ଗୋପାଳପୁର,ଛତ୍ରପୁର ଓ ଆସ୍କା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

    0
    748

    ଛତ୍ରପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଛତ୍ରପୁର, ଗୋପାଳପୁର ଓ ଆସିକା ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସମୟ, ସ୍ଥାନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ନିର୍ଦ୍ଧାରଣ ପାଇଁ ଆଲୋଚନା :ହେବା ସହ ଉତ୍ସବରେ ଜିଲ୍ଲାର ବିଭିନ୍ନ ଲୋକକଳା ପ୍ରଦର୍ଶନ, ମହିଳା ସଶକ୍ତିକରଣ ଏବଂ ଟ୍ରାଫିକ୍ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା । ଗୋପାଳପୁର ମହୋତ୍ସବ ପାଇଁ ଗୋପାଳପୁରର ବିଧାୟକ ଡଃ. ପ୍ରଦୀପ କୁମାର ପାଣିଗ୍ରାହୀ, ଛତ୍ରପୁର ଲୋକକଳା ମହୋତ୍ସବ ପାଇଁ ଛତ୍ରପୁର ବିଧାୟକ ଶ୍ରୀ ସୁବାସ ଚନ୍ଦ୍ର ବେହେରା ଓ ଆସିକା ମହୋତ୍ସବ ପାଇଁ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ସଭାପତିତ୍ୱରେ ମହୋତ୍ସବ ଅନୁଷ୍ଠିତ ହେବ । ଗୋପାଳପୁର ମହୋତ୍ସବରେ ଜିଲ୍ଲା, ରାଜ୍ୟ ତଥା ଦେଶର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ । ଜନ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ବ୍ୟବସ୍ଥା ସୁଚାରୁରୂପେ ସମ୍ପାଦନ କରିବା, କାର୍ଯ୍ୟକ୍ରମ କିଭଳି ସୁନ୍ଦର ଭାବେ ପରିଚାଳିତ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ ଆସିକା ଲୋକସଭା ସାଂସଦ ଶ୍ରୀମତୀପ୍ରମିଳା ବିଷୋୟୀ, ଗୋପାଳପୁର ବିଧାୟକ ଡଃ. ପ୍ରଦୀପ କୁମାର ପାଣିଗ୍ରାହୀ, ଛତ୍ରପୁର ବିଧାୟକ ଶ୍ରୀ ସୁବାସ ଚନ୍ଦ୍ର ବେହେରା, ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ, ବ୍ରହ୍ମପୁର ଆରକ୍ଷୀ ଅଧକ୍ଷ ଶ୍ରୀ ପିନାକ ମିଶ୍ର, ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ ସିନ୍ଦେ ଦତାତ୍ରୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ଶ୍ରୀ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ସହ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଓ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

    LEAVE A REPLY

    Please enter your comment!
    Please enter your name here