ସମ୍ଭାବ୍ୟ ବାତ୍ୟା ‘ଗୁଲାବ୍’; ବାତ୍ୟା ପୂର୍ବ ଓ ପରବର୍ତ୍ତି କାର୍ଯ୍ୟ ଖସଡା ପ୍ରସ୍ତୁତିରେ ଗଞ୍ଜାମ ଜିଲ୍ଲା ପ୍ରଶାସନ

0
279

ଛତ୍ରପୁର: ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗଙ୍କ ପୂର୍ବ ସୂଚନା ମୁତାବକ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଲଘୁଚାପର ପ୍ରଭାବରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ବାତ୍ୟାରୂପ ନେବ । ଏଥିନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆଶୁ ପଦକ୍ଷେପ ବ୍ୟବସ୍ଥା କରାଯାଇ ବାତ୍ୟାର ପୂର୍ବ ଓ ପରବର୍ତ୍ତି କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇ ଅଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଗତ ବିଳମ୍ବିତ ରାତିରେ ଜୁମ୍ ଭିସି ଏବଂ ଆଜି ଶନିବାର ପୂର୍ବାହ୍ନ ସମୟରେ ଓସ୍ବାନ୍ ହଲ୍ ରେ ଆଭାସୀ ବୈଠକରେ ସମସ୍ତଙ୍କୁ ସଜାଗ ରହିବା ନେଇ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଅଧିକରୁ ଅତ୍ୟଧିକ ବର୍ଷା ହେବା ସହିତ ପବନର ବେଗ ୭୦ ରୁ ୯୦ ମଧ୍ୟରେ ରହିବାର ସମ୍ଭାବନା ଯୋଗୁଁ ଗଞ୍ଜାମ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏଥିଯୋଗୁ ଆଗାମୀ ୨୬ ଏବଂ ୨୭ ତାରିଖରେ ସମ୍ଭାବ୍ୟ ବାତ୍ୟା
ଗୁଲାବ୍ (GUL-AAB) ର ପ୍ରଭାବ ରହିବ । ପୂର୍ବ ବର୍ଷାରେ ଭୂମିର ଜଳ ସ୍ତର ସମ୍ପୂର୍ଣ୍ଣ ହୋଇଥିବା ହେତୁ ଭୂମି କୁ ଜଳ ପ୍ରବେଶ ନ କରିପାରି ବନ୍ୟାର ସ୍ଥିତି ଦେଖାଯିବାର ସମ୍ଭାବନା ରହିଛି । ବିଶେଷକରି ସ୍ଥାନେ ସ୍ଥାନେ ଖାଲୁଆ ଅଞ୍ଚଳ ଗୁଡିକରେ ଜଳ ମଗ୍ନ ହୋଇ ରହିବ । କଚ୍ଚା ରୋଡ୍, କଚ୍ଚା ଘର ବା କଚ୍ଚା କାନ୍ଥ ଧସିଯିବା ସମ୍ଭାବନା ରହିଛି । ଅଣ୍ଡର ପାସ୍ ରାସ୍ତାରେ ଜଳମଗ୍ନ ହୋଇ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହେବ । ନଦୀର ଜଳ ସ୍ତର ବୃଦ୍ଧି ହୋଇ ବନ୍ୟାସ୍ଥିତି ଦେଖାଯିବ । ଧାନଚାଷ ସମେତ ପନିପରିବା ଚାଷ ଜମିରେ ଜଳ ମଗ୍ନ ଓ ବାଲିଚର ମାଡିବାର ସମ୍ଭାବନା ରହିଛି । ଏ ସମସ୍ତ କାରଣ ଯୋଗୁଁ ପ୍ରଶାସନକୁ ପୂର୍ବ ପ୍ରସ୍ତୁତି କରିବା ସହିତ ବାତ୍ୟା ପରବର୍ତ୍ତି କାର୍ଯ୍ୟ ଖସଡା ପ୍ରସ୍ତୁତ କରି ରହିବାକୁ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଜଣାଇଛନ୍ତି । ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ଆଗାମୀ ୪/୫ ଦିନ ପର୍ଯ୍ୟନ୍ତ ନିଜ ନିଜର ସଦର ମହକୁମାରେ ରହିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇ ଅଛି । ରବିବାର ଏବଂ ସୋମବାର ଏହି ଦୁଇ ଦିନ ଗୋପାଳପୁର, ସୋନପୁର ସମେତ ସମୁଦ୍ର ଅଞ୍ଚଳକୁ ବୁଲିଯିବା ନିମନ୍ତେ ଲୋକଙ୍କୁ ବାରଣ କରାଯାଇଅଛି । ମତ୍ସ୍ୟଜୀବୀ ମାନଙ୍କୁ ମଧ୍ୟ ସମୁଦ୍ର ମଧ୍ୟକୁ ନ ଯିବାପାଇଁ ସତର୍କ କରାଇ ଦିଆଯାଇଅଛି । ଜିଲ୍ଲା ସ୍ତରରୁ ଆରମ୍ଭ କରି ବ୍ଲକ୍ ସ୍ତର ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲି ତାର ଯୋଗଯୋଗ ନମ୍ବର ଜାରି କରାଯିବାକୁ କୁହାଯାଇଅଛି । ଶତକଡା ୧୦୦ ପ୍ରତିଶତ ବର୍ଷା ହେବ । ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଭାରପ୍ରାପ୍ତ ଥାନା ଅଧିକାରୀ, ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ କୁ ସଜାଗ କରି ରଖିବାକୁ କୁହାଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀଗଣ ନିଜ ଅଞ୍ଚଳର ସୁରକ୍ଷା ଦିଗରେ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ ସମ୍ପାଦନ କରିବେ । ନଦୀ ଓ ପୋଖରୀରେ ଜଳ ସ୍ତର ବୃଦ୍ଧି ହେବା ହେତୁ ସେଥିରେ ଗାଧୋଇବା ନିମନ୍ତେ ଜନ ସାଧାରଣଙ୍କୁ ବାରଣ କରାଯାଇଅଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଣ ନିଜ ନିଜ ଅଞ୍ଚଳର ଲୋକ ପ୍ରତିନିଧି ମାନଙ୍କୁ ନେଇ ବୈଠକ ଦ୍ବାରା ସଚେତନତା ଏବଂ ଉଦ୍ଧାର କାର୍ଯ୍ୟକୁ ବ୍ୟାପକ କରିବାକୁ କୁହାଯାଇଛି । ବିପଦଶଙ୍କୁଳ ଅବସ୍ଥାରେ ରହିଥିବା ରାସ୍ତାଘାଟ, କୋଠାବାଡି, ମାଟିଘର, ଚାଳଘର ଗୁଡିକ ଚିହ୍ନଟ କରି ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳ କିମ୍ବା ଉଚ୍ଚ ସ୍ଥାନରେ ଥିବା ବିଦ୍ୟାଳୟ ମାନଙ୍କରେ ସ୍ଥାନାନ୍ତର କରି ସେମାନଙ୍କର ରହିବା, ଖାଇବା ଓ ପାନୀୟ ଜଳର ବ୍ୟବସ୍ଥା କରିବାକୁ କୁହାଯାଇଛି । ତଳିଆ ଏବଂ ବିପଦ ଅଞ୍ଚଳରେ ରହୁଥିବା ଗର୍ଭବତୀ ମହିଳା ମାନଙ୍କୁ ସୁରକ୍ଷିତ ସ୍ଥାନ କିମ୍ବା ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି । ବାତ୍ୟା ଏବଂ ବନ୍ୟା ରୋଗରୁ ସୁରକ୍ଷିତ ସକାଶେ ଔଷଧ ଓ ହାଲୋଜେନ୍ ବଟିକା ପୂର୍ବ ପ୍ରସ୍ତୁତି କରି ରଖିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଚୁଡା ଗୁଡ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଯୁଦ ସକାଶେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ କୁହାଯାଇଛି । ପୂର୍ବ ଅଭିଜ୍ଞତାକୁ ଆଧାର କରି ଜଳମଗ୍ନ ଅଞ୍ଚଳର ଲୋକଙ୍କୁ ଉଦ୍ଧାର କରିବା ସକାଶେ ରବର ବୋଟ୍ ର ପ୍ରସ୍ତୁତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପଶୁ ସମ୍ପଦର ସୁରକ୍ଷା ସକାଶେ ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ନେଇ ଜଣାଇବାକୁ କୁହାଯାଇଛି । ଡ୍ୟାମ୍, ନଦୀ ଗୁଡିକର ଜଳ ସ୍ତର ପ୍ରତି ଦୃଷ୍ଟି ରଖି ଜଳର ପରିଚାଳନା ନେଇ କାର୍ଯ୍ୟ ଖସଡା ଦିଗରେ ପୂର୍ବ ପ୍ରସ୍ତୁତି କରିବାକୁ ସଂପୃକ୍ତ ନିର୍ବାହୀ ଯନ୍ତ୍ରୀ ମାନଙ୍କୁ କୁହାଯାଇଛି । ଜିଲ୍ଲାର କୌଣସି ଜନଜୀବନ କ୍ଷୟକ୍ଷତି ହେବ ନାହିଁ ଜିରୋ କାଜୁଆଲିଟି ରହିବ ସେ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।
ଶନିବାର ଅନୁଷ୍ଠିତ ଆଭାସୀ ବୈଠକରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଲାଇନ୍ ବିଭାଗୀୟ ସମସ୍ତ ଅଧିକାରୀ ଏବଂ କର୍ମଚାରୀଗଣ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here