍ଚ କାରବାରର ଏକାଧିକ ଅଭିଯୋଗ ଆସିଛି ।ସୁରକ୍ଷା କର୍ମୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ କାର୍ଯରତ ନର୍ସ ଓ କର୍ମଚାରୀଙ୍କୁ ଅନ୍ୟ ବିଭାଗକୁ ବଦଳି କରାଯାଇଛି । ହେଲେ ଯେଉଁ ଡାକ୍ତର ଓ ଇନସଚାର୍ଜ ନର୍ସଙ୍କ ପ୍ରରୋଚନାରେ ଏଠାରେ ବେଧଡକ ଲାଞ୍ଚ କାରବାରର ଚାଲୁଛି ତାଙ୍କ ବିରୋଧରେ କେବେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଗତକାଲି ରାତିରେ ଜଣେ ଗରିବ ମହିଳାଙ୍କ ଠାରୁ ଜୋରଜବରଦସ୍ତ ଭାବେ ଲାଞ୍ଚ ନେଇ ପ୍ରସୂତି ବିଭାଗ ଅସ୍ତ୍ରୋପଚାର ଗୃହରେ କାର୍ଯ୍ୟରତ ଦୁଇ ଜଣ ନର୍ସ ଧରାପଡ଼ିଛନ୍ତି । ଏପରିକି ଘଟଣା ସାମ୍ନାକୁ ଆସିବା ପରେ ସେମାନେ ଟଙ୍କା ଫେରାଇବା ସହ ନିଜ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଲିଖିତ ଭାବେ କ୍ଷମା ପ୍ରାର୍ଥନା କରିଛନ୍ତି ।
ମିଳିଥିବା ସୂଚନାପ୍ରକାରେ, ପୁରୁଷୋତ୍ତମପୁର ଅଞ୍ଚଳର ଜଣେ ଗର୍ଭବତୀ ମହିଳା ଦୁଇ ଦିନ ଏମକେସିଜିର ପ୍ରସୂତି ବିଭାଗ ଲେବର ରୁମରେ ଭର୍ତ୍ତି ହୋଇଥିଲେ ।ଗତକାଲି ରାତିରେ ତାଙ୍କର ଅସ୍ତ୍ରୋପଚାର ହୋଇ ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ଶିଶୁ ଜନ୍ମ ହେବା ପରେ ଅସ୍ତ୍ରୋପଚାର ଗୃହରେ କାର୍ଯ୍ୟରତ ଦୁଇ ଜଣ ନର୍ସ ମହିଳାଙ୍କ ଭାଇ ଟୁକୁନା ବେହେରାଙ୍କୁ ଲାଞ୍ଚ ମାଗିଥିଲେ । ଏପରିକି ତାଙ୍କର ଜଣେ ସମ୍ପର୍କୀୟ ଏଠାରେ ନର୍ସ ଭାବେ କାର୍ଯ୍ୟରତ ଅଛନ୍ତି ବୋଲି ଟୁକୁନା କହିବା ପରେ ମଧ୍ୟ ଲାଞ୍ଚ ମାଗୁଥିବା ଦୁଇ ନର୍ସ ଶୁଣିନଥିଲେ । ଏହାପରେ ବାଧ୍ୟ ହୋଇ ଟୁକୁନା ଆଶା ଦିଦିଙ୍କ ଜରିଆରେ ୫ଶହ ଟଙ୍କା ଉକ୍ତ ନର୍ସିଂ ଅଫିସରଙ୍କୁ ଦେଇଥିଲେ। ଏହା ଜଣିବା ପରେ ଟୁକୁନାଙ୍କ ସମ୍ପର୍କୀୟ ମାଇଁ ତଥା ନର୍ସିଂ ଅଫିସର ଜଣଙ୍କ ଲାଞ୍ଚ ନେଇଥିବା ଦୁଇ ନର୍ସଙ୍କୁ ପଚରା ଉଚରା କରିଥିଲା । ଏ ନେଇ ସେ ନର୍ସିଂ ସୁପରିଟେଣ୍ଡେଣ୍ଟ ପୂର୍ଣ୍ଣିମା ନାୟକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ନର୍ସିଂ ସୁପରିଟେଣ୍ଡେଣ୍ଟ ଉଭୟ ନର୍ସଙ୍କୁ ଡାକି ଘଟଣା ସମ୍ପର୍କରେ ପଚରାଉଚରା କରିବା ପରେ ସେମାନେ ଲାଞ୍ଚ ନେଇଥିବା ସ୍ବୀକାର କରିବା ସହ ଟଙ୍କା ଫେରାଇଦେବେ ବୋଲି କହିଥିଳେ । ଏହାସହ ଭବିଷ୍ୟତରେ ଏଭଳି କରିବେ ନାହିଁ ବୋଲି ମଧ୍ୟ ସେମାନେ ନର୍ସିଂ ସୁପରିଟେଣ୍ଡେଣ୍ଟଙ୍କ ନିକଟରେ ଲିଖିତ କ୍ଷମା ପ୍ରାର୍ଥନା କରିଥିଲେ । ଘଟଣାର ତଦନ୍ତ ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏମକେସିଜି ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର କହିଛନ୍ତି । ପ୍ରକାଶଥାଉକି, କିଛି ଦିନ ତଳେ ଜଣେ ଗରୀବ ବୃଦ୍ଧାଙ୍କ ଝିଅ ଏକ ଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ପ୍ରସୂତି ବିଭାଗର କିଛି କର୍ମଚାରୀ ଲାଞ୍ଚ ଦାବି କରିଥିଲେ । ଏହି ଲାଞ୍ଚ କାରବାରର ଭିଡିଓ ଭାଇରାଲ ହେବା ପରେ ଏମକେସିଜି କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଇଥିଲେ । ହେଲେ ସୁରକ୍ଷା କର୍ମୀ ଭଳି ତଳିଆ କର୍ମଚାରୀଙ୍କ ବିରୋଧରେ ହିଁ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ଏଠାକୁ ଆସୁଥିବା ଅଧିକାଂଶ ରୋଗୀ ସମ୍ପର୍କୀଙ୍କ ଠାରୁ ଲାଞ୍ଚ ଦାବି କରାଯାଉଥିବା ଅଭିଯୋଗ ହେଉଛି । ଏପରିକି ଏଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି ମଧ୍ୟ କରାଯାଉଛି । ତଥାପି ଏଠାରେ ଲାଞ୍ଚ କାରବାର ବନ୍ଦ ହେବାର ନାଁ ନେଉନି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here