ମୋ ସ୍ୱାଭିମାନ ସ୍ୱଚ୍ଛ ଗଞ୍ଜାମ ; ପ୍ଲାଷ୍ଟିକ ଶୁନ୍ୟ ପ୍ରତି ଗୁରୁତ୍ୱ ,ଅକ୍ଟୋବର ମାସ ତମାମ ସ୍ୱଚ୍ଛତା ଅଭିଯାନ

0
247

ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ସାମୁହିକ ସ୍ୱଚ୍ଛତା ଦିବସ ପାଳନ କରାଯାଇ ପ୍ଲାଷ୍ଟିକର ବ୍ୟବହାରକୁ ସମ୍ପୁର୍ଣ୍ଣ ବାରଣ କରିବା ନେଇ ଏକ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ଆସନ୍ତା ଅକ୍ଟୋବର ପ୍ରଥମ ଓ ଦ୍ୱିତୀୟ ଦିନରେ ଅନୁଷ୍ଠିତ ହେବ । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ମାସ ତମାମ ପାଳନ କରାଯାଇ ରାଲି ମାଧ୍ୟମରେ ଜନ ସଚେତନତା ପାଇଁ ଅଭିଯାନ ଜାରି ରହିବ । “ମୋ ସ୍ୱାଭିମାନ ସ୍ୱଚ୍ଛ ଗଞ୍ଜାମ” ସ୍ଲୋଗାନ ନେଇ ସାମୁହିକ ପରିଷ୍କାର ଓ ପରିଚ୍ଛନ୍ନତା ସହିତ କଠିନ ଏବଂ ତରଳ ବର୍ଯ୍ୟ ବସ୍ତୁର ପ୍ରଭାବଶାଳୀ ପରିଚାଳନା ଆଭିମୁଖ୍ୟ ନେଇ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମର ସଫଳ ରୂପାୟନ ଦିଗରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଅବଗତ କରାଇଥିଲେ ଯେ, ଗ୍ରାମାଂଚଳ ଠାରୁ ଆରମ୍ଭ କରି ସହରାଂଚଳ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ସାମୁହିକ ପରିଷ୍କାର ଏବଂ ଏହାର ପରିଚାଳନା ଦିଗରେ ସମସ୍ତ ନାଗରିକ ମାନଙ୍କର ଭୂମିକା ରହିଛି । ସଚେତନ କାର୍ଯ୍ୟକୁ ବ୍ୟାପକ କରିବା ଦିଗରେ ଜିଲ୍ଲାର ବରିଷ୍ଠ ଅଧିକାରୀ ଗଣ କ୍ଷେତ୍ର ପରିଦର୍ଶନ କରି ପରିଚାଳନା କାର୍ଯ୍ୟକୁ ବ୍ୟାପକ କରିବା ସହିତ ଲୋକ ପ୍ରତିନିଧି ମାନଙ୍କୁ ଏଥିରେ ସାମିଲ୍ କରି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ସଫେଇ କାର୍ଯ୍ୟକଳାପକୁ ନିୟମିତ ଅଭ୍ୟାସରେ ପରିଣତ କରିବା ତେବେ ଯାଏଁ ସମ୍ପୁର୍ଣ୍ଣ ରୂପେ ପରିମଳ ବ୍ୟବସ୍ଥାର ସୁ ପରିଚାଳନା ହୋଇପାରିବ । ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀଗଣ ନିଜ ନିଜ ବ୍ଲକ ଏବଂ ଗ୍ରାମ ପଂଚାୟତରେ ଜନ ଅଭିଯାନ ଆୟୋଜନ କରିବେ । ସେମାନେ ଜଳଉତ୍ସ ଗୁଡିକ ଚିହ୍ନଟ କରି ସେଗୁଡିକର ସଫେଇ ଦିଗରେ ପଦକ୍ଷେପ ଗ୍ରହଣ କରିବେ । ସମସ୍ତ ପୋଖରି ନିଶ୍ଚିତ ଭାବେ ପ୍ଲାଷ୍ଟିକ ମୁକ୍ତ, ତୃଣମୁକ୍ତ ଏବଂ ଶ୍ରବ ମୁକ୍ତ ରହିବ, ସେ ଦିଗରେ ଦୃଷ୍ଟି ଦେବେ । ଜିଲ୍ଲାର ସମସ୍ତ ବ୍ଲକ ଏବଂ ଗ୍ରାମ ପଂଚାୟତ ସ୍ତରର ଅଂଶ ଗ୍ରହଣ କାରୀଗଣ ଏହାର ଏକ ଅଂଶ ଭାବେ ଉତ୍ସାହିତ ହୋଇ କାର୍ଯ୍ୟ କରିବା ନେଇ ପରାମର୍ଶ ଦେଇ ଏକ ଉତ୍ତମ ମିଶନ୍ ଅଭିଯାନରେ ଯୋଗ ଦେଇ ନିଜର ଶ୍ରମଦାନ କରନ୍ତୁ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସମସ୍ତ ବାୟୋ-ଡିଗ୍ରେଡେବଲ୍ ବର୍ଜବସ୍ତୁକୁ ଗ୍ରାମ ପଂଚାୟତ ଏବଂ ସହରାଂଚଳର ନିକଟତମ ବର୍ଜବସ୍ତୁ ପରିଚାଳନା କେନ୍ଦ୍ର (ଏମସିସି) କୁ ପରିବହନ କରାଯିବ । ଗ୍ରାମ ପଂଚାୟତ ଦ୍ୱାରା ସଂଗୃହୀତ ଅଣ ବାୟୋ-ଡିଗ୍ରେଡେବଲ୍ ବର୍ଜବସ୍ତୁ (ପ୍ଲାଷ୍ଟିକ, ପଲିଥିନ୍ ଇତ୍ୟାଦି) କୁ ପରିବହନ କରି ବ୍ଲକର ଗୋଟିଏ ସ୍ଥାନରେ ଜମା କରାଯିବ । ସହରାଂଚଳରୁ ସଂଗୃହୀତ ପ୍ଲାଷ୍ଟିକ ଗୁଡିକୁ ପୂର୍ବରୁ ଚିହ୍ନିତ ହୋଇଥିବା ସିମେଣ୍ଟ କାରାଖାନାରେ ବିକ୍ରି ହେବ । ଓଡିଆ ଭାଷାରେ ବାର୍ତ୍ତା ବ୍ଲକ ଦ୍ୱାରା ପ୍ରସ୍ତୁତ କରାଯାଇ ପ୍ରଚାର ଓ ପ୍ରସାର କରାଯିବ । ଅଭିଯାନ ସମୟରେ ସ୍ୱେଚ୍ଛାସେବୀ ମାନଙ୍କୁ ମାସ୍କ, ଗ୍ଲୋବସ୍ ଏବଂ ସାନିଟାଇଜର ଯୋଗାଇ ଦିଆଯିବ । କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ପରାମର୍ଶ ଦିଆଯାଇଛି ।
ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର ଡ. ସିଦ୍ଧେଶ୍ୱର ବଳିରାମ ବନ୍ଦୋର, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଏପିଡି ଜ୍ୟୋତି ଶଙ୍କର ରାୟ, ବ୍ରହ୍ମପୁର ଉପଜିଲ୍ଲାପାଳ ୱ, କୀର୍ତ୍ତି ଭାସନ୍‌, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଙ୍କ ସମେତ ସଂପୃକ୍ତ ବିଭାଗୀୟ ଅଧିକାରୀ ଗଣ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here