ଖଲ୍ଲିକୋଟ ସିପିଆଇ କାର୍ଯ୍ୟାଳୟ ଶାଖା ଠାରେ ସାମ୍ବାଦିକ ସମ୍ମିଳନୀ ; ଖଲ୍ଲିକୋଟ ବ୍ଳକରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ କଲା ସିପିଆଇ

0
280

ଖଲ୍ଲିକୋଟ -(ନ୍ୟୁଜଏକ୍ସଟ୍ରା) ଖଲ୍ଲିକୋଟ ବ୍ଳକରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ଭାରତୀୟ କମ୍ୟୁନିଷ୍ଟ ପାର୍ଟି । ଆଜି ଅପରାହ୍ନରେ ସିପିଆଇ ଖଲ୍ଲିକୋଟ ଶାଖା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ଖଲ୍ଲିକୋଟ ବ୍ଳକ ପ୍ରଶାସନ ବିରୋଧରେ ଦୁର୍ନୀତିର ଲମ୍ବା ତାଲିକା ଉପସ୍ଥାପନ କରାଯାଇଛି ।ଖଲ୍ଲିକୋଟ ବ୍ଳକ ବର୍ତ୍ତମାନ ଦୁର୍ନୀତିର କେନ୍ଦ୍ର ସ୍ଥଳୀରେ ପରିଣତ ହୋଇଛି ।ସରକାରଙ୍କ ପ୍ରତ୍ୟେକ ଯୋଜନାରେ ନିୟମ କାନୁନ କୁ ବେଖାତିର କରି କୋଟି କୋଟି ଟଙ୍କା ହଡପ କରାଯାଉଥିବା ଅଭିଯୋଗ କରିଛି ସିପିଆଇ । କରନା ସମୟରେ ଖଲ୍ଲିକୋଟ ଅଞ୍ଚଳକୁ ହଜାର ହଜାର ପ୍ରବାସୀ ଓଡ଼ିଆ ବାହାର ରାଜ୍ୟରୁ କାମଧନ୍ଦା ନପାଇ ଭିଟାମାଟି କୁ ଫେରିଥିବା ବେଳେ ଏଠାରେ ସେମାନଙ୍କୁ ମନରେଗା ଯୋଜନାରେ କାମ ମଧ୍ୟ ଯୋଗାଇ ଦିଆ ଯାଇ ନ ଥିଲା । ଫଳରେ ସେମାନେ ପୁଣି ବାହାର ରାଜ୍ୟକୁ ଫେରି ଯିବାକୁ ବାଧ୍ୟ ହୋଇଥିଲେ । ମନରେଗା ଯୋଜନାରେ ମାଟି ଖୋଳା କାର୍ଯ୍ୟରେ ମେସିନ ବ୍ୟବହାର କୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ବେଳେ ଖଲ୍ଲିକୋଟ ବ୍ଳକରେ ଗାଁ ଗାଁରେ ମେସିନ ସାହାଯ୍ୟରେ ପୋଖରୀ ଖୋଳା କାର୍ଯ୍ୟ ବେଧଡକ ଚାଲିଥିବା ଦଳ ପକ୍ଷରୁ କୁହାଯାଇଛି । ଆଇତିପୁର ପଞ୍ଚାୟତର ବଡ଼ଖେତା ଗ୍ରାମରେ ପୋଖରୀ ମେସିନ ଦ୍ଵାରା ଖୋଳି ମାଟି କୁ ମଧ୍ୟ ବିକ୍ରି କରାଯାଇଛି । ଉକ୍ତ ପଂଚାୟତର ଓସ୍ତାପଡା ଗ୍ରାମରେ ଥିବା ନୂଆଁ ପଦ୍ମତୋଳା ପୋଖରୀ ମଧ୍ୟ ଜେସିବି ଦ୍ଵାରା ଖୋଳା ଯାଇଥିବା ଅଭିଯୋଗ ହୋଇଛି । ବାଦପଲ୍ଲୀ ପଂଚାୟତର ସରପଞ୍ଚ ତଥା ଗ୍ରାମସଭା କୁ ବେଖାତିର କରି ଦିନ ଦିପହରରେ ମେସିନ ଦ୍ବାରା ମାଟି ଖୋଳା ଯାଇଛି । ଗତ ଦୁଇ ବର୍ଷ ମଧ୍ୟରେ ବ୍ଳକ ର ଅଧିକାଂଶ ପଂଚାୟତରେ ସାମାଜିକ ବନୀକରଣ ତଥା ବୃକ୍ଷ ରୋପଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଗୋଟିଏ ବି ସ୍ଥାନରେ ନୂତନ ବନୀକରଣ ହୋଇଥିବା ନଜର କୁ ଆସୁନାହିଁ । ତୁରନ୍ତ ଏହି ସବୁ ଦୁର୍ନୀତିର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ପାର୍ଟି ପକ୍ଷରୁ ଆଗାମୀ ଦିନରେ ବ୍ୟାପକ ଗଣ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପାର୍ଟିର ଆଞ୍ଚଳିକ ସମ୍ପାଦକ କନ୍ଧ ପ୍ରଧାନ, ସହ ସମ୍ପାଦକ ଦୁର୍ଗା ଚରଣ ପାତ୍ର, ଆଇନଜୀବୀ ସୀମାଞ୍ଚଳ ବେହେରା, କ୍ଷେତ ମୂଲିଆ ୟୁନିଅନ ରାଜ୍ୟ ଯୁଗ୍ମ ସମ୍ପାଦକ ରଘୁନାଥ ଗୌଡ଼, ଜିଲ୍ଲା ସମ୍ପାଦକ ବିଦ୍ୟାଧର ବେହେରା, ଡିମିରିଆ ସରପଞ୍ଚ ମନୋଜ କୁମାର ଗୌଡ଼, ଆଦିବାସୀ ନେତା ଗୁରୁଦେବ ଯାନୀ, ବି.କେ.ଏମ୍. ୟୁ. ଅଞ୍ଚଳ ସମ୍ପାଦକ ରବି ସ୍ବାଇଁ, ଜଗବନ୍ଧୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here