ରାଜମହଲ ଛକରେ ସରକାରୀ ଗାଡ଼ି ଯାଞ୍ଚ ଦାବି ନେଇ ପୋଲିସ ଓ ଜନତା ମଧ୍ୟରେ ଉତ୍ତେଜନା

    0
    779

    ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଦେଶରେ ନୂତନ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ପୂରା କଡ଼ାକଡ଼ି ଭାବେ ଏହାକୁ ପାଳନ କରାଯାଉଛି। ସରକାରୀ ଗାଡ଼ିକୁ ଛାଡ଼ି ଦିଆଯାଉଥିବା ବେଳେ ନିରୀହ ଲୋକଙ୍କୁ ପୋଲିସ ଅତ୍ୟାଚାର କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ରାଜମହଲଛକ ନିକଟରେ ପୋଲିସ ଓ ଜନତା ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ରାଜମହଲଛକ ନିକଟରେ ମୋଟର ଯାନ ଯାଞ୍ଚ ହେଉଥିବା ବେଳେ ସେହି ବାଟ ଦେଇ ବିଏମସି ଗାଡି ଓ ମୋ ବସ୍ ଯାଇଥିଲା। ମୋ ବସରେ ଓଭରଲୋଡ୍ ଲୋକ ଥିବା ବେଳେ ଡ୍ରାଇଭର ସିଟ୍ ବେଲ୍ଟ ବାନ୍ଧି ନଥିଲା। କିନ୍ତୁ ପୋଲିସ ଏହା ଦେଖି ମଧ୍ୟ ସରକାରୀ ଗାଡିକୁ ଅଟକାଇ ନଥିଲା। ସେଠାରେ ଉପସ୍ଥିତ ଜନତା ରାଗିଯାଇ ୩ଟି ସରକାରୀ ଗାଡ଼ି ଯଥା ପୋଲିସ ଆସିଥିବା ପିସିଆର ଭ୍ୟାନ୍, ମୋ ବସ୍ ଓ ବିଏମ୍ସି ଗାଡ଼ିକୁ ଅଟକାଇଥିଲେ ଏବଂ ପୋଲିସ ଆସିଥିବା ପିସିଆର ଭ୍ୟାନ୍ର କାଗଜପତ୍ର ଯାଞ୍ଚ କରିବାକୁ ଅଡ଼ି ବସିଥିଲେ ଓ ପିସିଆର ଭ୍ୟାନ ଚଳାଉଥିବା ପୁଲିସ କର୍ମଚାରୀଙ୍କ ଡ୍ରାଇଭିଂ ଲାଇସେନ୍ସ ଅଛି କି ନାହିଁ ଦେଖିବାକୁ ଚାହିଁଥିଲେ । ହଜାର ହଜାର ଲୋକ ସରକାରୀ ଗାଡିକୁ ଘେରଉ କରି ଜୋରିମାନା ମାଗିଥିଲେ । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ମୃଦୁ ଲାଠି ଚାଳନା କରିବାକୁ ପଡିଥିଲା ଏବଂ ଅପ୍ରିତିକର ପରିସ୍ଥିତକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ମୃତୟନ କରାଯାଇଥିଲା । ସାଧାରଣ ଜନତା ନ୍ୟାୟ ପାଇଁ ଦାବି କରୁଥିବା ବେଳେ ପୋଲିସ ଏହାର ଉତ୍ତର ଦେବା ପରିବର୍ତ୍ତେ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ବହୁ ସଂଖ୍ୟକ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ଉତ୍ୟକ୍ତ ଜନତାଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ପୋଲିସ ପକ୍ଷରୁ ନୂଆ ଆଇନ ଆଳରେ ବିପୁଳ ପରିମାଣର ଫାଇନ୍ ଆଦାୟ କରାଯାଉଥିବା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି।

    LEAVE A REPLY

    Please enter your comment!
    Please enter your name here