ପୋଖରୀ ନିକଟରୁ ଯୁବକର ମୃତଦେହ ଉଦ୍ଧାର; କାରଣ ଅସ୍ପଷ୍ଟ

0
259

ଭଞ୍ଜନଗର: ଭଞ୍ଜନଗର ଥାନା ଅନ୍ତର୍ଗତ ଶ୍ରୀ ବିହାର ଜିଆରସି କଲେଜ ସାମ୍ନାରେ ଥିବା ପୁରୁଣା ଫିସେରୀ ପୋଖରୀ ନିକଟରେ ଶୁକ୍ରବାର ସକାଳେ ଜଣେ ଅଜଣା ଯୁବକର ମୃତଦେହ ପଡିଥିବା ଖବର ପୁଲିସର ହସ୍ତଗତ ହୋଇଥିଲା।ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଥାନା ଅଧିକାରୀ ଧିରେସ କୁମାର ଦାସ ଓ ଅନ୍ୟ ପୁଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।ମୃତ ଯୁବକର ନାକ ଓ ପାଟିରୁ କିଛି ରକ୍ତ ବାହାରି ଶୁଖିଯାଇଥିବା ବେଳେ ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନଥିବା ଦେଖାଯାଇଥିଲା।ତାର ପରିଚୟ ଜାଣିବା ପାଇଁ ପୁଲିସ ଅନ୍ୟ ଥାନା ଅଧିକାରୀ ମାନଙ୍କ ସହ ଯୋଗାଯୋଗ କରିବାରୁ ବୁଗୁଡ଼ା ଥାନା ମାଣିତରା ଗ୍ରାମର ଶମ୍ଭୁ ପରିଡା ବୋଲି ଜଣାପଡିଛି।ଶମ୍ଭୁ ଜଗନ୍ନାଥ ପ୍ରସାଦ ନିକଟରେ ରହୁଥିବା ତାର ଭଉଣୀ ଘରକୁ ନାଚ ଦେଖିବାକୁ କିଛି ଦିନ ତଳେ ଯାଇଥିଲା।ତା ପରଦିନ ଶମ୍ଭୁ ସେଠାରୁ ଆସି ଭାଇକୁ ଫୋନ କରି ତାର ଶରୀର ଅସୁସ୍ଥ ଥିବା କହିବା ସମୟରେ ମୋବାଇଲ ବନ୍ଦ ହୋଇ ଯାଇଥିଲା।ତେଣୁ ତାକୁ ତାର ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ବିଫଳ ହୋଇଥିଲେ।ମୃତ ଶମ୍ଭୁର ଭାଇ ଆଜି ଏସମ୍ପର୍କରେ ଭଞ୍ଜନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମୃତଦେହ ଜବତ କରି ଭଞ୍ଜନଗର ମେଡ଼ିକାଲ କୁ ବ୍ୟବଚ୍ଛେଦ ପାଇଁ ପଠେଇ କେଶ ନଂ ୧୫/୨୨ରେ ଏକ ଅପମୃତ୍ୟ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ଶ୍ରୀ ଦାସ କହିଛନ୍ତି।

ରିପୋର୍ଟ : ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here