ବ୍ରହ୍ମପୁର ମହାନଗର ନିଗମର ପ୍ରଥମ କର୍ପୋରେସନ ବୈଠକ,୨୦ଟି ପ୍ରସ୍ତାବ ଉପରେ ହେଲା ଆଲୋଚନା

0
265

ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମର ପ୍ରଥମ କର୍ପୋରେସନ ବୈଠକ ଶୁକ୍ରବାର ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ମୋଟ ୨୦ଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ମେୟର ସଂଘମିତ୍ରା ଦଳେଇ ଅଧ୍ୟକ୍ଷତା କରିଥିବା ବେଳେ ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ଡେପୁଟି ମେୟର ବିବେକ ରେଡ଼ି, କମିଶନର୍ ଜେ.ସୋନାଲ, ଅତିରିକ୍ତ କମିଶନର୍ ନିଳମାଧବ ଭୋଇ ଉପସ୍ଥିତ ଥିଲେ । ସହରରେ ପୂର୍ବରୁ ୨୯ଟି ଉଚ୍ଚ କ୍ଷମତା ସଂପନ୍ନ ସିସିଟିଭି କ୍ୟାମେରା ଥିବା ବେଳେ ଆଉ ୨୬ଟି ସ୍ଥାନରେ ୮୦ଟି କ୍ୟାମେରା ଲଗାଇବାକୁ ନିଷ୍ପତ୍ତି ହୋଇଛି । ବିଏମ୍‌ସିରେ ଅନେକ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦିଆଯାଇଛି । ଏହି ପ୍ରଥା ବନ୍ଦ କରାଯିବ । ସେହି ସ୍ଥାନରେ ନୂତନ ନିଯୁକ୍ତି ସୃଷ୍ଟି କରାଯିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତ୍ତି ହୋଇଥିଲା । ଷ୍ଟ୍ରିଟ୍‌ ଲାଇଟ୍‌ ରକ୍ଷଣାବେକ୍ଷଣ ପାଇଁ ଦୁଇଟି ହାଇଡ୍ରୋଲିକ୍‌ ପ୍ଳାଟଫର୍ମ ଥିବା ଗାଡ଼ି ୩୮ ଲକ୍ଷ ଟଙ୍କାରେ କିଣି ଏକ ଘରୋଇ ସଂସ୍ଥା ଏସ୍‌ପିଭିକୁ ଭଡ଼ା ସୂତ୍ରରେ ଦେବାକୁ ଆସିଥିବା ପ୍ରସ୍ତାବକୁ ବିରୋଧ କରାଯାଇଥିଲା । ସଂପୃକ୍ତ ସଂସ୍ଥା ଠିକା ନେଇଥିଲେ ମଧ୍ୟ କେତେ ଜଣଙ୍କୁ ନିଯୁକ୍ତି ଦେଇଛି ଏବଂ କଣ କାର୍ଯ୍ୟ କରୁଛି, ସେନେଇ କେହି ଜାଣୁନାହାନ୍ତି। ଏଣୁ ଗାଡ଼ି କିଣି ଘରୋଇ ସଂସ୍ଥା ଜରିଆରେ ଭଡ଼ାରେ ଲଗାଇବା ବଦଳରେ ମହାନଗର ନିଗମ ନିଜେ ଏହି ଦାୟିତ୍ବ ଗ୍ରହଣ କରୁ ବୋଲି ସଦସ୍ୟମାନେ ଦାବି ରଖିଥିଲେ । ସହରର ୧୬ଟି ବସ୍ତିକୁ ବିଜୁ ଆଦର୍ଶ କଲୋନୀ ଭାବେ ଘୋଷଣା କରିବାକୁ ପ୍ରସ୍ତାବ ମଞ୍ଜୁର ହୋଇଛି । ସରକାରୀ ଜାଗାକୁ ଘରୋଇ ସଂସ୍ଥାକୁ ଲିଜ୍‌ରେ ଦେବା ବଦଳରେ ଭଡ଼ା ଆଦାୟ କରିବାକୁ ସଦସ୍ୟମାନେ ଦାବି କରିଥିଲେ । କନିଷ୍ଠ ଯନ୍ତ୍ରୀଙ୍କ ଅବହେଳା, ବିଲ୍‌ ପ୍ରଦାନରେ ବିଳମ୍ବ ଯୋଗୁ ସହରରେ ଉନ୍ନତିମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ବୋଲି ଅଭିଯୋଗ ହୋଇଥିଲା । ସହରରେ ପରିମଳ ବ୍ୟବସ୍ଥା ବିଗିଡ଼ି ଯାଇଥିବା ଏବଂ ଏନର୍ଫୋସମେଣ୍ଟ ଟିମ୍‌ ଅକାମୀ ହୋଇଯାଇଥିବା ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ବିଧାୟକଙ୍କ ହାତପାଣ୍ଠିରୁ ମହାନଗର ନିଗମକୁ ପ୍ରଦାନ କରାଯାଇଥିବା ୪ଟି ମହାପ୍ରୟାଣ ରଥର ଭଡ଼ା କିଲୋମିଟର ପିଚ୍ଛା ୧୨ ଟଙ୍କା ବଦଳରେ ୧୦ ଟଙ୍କା, ସାଂସ୍କୃତିକ ସଂଗଠନ ପାଇଁ ଟାଉନ୍‌ ହଲ୍‌ ଭଡ଼ା ୫ ହଜାର ଟଙ୍କା, ନିମ୍ନକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଏବଂ ଅତିକୁଶଳୀଙ୍କ ଦୈନିକ ମଜୁରୀ, ସଫେଇ କର୍ମଚାରୀଙ୍କୁ ଛୁଟି ଦିବସର ଦରମା ଓ ଭତ୍ତା, ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସଂଶୋଧିତ ପାରିଶ୍ରମିକ, ଅସ୍ଥାୟୀ କର୍ମଚାରୀଙ୍କୁ ପ୍ରୋତ୍ସାହନ ଭତ୍ତା ସହ ମୋଟ ୨୦ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ପ୍ରତି ମାସ କର୍ପୋରେସନ ବୈଠକ ବସୁନଥିବା ଯୋଗୁ କେତେକ କର୍ପୋରେଟ ଅସନ୍ତୋଷ ଜାହରି କରିଥିଲେ । ଏଥର ସବୁ ମାସରେ ବୈଠକ ବସିବ ବୋଲି ମେୟର ଦଳେଇ ପ୍ରତିଶ୍ରୁତି ଦେଇଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here