ବୁଗୁଡା ଗସ୍ତରେ ପର୍ଯ୍ୟଟନ ଓ ସାଂସ୍କୃତିକ ରାଷ୍ଟ୍ରମନ୍ତ୍ରୀ

0
307

ବୁଗୁଡା : ଓଡ଼ିଶା ସରକାରଙ୍କ ମାନ୍ୟବର ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଜୁଲାଇ ୦୮ ତାରିଖ ଦିନ ପୋଲସରା ନିର୍ବାଚନ ମଣ୍ତଳୀ ଗସ୍ତରେ ଆସି ୩ ଗୋଟି ପର୍ଯ୍ୟଟନ କ୍ଷେତ୍ର, ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର, କାଷ୍ଠ କୋଣାର୍କ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିର ଓ ଶୈବପୀଠ ବୁଦ୍ଧଖୋଲ ପରିଦର୍ଶନ କରି ସମୀକ୍ଷା କରିବା ସହ ଆହୁରି ସୌନ୍ଦର୍ଯ୍ୟ କରଣ ଓ ଉନ୍ନତି ପାଇଁ ଆର୍ଥିକ ଅନୁଦାନ ପ୍ରଦାନ କରିବାପାଇଁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ଏକଦା ପୁରୀ ଶ୍ରୀମନ୍ଦିରକୁ ଆକ୍ରମଣ ସମୟରେ ଜଗତ ଠାକୁର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଙ୍କୁ ପୋଲସରା ବ୍ଲକ ମଥୁରା ପଞ୍ଚାୟତର ଜଙ୍ଗଲ ମଧ୍ୟରେ ଆଠଗଡ଼ ରାଜାଙ୍କ ସହଯୋଗରେ ଗୋପନରେ ରଖି ପ୍ରତ୍ୟେହ ପୂଜାର୍ଚ୍ଚନା କରାଯାଉଥିଲା। ସେହି ପବିତ୍ର ସ୍ଥାନ ବର୍ତ୍ତମାନ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ଭାବେ ପରିଚିତ। ସେହି ପବିତ୍ର ପର୍ଯ୍ୟଟନ କ୍ଷେତ୍ରକୁ ପ୍ରଥମେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଆସିଥିବା ବେଳେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ। ଶରଣ ଶ୍ରୀକ୍ଷେତ୍ର ପରିଦର୍ଶନ ପରେ ମନ୍ତ୍ରୀ ,ସାଂସଦ ଓ ବିଧାୟକ ବୁଗୁଡା ସହରରେ ଭଞ୍ଜ ରାଜବଂଶ ଦ୍ୱାରା ପ୍ରତିଷ୍ଠିତ ଦ୍ଵିତୀୟ ଅର୍କକ୍ଷେତ୍ର ବା କାଷ୍ଠ କୋଣାର୍କ ଭାବେ ପରିଚିତ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିର ପରିଦର୍ଶନରେ ପହଁଞ୍ଚିଥିଲେ। ସୂର୍ଯ୍ୟ ମନ୍ଦିରର କାଠର କାରୁକାର୍ଯ୍ୟ ଦେଖିବା ସହ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିରର ଅଭାବ ଅସୁବିଧା ଓ ଉନ୍ନୟନ ପାଇଁ ମହନ୍ତ ରାମାନୁଜ ଦାସଙ୍କ ସହ ଆଲୋଚନା କରି ଉନ୍ନୟନ ପାଇଁ ଅର୍ଥ ଦେବାପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ସେଠାରୁ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିର ସମ୍ମୁଖ ଅଳ୍ପ ଦୂରରେ ଥିବା ଶ୍ରୀ ବଳଦେବ ଜୀଉ ମନ୍ଦିର ଦର୍ଶନ କରି ପୂଜକମାନଙ୍କ ସହ ଆଲୋଚନା କରିଥିଲେ। ଏହାପରେ ତିନିହେଁ ବୁଗୁଡା ଠାରୁ ୩ କିଲୋମିଟର ଦୂରରେ ଅବସ୍ଥିତ ପ୍ରସିଦ୍ଧ ପଞ୍ଚଶମ୍ଭୁ ପୀଠ ତଥା ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ବୁଦ୍ଧଖୋଲ ପରିଦର୍ଶନ କରିଥିଲେ। ସେଠାରେ ବିଧାୟକ ତଥା ବୁଦ୍ଧଖୋଲ ଉନ୍ନୟନ ସମିତିର ସଭାପତି ଶ୍ରୀକାନ୍ତ ସାହୁ ଓ ସାଂସଦ ଶ୍ରୀମତୀ ବିଷୋୟୀଙ୍କ ଉପସ୍ଥିତିରେ ମାନ୍ୟବର ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ବୁଦ୍ଧଖୋଲ ଉନ୍ନୟନ ସମିତି ପକ୍ଷରୁ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ, ଧରଣୀଧର ପଣ୍ଡା, ଉପସଭାପତି ବିଶ୍ଵମୋହନ ମିଶ୍ର, ବିଧାୟକ ପ୍ରତିନିଧି କେ.ତ୍ରିଲୋଚନ ଦୋରା, ପ୍ରାକ୍ତନ କାଉନସିଲର ସୁଧାଂଶୁ ଶେଖର ପାଢ଼ୀ, ଡିଲେଶ୍ବର ପାତ୍ର, ଏ.ଚନ୍ଦନ ଚର୍ଚ୍ଚିତ ପାତ୍ର, ଗୋପୀନାଥ ସ୍ବାଇଁ, ନିଳାମ୍ବର ବିଷୋୟୀ, ଗଙ୍ଗାଧର ବିଷୋୟୀ ପ୍ରମୁଖ କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ଅନୁରୋଧ ପତ୍ର ପ୍ରଦାନ କରିବା ସହ ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ପାଇଁ ଆଲୋଚନା କରିଥିଲେ। ମନ୍ତ୍ରୀ ମହୋଦୟ ବୁଦ୍ଧଖୋଲର ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିମୁଗ୍ଧ ହୋଇ ଭାବବିହ୍ଵଳ ହୋଇଯାଇଥିଲେ। ବୁଦ୍ଧଖୋଲର ଉନ୍ନୟନ ପାଇଁ ଆର୍ଥିକ ଅନୁଦାନ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ। ଜିଲ୍ଲାର ପର୍ଯ୍ୟଟନ ଓ ସାଂସ୍କୃତିକ ବିଭାଗର ଅଧିକାରୀ ମାନଙ୍କ ସହ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here