ଆସନ୍ତା ପଞ୍ଚାୟତ ନିର୍ବାଚନରେ ୩ ଦିନ ଧରି ଚାଲିବ ଭୋଟ ଗଣତି, ବାଲଟ ପେପରରେ ହେବ ମତଦାନ

0
278

ଭୁବନେଶ୍ୱର:ଆସନ୍ତା ୨୦୨୨ ପଞ୍ଚାୟତ ନିର୍ବାଚନ ଭୋଟ ଇଭିଏମ୍ ନୁହେଁ ବାଲଟ ପେପରରେ ହେବ । ଏଥିସହ ଭୋଟ ଗଣତି ୩ ଦିନ ପର୍ଯ୍ୟନ୍ତ ଜାରି ରହିବ । ତେବେ ପ୍ରଥମ ଥର ବ୍ଲକ ସ୍ତରରେ ଭୋଟ ଗଣତି ହେବାକୁ ଯାଉଥିବାରୁ ଭୋଟ ଗଣତି କେନ୍ଦ୍ରଗୁଡ଼ିକର ତାଲିକା ପଠାଇବାକୁ ଜିଲ୍ଲାପାଳମାନଙ୍କୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ପଞ୍ଚାୟତ ନିର୍ବାଚନର ପରିଚାଳନା ଓ ପ୍ରସ୍ତୁତି ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି ହୋଇଛି । ଷ୍ଟ୍ରଙ୍ଗରୁମ୍, ଭୋଟ ଗଣତି ସ୍ଥାନ, ସମୟ, ଗଣନା ଅଧିକାରୀଙ୍କ ନିଯୁକ୍ତି, କର୍ମଚାରୀଙ୍କୁ ପ୍ରଶିକ୍ଷଣ, ପ୍ରାର୍ଥୀଙ୍କ ଏଜେଣ୍ଟ ନିଯୁକ୍ତି, ସୁରକ୍ଷା ବ୍ୟବସ୍ଥା, ବାଲଟ ବାକ୍ସ ପରିବହନ, ଭୋଟ ଗଣତି, ପୁନଃ ଗଣତି, ବାଲଟ ପେପର ସିଲ ଆଦି ବିଷୟରେ ଗାଇଡଲାଇନରେ ଉଲ୍ଲେଖ କରାଯାଇଛି । ୨୦୧୭ ଭଳି ଚଳିତ ଥର ଭୋଟରମାନେ ବାଲଟ ପେପରେ ନିଜର ମତଦାନ ସାବ୍ୟସ୍ତ କରିବେ । ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଅଲଗା ଅଲଗା ରଙ୍ଗର ପେପର ରହିବ । ତେବେ ପ୍ରଥମ ଥର ବ୍ଲକରେ ଭୋଟ ଗଣତି ହେଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ବାଚନ କମିଶନ କହିଛନ୍ତି । ଗାଇଡଲାଇନ ଅନୁଯାୟୀ, ଗୋଟିଏ ଜିଲ୍ଲା ପରିଷଦ ଜୋନ ଅଧୀନରେ ଥିବା ସମସ୍ତ ପଞ୍ଚାୟତର ଗଣନା କ୍ରମାନ୍ୱୟରେ କରାଯିବ । ପ୍ରଥମ ଦିନ ବ୍ଲକର ପ୍ରଥମ ଜିଲ୍ଲା ପରିଷଦ ଜୋନ, ଦ୍ୱିତୀୟ ଦିନ ଦ୍ୱିତୀୟ ଜିଲ୍ଲା ପରିଷଦ ଜୋନ, ତୃତୀୟ ଦିନ ୩ ଓ ୪ ନମ୍ବର ଜୋନର ଭୋଟ ଗଣନା ହେବ । ଗୋଟିଏ ଜୋନରେ ଥିବା ସମସ୍ତ ପଞ୍ଚାୟତର ଗଣନା ପାଇଁ ଗୋଟିଏ ଲେଖାଏଁ ଟେବୁଲ ରହିବ । କେଉଁ ଟେବୁଲରେ କେଉଁ କର୍ମଚାରୀ ବସି ଗଣନା କରିବେ, ତାହା ଲଟେରୀ ଦ୍ୱାରା ନିର୍ବାଚନ ଅଧିକାରୀ ସ୍ଥିର କରିବେ । ଗୋଟିଏ ଟେବୁଲରେ ଜଣେ ସୁପର ଭାଇଜର, ୨ ଜଣ ଗଣନା କର୍ମଚାରୀ, ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିୟୋଜିତ ରହିବେ । ଏଥିସହ କେଉଁ ପଞ୍ଚାୟତ, ବୁଥକୁ କେତେ ବାଲଟ ପେପର ପଠାଯିବ, ତାହାର ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ଏକ ଫର୍ମୂଲା ନିର୍ବାଚନ କମିଶନ ସମସ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here