ଫିଙ୍ଗର ପ୍ରିଣ୍ଟ ଓ ଆଇ ସ୍କାନ ନେଉନଥିବା ହିତାଧିକାରୀଙ୍କ ବିକଳ୍ପ ବ୍ୟବସ୍ଥା କରାଯାଉ

0
266

ବୁଗୁଡା : ଗରିବ, ଅସହାୟ ଓ ଭିନ୍ନକ୍ଷମ ମାନଙ୍କୁ ଭୋକିଲା ନରଖିବା ପାଇଁ ସରକାର ମାଗଣା ଓ ଟଙ୍କାକିଆ ଚାଉଳ ଯୋଗାଉ ଥିବା ବେଳେ ବିଭିନ୍ନ ପଞ୍ଚାୟତର ବହୁ ହିତାଧିକାରୀଙ୍କ ଫିଙ୍ଗର ପ୍ରିଣ୍ଟ ଓ ଆଇ ସ୍କାନ ନେଉନଥିବା ଯୋଗୁଁ ଚାଉଳ ପାଇନପାରି ଭୋକ ଉପାସରେ ରହୁଥିବା ଜଣାପଡିଛି। ପଞ୍ଚାୟତ ଅଫିସରେ ହିତାଧିକାରୀ ପାଉଥିବା ଚାଉଳ ନେବାପାଇଁ ଫିଙ୍ଗର ପ୍ରିଣ୍ଟ ଓ ଆଇ ସ୍କାନ ବ୍ୟବସ୍ଥା ହୋଇଅଛି। ଏହି ବ୍ୟବସ୍ଥା ଏକ ଉତ୍ତମ ବ୍ୟବସ୍ଥା ହୋଇଥିବା ବେଳେ ଯେଉଁମାନଙ୍କ ଫିଙ୍ଗର ପ୍ରିଣ୍ଟ ଓ ଆଇ ସ୍କାନ ନେଉନାହିଁ ସେମାନଙ୍କୁ ଚାଉଳ ମିଳିପାରୁନାହିଁ। ଅତ୍ୟନ୍ତ ଦୁଃଖଦ ଘଟଣା ଏହିଯେ ସେହି ହିତାଧିକାରୀମାନେ ହେଉଛନ୍ତି ସମସ୍ତଙ୍କ ଠାରୁ ଅତ୍ୟନ୍ତ ଦୟନୀୟ । ବୟସ୍କ ବ୍ୟକ୍ତିଙ୍କ ଫିଙ୍ଗର ପ୍ରିଣ୍ଟ ନେଉ ନଥିବା ବେଳେ ଆଖିରେ ପରଳ ମାଡି ଯାଇଥିବା ଯୋଗୁଁ ଆଇ ସ୍କାନ ମଧ୍ୟ ହୋଇପାରୁ ନାହିଁ। ଏହିପରି ହିତାଧିକାରୀ ପ୍ରାୟ ସମସ୍ତ ପଞ୍ଚାୟତରେ ରହିଥିବା ବେଳେ ବିକଳ୍ପ ବ୍ୟବସ୍ଥା ହୋଇ ନଥିବା ଯୋଗୁଁ ଚାଉଳ ପାଇନପାରି ଭୋକ ଉପାସରେ ରହୁଥିବା ଅଭିଯୋଗ ହୋଇଛି। ମାଣିତର ଗ୍ରାମର ଖଳାଦଣ୍ଡା ସାହିର ହରିଜନ ବୃଦ୍ଧା ମହିଳା କମା ନାଇକ ଅଭିଯୋଗ ଆଣିଛନ୍ତିଯେ ଚାଉଳ ନମିଳିବା ଯୋଗୁଁ ସେ ଭୋକ ଉପାସରେ ରହି ମାଗିକରି ଖାଉଛନ୍ତି। ଅଭିଯୋଗ ପରେ ମାଣିତରା ପଞ୍ଚାୟତରେ ଏହି ଦାୟିତ୍ୱରେ ଥିବା କର୍ମଚାରୀ ଙ୍କ ସହ ଯୋଗାଯୋଗ ବେଳେ ସେ ପ୍ରକାଶ କରିଥିଲେଯେ କମା ନାଇକଙ୍କ ଫିଙ୍ଗର ପ୍ରିଣ୍ଟ ଓ ଆଇ ସ୍କାନ ଉଭୟ ବ୍ୟବସ୍ଥା ହୋଇ ପାରିନଥିବା ଯୋଗୁଁ ସରକାରୀ ନିର୍ଦ୍ଦେଶ ପ୍ରକାରେ ଚାଉଳ ଦିଆଯାଇ ନାହିଁ। ମାଣିତରା ପଞ୍ଚାୟତରେ ଏହିପରି ଚାଉଳ ପାଇପାରୁନଥିବା ହିତାଧିକାରୀଙ୍କ ସଂଖ୍ୟା ୨୦ ଜଣରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ବୁଗୁଡା ବ୍ଲକର ସମସ୍ତ ପଞ୍ଚାୟତରେ ଶତାଧିକ ହତାଧିକାରୀ ଚାଉଳ ପାଇପାରୁନଥିବା ଜଣା ପଡ଼ିଛି। ଏନେଇ କଣ ବ୍ୟବସ୍ଥା ହୋଇଛି ଜାଣିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ବୁଗୁଡା ବିଡ଼ିଓ ଏବଂ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରି ନଥିଲା। ସରକାରଙ୍କ ଏହି ଜନପ୍ରିୟ ଯୋଜନାର ସୁଫଳ ପାଇବା ପାଇଁ ଫିଙ୍ଗର ପ୍ରିଣ୍ଟ ଓ ଆଇ ସ୍କାନ ନେଉନଥିବା ହିତାଧିକାରୀଙ୍କ ପାଇଁ ଯୁଦ୍ଧକାଳୀନ ଭିତ୍ତରେ ବିକଳ୍ପ ବ୍ୟବସ୍ଥା ପାଇ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here