୭୫ତମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ରେ କୋଭିଡ୍ ସମୟରେ ତଳସ୍ତରରୁ ଉତ୍ତମ ସେବା ପ୍ରଦାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯିବ – ଜିଲ୍ଲାପାଳ

0
256

ଛତ୍ରପୁର: ଚଳିତ ବର୍ଷ ଜିଲ୍ଲା ସ୍ତରୀୟ 75ତମ ସ୍ବାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଭାସୀ ମାଧ୍ୟମରେ ଶନିବାର ଦିନ ଅନୁଷ୍ଠିତ ହୋଇୟାଇଛି । ଏହି ବୈଠକରେ ଅଧ୍ୟକ୍ଷତା କରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜଣାଇଥିଲେଯେ, କୋଭିଡ୍ ର ବିପତ୍ତି ସମୟରେ ନିଜ ଜୀବନ ପ୍ରତି ଖାତିର ନ କରି ଜିଲ୍ଲାର ଅନେକ ବ୍ୟକ୍ତି ବିଶେଷ ସେବା ପ୍ରଦାନ କରିଛନ୍ତି । ଯାହାକି ଚିରସ୍ମରଣୀୟ ଓ ସେମାନେ ସାଧୁବାଦର ପାତ୍ର । ସେହିଭଳି ବ୍ୟକ୍ତି ବିଶେଷଙ୍କ ଉତ୍ତମ ସେବା ନିମନ୍ତେ ସମ୍ମାନୀତ କରିବା ଆବଶ୍ୟକତା ରହିଛି । ଏଣୁକରି ଚଳିତ ବର୍ଷର 75ତମ ସ୍ବାଧୀନତା ଦିବସ ଅବସରରେ ଉକ୍ତ ବ୍ୟକ୍ତି ବିଶେଷଙ୍କୁ ଚୟନ କରାଯାଇ ଜିଲ୍ଲା ସ୍ତରୀୟ ଉତ୍ସବରେ ସମ୍ମାନୀତ କରାଯିବ । ଏଥି ସକାଶେ ସମସ୍ତ ବିଭାଗର ଅଧିକାରୀ ମାନଙ୍କ ଠାରୁ ତାଲିକା ସଂଗ୍ରହ କରିବା ନିମନ୍ତେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଚଳିତ ବର୍ଷ ପୋଲିସ୍ ଦଳଙ୍କ ଦ୍ବାରା ଅଭିବାଦନ ଗ୍ରହଣ ଏବଂ ପ୍ୟାରେଡ୍ ପରିଚାଳନା କରାଯିବ । ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଗଣ ଚଳିତ ବର୍ଷର ପ୍ୟାରେଡ୍ ରେ ଅଂଶ ଗ୍ରହଣ କରିବେ ନାହିଁ । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ସ୍ବାଧୀନତା ଦିବସ ଦିନ ପୂର୍ବାହ୍ନ ଘ.07.30ମି. ସମୟରେ ଏବଂ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ପୂର୍ବାହ୍ନ ଘ.08.00ମି. ସମୟରେ କୋଭିଡ୍ ନିୟମ ଅନୁପାଳନ କରି ଜାତୀୟ ପତାକା ଉତ୍ତୋଳନ କରିବେ । ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ/ଅଧ୍ୟକ୍ଷା, ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ, ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀଗଣ ଏବଂ ତିନିଜଣ ଛାତ୍ର/ଛାତ୍ରୀଙ୍କୁ ନେଇ ଜାତୀୟ ସଙ୍ଗୀତ ଗାନ ପୂର୍ବକ ଜାତୀୟ ପତାକା ଉତ୍ତୋଳନ କରି ଉତ୍ସବଟିକୁ ପାଳନ କରିବେ । ଉକ୍ତଦିନ ପୂର୍ବାହ୍ନ ଘ.09.15ମି. ସମୟରେ ଛତ୍ରପୁର ସ୍ଥିତ ପୋଲିସ୍ ପ୍ୟାରେଡ୍ ପଡିଆ ଠାରେ ମୁଖ୍ୟ ଅତିଥିଙ୍କ ଦ୍ବାରା ଅଭିବାଦନ ଗ୍ରହଣ ପୂର୍ବକ ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ କରାଯିବ । ଜନ ପ୍ରତିନିଧି, ସମସ୍ତ ସରକାରୀ କର୍ମଚାରୀ, ଅଧିକାରୀ, ସହରର ମାନ୍ୟଗଣ୍ୟ ବ୍ୟକ୍ତି ଓ ସାମ୍ବାଦିକ ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ଚଳିତ ବର୍ଷର ପ୍ୟାରେଡ୍ ଅନୁଷ୍ଠିତ ହେବା ନିମନ୍ତେ ସ୍ଥିର କରାଗଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ପୋଲିସ୍ ପ୍ରଶାସନ, ବିଜ୍ଞାପିତ ଅଞ୍ଚଳ ପରିଷଦ ଛତ୍ରପୁର, ରାସ୍ତା ଓ କୋଠାବାଡି ବିଭାଗ, ଅଗ୍ନିଶମ ବିଭାଗ, ଜନସ୍ବାସ୍ଥ୍ୟ ବିଭାଗ ର ମିଳିତ ଉଦ୍ୟମ ଦ୍ବାରା ଚଳିତ ବର୍,ର ଉତ୍ସବ ପାଳିତ ହେବ । ପ୍ୟାରେଡ୍ ଅଭ୍ୟାସ, ରାମଧୂନ୍, ପ୍ୟାରେଡ୍ ପଡିଆ ଓ ଏହାର ଚତୁଃପାର୍ଶ୍ବ ସଫେଇ, ନିମନ୍ତ୍ରଣ ପତ୍ର ଆବଣ୍ଟନ, ଉତ୍ତମ ସେବା ୟୋଗାଇ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ ଇତ୍ୟାଦି ସମ୍ପର୍କିତ ସବିଶେଷ ଆଲୋଚନା କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ବିଭିନ୍ନ ପ୍ରସ୍ତାବମାନ ଉପସ୍ଥାପନ ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।
ବୈଠକରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଲୀନା କୁମାରୀ ଖେସ୍, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମାନସ ରଞ୍ଜନ ମହାନ୍ତି, ଡି.ଏସ୍.ପି. ଡି.ଆଇ.ବି. ଅଜୟ କୁମାର ମିଶ୍ର, ସର୍ଜେଣ୍ଟ ସଞ୍ଜୟ କୁମାର ବାରିକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଛତ୍ରପୁର କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍. ଗଣେଶ, ରାସ୍ତା ଓ କୋଠାବାଡି ବିଭାଗର ଭାରପ୍ରାପ୍ତ ଉପଖଣ୍ଡ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ଶତପଥୀ, ଜିଲ୍ଲା ଇ-ଗଭର୍ଣ୍ଣାନ୍ସ ପରିଚାଳକ ଗୁରୁ ପ୍ରସାଦ ଦୋରା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here