ସମ୍ଭାବ୍ୟ ବାତ୍ୟା ନେଇ ଜରୁରୀକାଳୀନ ବୈଠକ

0
212

ଛତ୍ରପୁର: ସମ୍ଭାବ୍ୟବାତ୍ୟା ଜୋଓ୍ବାଦ୍ ର ମୁକାବିଲା ସକାଶେ ଗଞ୍ଜାମ ଜିଲ୍ଲା ସମ୍ପୂର୍ଣ୍ଣରୂପେ ପ୍ରସ୍ତୁତ ରହିଛି । ବିଗତ ଦିନର ବାତ୍ୟା ମୁକାବିଲା ତଥ୍ୟ ଆଧାର ଏବଂ ଅଭିଜ୍ଞତାକୁ ନେଇ ଏହି ବାତ୍ୟାର ମୁକାବିଲା କରାଯିବ । ଏହାର ପ୍ରସ୍ତୁତି ନେଇ ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ବାନ୍ ହଲ ରେ ଆଭାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବୈଠକର ଅଧ୍ୟକ୍ଷତା କରି ଜଣାଇଥିଲେଯେ, ବାତ୍ୟାର ଗତିପଥ ଜଣାଯିବା ପରେ ଜିଲ୍ଲାର କାର୍ଯ୍ୟ ଖସଡାକୁ ଯୋରଦାର କରାଯିବ । ସେଥିନେଇ ସମସ୍ତ ପ୍ରସ୍ତୁତି ପୂର୍ବରୁ ଶେଷ କରିବାକୁ ହେବ । ତଳି ଅଞ୍ଚଳ ଏବଂ କଚ୍ଚାଘର ମାନଙ୍କରେ ରହୁଥିବା ବ୍ୟକ୍ତି ମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳ, ଶ୍ରେଣୀଗୃହ କିମ୍ବା ନିରାପଦ ସ୍ଥାନକୁ ସ୍ଥାନାନ୍ତର କରି ସେହିଠାରେ ସେମାନଙ୍କର ଖାଇବା ପିଇବା ବ୍ୟବସ୍ଥା ନିମନ୍ତେ ପ୍ରସ୍ତୁତ କରାଯିବ । ଅଧିକରୁ ଅଧିକ ବର୍ଷା ହେବ । ବିଶେଷ କରି ଚିକିଟି, ରଙ୍ଗେଇଲୁଣ୍ଡା, ଛତ୍ରପୁର ବ୍ଲକ୍ ର ସମୁଦ୍ର କୂଳିଆ ଅଞ୍ଚଳର ଲୋକଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯିବ । ବର୍ଷାଯୋଗୁଁ ସମୁଦ୍ରପାଣି ନିଷ୍କାସନ ହେବା ସମ୍ଭବପର ହେବ ନାହିଁ । ତେଣୁ ବନ୍ୟାର ସ୍ଥିତି ଦେଖା ଦେଇପାରେ । ଏଣୁକରି ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର କରିବାର ଆବଶ୍ୟକତା ରହିଛି । ବ୍ରହ୍ମପୁର ସହର ମଧ୍ୟରେ ଥିବା ବାହାନାଳ, ସାପୁଆନାଳ ଗୁଡିକରେ ଦଳ ଗଚ୍ଛିତ ହୋଇ ରହିଛି । ତୁରନ୍ତ ଏହାର ସଫେଇ କରି ଜଳ ନିଷ୍କାସନର ବ୍ୟବସ୍ଥା କରାଯାଉ ବୋଲି ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚାଷୀକୁଳର ଯେପରି କ୍ଷତି ହେବନାହିଁ, କ୍ଷୟକ୍ଷତି ଶୂନରେ ଯେପରି ରହିବ ତାର ବ୍ୟବସ୍ଥା କରାଯାଉ । ଯେଉଁ ଚାଷୀ ମାନଙ୍କ କ୍ଷେତରେ ଧାନ ପାଚି ନଥିବ ତାହା କାଟିବା ସମ୍ଭବପର ନୁହେଁ ତେଣୁ ଉକ୍ତ ଚାଷ ଜମିର ପାଣି ନିଷ୍କାସନ ସକାଶେ ଛୋଟଛୋଟ ନାଳ ପ୍ରସ୍ତୁତ କରିବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । କଟାଯାଇଥିବା ଧାନ ଗୁଡିକ କିଆରିରେ ନରଖି ଉଚ୍ଚ ନିରାପଦ ସ୍ଥାନରେ ଗଚ୍ଛିତ କରାଯିବାର ବ୍ୟବସ୍ଥା କରାଯିବ । ଆବଶ୍ୟକ ସ୍ଥଳେ ବାତ୍ୟା ଆଶ୍ରୟ ସ୍ଥଳ, ସ୍କୁଲ ଘର ମାନଙ୍କରେ ଅସ୍ଥାୟୀ ଭାବେ ଗଚ୍ଛିତ କରାଯିବ । ସ୍ଥାନୀୟ ଅଞ୍ଚଳରେ ଧାନ ମହଯୁଦ ରଖିବା ନିମନ୍ତେ ଗୋଦାମ ଗୃହର ବ୍ୟବସ୍ଥା କରାଯାଉ । ଧାନ ଗୁଡିକ ଖୋଲାରେ ନ ରଖି ପଲିଥିନ୍ ଘୋଡାଇ ରଖିବା ନିମନ୍ତେ ବ୍ୟବସ୍ଥା ହେଉ । ଗୋଟିଏ ବି ଧାନ ବସ୍ତା ଯେମିତି କ୍ଷତି ହେବନାହିଁ ସେଥିପ୍ରତି ଧ୍ୟାନ ଦିଆଯାଉ । ଜିରୋ ଡ୍ୟାମେଜ୍ ଦିଗରେ ଦୃଷ୍ଟି ଦେଇ ସମସ୍ତ କାର୍ଯ୍ୟ କରନ୍ତୁ । ଚାଷୀ ମାନଙ୍କର ଯାହା ଆବଶ୍ୟକ ରହିବ ସେଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ ପନ୍ଥା ସ୍ଥିର କରାଯାଉ । ଆନ୍ଧ୍ର ପଟୁ ଆସୁଥିବା ମତ୍ସ୍ୟଜୀବୀ ମାନଙ୍କୁ ସତର୍କ କରିଦିଆଯାଉ । ସେମାନେ ଯେପରି ଜିଲ୍ଲାର ସମୁଦ୍ର ତଟରେ ପାର୍କିଂ କରିବେ ନାହିଁ ସମୁଦ୍ରକୁ ମତ୍ସ୍ୟଜୀବୀଗଣ ଯେପରି ଯିବେ ନାହିଁ ସେଥି ସକାଶେ ବାରଣ କରାଯାଉ । ବ୍ରହ୍ମପୁର ସହରରେ ପାଣି ରହୁଥିବା ଅଞ୍ଚଳକୁ ଲୋକେ ଯେମିତି ଯିବେ ନାହିଁ ସେଥି ସକାଶେ ବାଉଁଶବାଡ କରି ଉକ୍ତ ସ୍ଥାନକୁ ଯାତାୟତ ବନ୍ଦ କରାଯାଉ । ଗର୍ଭବତୀ ମହିଳା ଓ ଶିଶୁଙ୍କୁ ସ୍ଥାନାନ୍ତର କରିବାର ଆବଶ୍ୟକତା ରହିବ ଏଣୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପଶୁ ସମ୍ପଦରସୁରକ୍ଷା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉ । ଗାଈଗୋରୁ ମାନଙ୍କୁ ଥଣ୍ଡା ଦାଉରୁ ରକ୍ଷା ନିମନ୍ତେ ସେମାନଙ୍କୁ ବାହାରକୁ ନଛାଡିବାକୁ ଗୃହପାଳିତ ପଶୁର ମାଲିକଙ୍କୁ ଓ ଚାଷୀକୁଳଙ୍କୁ ଜଣାଇ ଦିଆଯାଉଛି । ପଶୁ ସମ୍ପଦର ସୁରକ୍ଷା ଓ ଚିକିତ୍ସା ସକାଶେ ପଶୁ ଚିକିତ୍ସାଳୟର ଔଷଧ ମହଯୁଦ ରଖାଯାଉ । ଖାଦ୍ୟର ମହଯୁଦ ସକାଶେଯୋଗାଣ ଅଧିକାରୀଙ୍କୁ କୁହାଯାଇଛି ।
ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ପ୍ରିୟ ରଞ୍ଜନ ପୃଷ୍ଟି, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁକାନ୍ତ ମିଶ୍ର, ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here