ବଢିବାରେ ଲାଗିଛି ଚୋରଙ୍କ ଦୌରାତ୍ମ୍ୟ,ଠେଙ୍ଗାବାଡି ଧରି ଜଗୁଛନ୍ତି ଗ୍ରାମବାସୀ

0
251

ଭଞ୍ଜନଗର : ଦିନକୁ ଦିନ ବଢିବାରେ ଲାଗିଛି ଚୋରୀ। ରାତି ହେବା ମାତ୍ରେ ଘର କବାଟ ତାଡି କିମ୍ବା ତାଲା ଭାଙ୍ଗି ପଶୁଛନ୍ତି ଘରେ ଆଉ ଲୁଟି ନେଉଛନ୍ତି ସବୁକିଛି। ନିୟମିତ ବ୍ୟବଧାନରେ ଏଭଳି ପ୍ରତିଦିନ ରାତିରେ ଚୋର ମାନଙ୍କ ପାର୍ଦୁଭାବ ବଢିବାରେ ଲାଗିଥିବା ବେଳେ ସେମାନଙ୍କୁ ଧରିବାରେ ପୁଲିସ୍ ବିଫଳ ହେଉଛି। ଭଞ୍ଜନଗର ଥାନା ଅଧୀନ ଭାଲିଆଖାଇ ଗ୍ରାମରେ ଗତ ସପ୍ତାହ ମଧ୍ୟରେ ତିନି ରାତିରେ ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ତେବେ ଆଜି ପର୍ଯ୍ୟନ୍ତ ବଡ଼ ଧରଣର ଚୋରୀ ହୋଇନଥିଲେ ମଧ୍ୟ ଚୋର ଙ୍କ ଆତଙ୍କ ଲୋକଙ୍କ ଆଖିରୁ ନିଜ ହଜାଇ ଦେଇଛି। ଗତ ବୁଧବାର ଦିନ ରାତିରେ ଗ୍ରାମର ସୁନିଲ ପ୍ରଧାନଙ୍କ ସମେତ ପ୍ରଭାକର ପ୍ରଧାନ, ଅହଲି ଗୌଡଙ୍କ ଘରୁ ଚୋରୀ ହୋଇଥିବା ବେଳେ ଗତ ରବିବାର ରାତିରେ ପୁଣି ଦୁଇଜଣଙ୍କ ଘରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ବାରିପଟ କବାଟ ତାଡି ଦୁର୍ବୃତ୍ତ ମାନେ ଘରେ ପଶି ସୁନା ଅଳଙ୍କାର ସହ ଟଙ୍କା ଚୋରୀ କରି ନେଇଥିବା ଥାନାରେ ଅଭିଯୋଗ କରିଥିଲେ। ସେହିଭଳି ଗ୍ରାମର ଅନ୍ୟ ଦୁଇ ଘରୁ ମଧ୍ୟ ଅନୁରୂପ ଭାବେ ଚୋରୀ ହୋଇଥିଲା। ସୁନୀଲଙ୍କ ଏତଲା ପ୍ରକାରେ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା। ଏହାପରେ ମଧ୍ୟ ଗ୍ରାମରୁ ଆଉ ଦୁଇ ଥର ୫ ଘରୁ ଚୋରୀ ହୋଇଥିବା ବେଳେ ଆଉ କିଛି ଘରରୁ ଚୋରୀ ଉଦ୍ୟମ ହୋଇଥିବା ସମୟରେ ଘର ଲୋକ ଉଠି ପଡିବାରୁ ଚୋର ମାନେ ଦୌଡି ପଳାଇଥିବା ଅଭିଯୋଗ କରିଛନ୍ତି। ଗ୍ରାମବାସୀ ପୁଲିସ୍ ରେ ଅଭିଯୋଗ କରିବା ପରେ ପୁଲିସ୍ ଗ୍ରାମକୁ ଯାଇ ତଦନ୍ତ କରି ଫେରିଥିବା ଜଣାପଡିଛି। ଗତକାଲି ରାତିରେ ପୁଣି ଚୋର ଆସିଥିବା ଖବର ପ୍ରଚାର ହେବା ପରେ ପିଲାଠୁ ବୁଢା ସମସ୍ତେ ଠେଙ୍ଗା ବାଡି ଧରି ଘରୁ ବାହାରି ପଡିଥିଲେ। ଆଜି ସଂନ୍ଧ୍ୟାରେ ପୁଣି ଗ୍ରାମବାସୀ ମାନେ ଠେଙ୍ଗାଧରି ଗ୍ରାମରେ ଜଗିଥିବା ଦେଖିବାକୁ ମିଳିଛି। ଗ୍ରାମଦେଇ ଯାଉଥିବା ଅଚିହ୍ନା ଲୋକ ମାନଙ୍କୁ ପଚରା ଉଚୁରା କରାଯାଉଛି। ଗତ କିଛି ଦିନ ଧରି ଭଞ୍ଜନଗର ଥାନା ଇଲାକାର ବିଭିନ୍ନ ଗ୍ରାମରେ ଚୋରୀ ବୃଦ୍ଧି ପାଇଥିବା ବେଳେ ପୁଲିସ୍ ପକ୍ଷରୁ କଡା ପଦକ୍ଷେପ ନେବା ଜରୁରୀ ହୋଇପଡିଛି। ଦାମୀକା ଜିନିଷ ଚୋରୀ କରିବା ବଦଳରେ ଦୁର୍ବୃତ୍ତ ମାନେ ଅନେକ ଗ୍ରାମରେ ଲୁଗାପଟା ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ଦୁର୍ବୃତ୍ତ ମାନେ ଚୋରୀ କରି ନେଉଥିବା ବେଗଳେ ଛୋଟ ମୋଟ ଜିନିଷ ଚୋରୀ ଗଲେ ଲୋକ ମାନେ ଥାନରେ ଅଭିଯୋଗ କରୁନାହାନ୍ତି। ଯଦି ବର୍ତ୍ତମାନ ଠାରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯାଏ ତେବେ ଆଗାମୀ ଦିନରେ ବଡ ଧରଣର ଚୋରୀ ହେବାର ସମ୍ଭାବନା ଦେଖା ଦେଇଛି। ଏଥିସହ ବର୍ତ୍ତମାନ ପ୍ରବଳ ଗରମ ଅନୁଭବ ହେଉଥିବାରୁ ବହୁ ଲୋକ ଘରର ଝରକା ଖୋଲି ଶୋଇ ପଡୁଥିବାରୁ ତାର ସୁଯୋଗ ନେଇ ବହୁ ସ୍ଥାନରୁ ମୋବାଇଲ ଚୋରୀ ହେଉଥିବା ମଧ୍ୟ ଅଭିଯୋଗ ହେଉଛି। ଅଭିଯୁକ୍ତ ମାନଙ୍କୁ କାବୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here