ଆସିକା ରୋଡ କୁ ବିନାୟକ ମାର୍ଗରେ ନାମିତ କରାଯିବାକୁ ପୂଜ୍ୟ ପୂଜା ସମିତିର ଦାବୀ

0
232

ବ୍ରହ୍ମପୁର; ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ସ୍ଥାନୀୟ ଆସିକା ରୋଡ ସ୍ଥିତ ବିନାୟକ ଆଚାର୍ଯ୍ୟ ସ୍ମୃତି ପୌର ଉଚ୍ଚ ବିଦ୍ୟାଳୟରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିନାୟକ ଆଚାର୍ଯ୍ୟଙ୍କ 44ତମ ତିରୋଧାନ ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି l ବିନାୟକ ଆଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିରେ ସମିତିର ସଭାପତି ବଂଶୀଧର ଭୂୟାଁ ମାଲ୍ୟାର୍ପଣ କରିବା ପରେ ସେଠାରେ ଆୟୋଜିତ ସ୍ମୃତି ସଭାରେ ସଭାପତିତ୍ୱ କରିଥିଲେ l ବିନାୟକ ଆଚାର୍ଯ୍ୟ ଅଗଷ୍ଟ 30ତାରିଖ 1918ମସିହାରେ ବ୍ରହ୍ମପୁର ଠାରେ ଜନ୍ମ ଗ୍ରହଣ କରି ପ୍ରଥମେ ବ୍ରହ୍ମପୁର ମୁନସିପାଲ ପୌର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରି ଜଣେ ଆଦର୍ଶ ଶିକ୍ଷକ ଭାବେ ପରିଚିତ ଥିଲେ l ପରେ ବିଶିଷ୍ଟ ସାମ୍ୟବାଦୀ ନେତା ବିଜୟ ଚନ୍ଦ୍ର ଦାଶଙ୍କ ସଂସ୍ପର୍ଶରେ ଆସି ସାମ୍ୟବାଦ ଆଦର୍ଶରେ ଗଭୀର ଭାବେ ପ୍ରଭାବିତ ହୋଇଥିଲେ ଓ ପରେ ସେ ରାଜନୀତିରେ ସକ୍ରିୟ ଯୋଗଦାନ କରି 1972ମସିହାରେ କୃଷି, ସମବାୟ, ସହରାଞ୍ଚଳ ବିକାଶ ବିଭାଗରେ ମନ୍ତ୍ରୀପଦ ଗ୍ରହଣ କରିବାସହ 1974 ରେ ଅବକାରୀ ଓ ଅର୍ଥ ବିଭାଗରେ ମନ୍ତ୍ରୀ ଏବଂ 1976-77ମସିହାରେ ସେ ଓଡିଶାର ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ନେଇଥିଲେ l ଜଣେ ସରଳ ନିଷ୍କଳଙ୍କ ଜୀବନ ଯାପନ କରୁଥିବା ସାଧାରଣ ମଣିଷଟି ନିଜ ଆଦର୍ଶ କର୍ତ୍ତବ୍ୟନିଷ୍ଠ ସାଧୁତା ବଳରେ ଓଡିଶା ରାଜନୀତିର ଆଗଧାଡିର ନେତା ହୋଇଥିଲେ l ବିନାୟକ ଆଚାର୍ଯ୍ୟଙ୍କ ଜୀବନରୁ ଆଜିର ରାଜନେତା ମାନେ ଏହି ମହନୀୟ ଗୁଣ ଗୁଡିକୁ ଶିଖିବାର ଆବଶ୍ୟକତା ରହିଛି l ସମିତି ଦ୍ୱାରା ଆୟୋଜିତ ଆଜିରଏହି ସ୍ମୃତିସଭାରେ ଆସିକା ରୋଡକୁ ବିନାୟକ ମାର୍ଗ ଭାବେ ନାମିତ କରିବାକୁ ଦାବି ହୋଇଥିଲା l ପ୍ରକାଶ ଯୋଗ୍ୟ ଯେ, ବ୍ରହ୍ମପୁର ସହରରେ ଦୀର୍ଘ ବର୍ଷରୁ ବିନାୟକ ଆଚାର୍ଯ୍ୟଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ, ଆସିକା ରୋଡ କୁ ବିନାୟକ ମାର୍ଗ ଓ ମେଣ୍ଟୁ ଛକ କୁ ବିନାୟକ ଆଚାର୍ଯ୍ୟ ଛକରେ ନାମକରଣ କରିବାକୁ ଦାବୀ ହେଉଥିଲେ ବି ବ୍ରହ୍ମପୁର ଉନ୍ନୟନ କତୃପକ୍ଷ, ମହାନଗର ନିଗମ କତୃପକ୍ଷ ଓ ସ୍ଥାନୀୟ ଲୋକ ପ୍ରତିନିଧିମାନେ ଏହି ସାଧାରଣ ଦାବୀ ଗୁଡିକୁ କେବଳ ଭାଷଣର ବିଷୟବସ୍ତୁ ଭାବେ ରଖିଥିବା ସ୍ପଷ୍ଟ ହୋଇଛି l ଆଜିର ଏହି ସ୍ମୃତି ସଭାରେ ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ , ବିଜୟଚନ୍ଦ୍ର ବିଶୋଇ,ଯୁବନେତା ଶିବରାମ, ସମାଜସେବୀ ସୁରେନ୍ଦ୍ର ନାଥ ପଣ୍ଡା,ଅବସରପ୍ରାପ୍ତ ଶିକ୍ଷକ ସଂଘ ର ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଏସ. ଶାମ୍ବାଶିବା ରାଓ,ପ୍ରକାଶ ଚନ୍ଦ୍ର ସାହୁ, ସିମାଞ୍ଚଳ ପଣ୍ଡା,ଆଇନଜୀବି ଅବନୀ ଗୟା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଶେଷରେ ବିଜୟ ଚନ୍ଦ୍ର ବିଶୋଇ ଧନ୍ୟବାଦ ଜଣାଇଥିଲେ l

LEAVE A REPLY

Please enter your comment!
Please enter your name here