ବଣଭୋଜି ପାଲଟିଲା ରଣକ୍ଷେତ୍ର: ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ୍ୟୁ, ୩ ଗୁରୁତର

0
262

ପୋଲସରା : ବଣଭୋଜି ପାଲଟିଲା ରଣକ୍ଷେତ୍ର । ସାମାନ୍ୟ ବଚସାରୁ ଗୋଷ୍ଠୀ ସଂଘର୍ଷ ଘଟି ଜଣେ ମୃତ୍ୟୁ ବରଣ କରିଥିବା ବେଳେ ୩ ଜଣ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି । ଖବର ସୂଚନା ପ୍ରକାରେ ପୋଲସରା ଥାନା ଅନ୍ତର୍ଗତ ମଧୁପଲ୍ଲୀ ପଞ୍ଚାୟତର କିଛି ଯୁବକ ଓ ପୋଲସରା ଏନ୍.ଏ.ସି ନିଗମାନନ୍ଦ ନଗର ଓ ମିଲ୍ ସାହିର କିଛି ଯୁବକ ଗୋଛାବାଡି ପଞ୍ଚାୟତ ଧନେଇ ଡ଼୍ୟାମ୍ ନିକଟସ୍ଥ ରାଇମାଳ ମନ୍ଦିର ଠାରେ ଭିନ୍ନଭିନ୍ନ ବଣ ଭୋଜୀ କରିଥିଲେ । ଉଭୟ ଗୋଷ୍ଠୀ ରାଇମାଳ ମନ୍ଦିର ନିକଟରେ ପାଖାପାଖି ଭୋଜୀର ଆୟୋଜନ କରିଥିଲେ । କୌଣସି କାରଣ ବଶତଃ ପ୍ରଥମେ ଉଭୟଙ୍କ ମଧ୍ୟରେ ବଚାସା ଆରମ୍ଭ ହୋଇଥିଲା । ପରେ ଉକ୍ତ ବଚାସାକୁ ନେଇ ଉଭୟଙ୍କ ମଧ୍ୟରେ ଭୀଷଣ ଗୋଣ୍ଡୋଗଳ ହୋଇଥିଲା । ପୋଲସରା ଏନ୍.ଏ.ସିର ଯୁବକ ମାନେ ସଂଘବଦ୍ଧ ଭାବେ ମଧୁପଲ୍ଲୀ ଯୁବକ ମାନଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ମଧୁପଲ୍ଲୀ ପଞ୍ଚାୟତର ବାବୁଲା ପ୍ରଧାନ, ରାଧାଶ୍ୟାମ ପ୍ରଧାନ, ପ୍ରସନ୍ନ ପ୍ରଧାନ, ସନ୍ୟାସୀ ପୋଲେଇ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଗ୍ରାମବାସୀ ଙ୍କ ସହାୟତାରେ ଗୁରୁତର ୪ ଜଣଙ୍କୁ ପ୍ରଥମେ ପୋଲସରା ମେଡ଼ିକାଲରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରିଥିଲେ । ହେଲେ ଅତି ଗୁରୁତର ଅବସ୍ଥାରେ ପୋଲସରା ମେଡ଼ିକାଲ କୁ ଚିକିତ୍ସା ପାଇଁ ଆସିଥିବା ବାବୁଲା ପ୍ରଧାନଙ୍କ ପୋଲସରା ମେଡ଼ିକାଲରେ ହିଁ ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲସରା ମେଡ଼ିକାଲ ରେ ମଧୁପଲ୍ଲୀ ପଞ୍ଚାୟତର ବହୁ ଗ୍ରାମବାସୀଙ୍କ ଗହଳି ଦେଖିବାକୁ ମିଳିଥିଲା । ସେହିପରି ରାଧାଶ୍ୟାମ ପ୍ରଧାନ ଓ ସନ୍ୟାସୀ ପୋଲେଇ ଅତି ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ ହୋଇଥିଲେ । ସପ୍ତାହାନ୍ତ ଲଗ୍ ଡାଉନ୍ ସମୟରେ ଉଭୟ ଗୋଷ୍ଠୀ ପୋଲସରା ଠାରୁ ୧୫ କିଲୋମିଟର ଦୂରକୁ ଯାଇ ବଣ ଭୋଜୀ କରିବା ମୃତ୍ୟୁର କାରଣ ହୋଇଛି । ଯାହାକୁ ନେଇ ପୋଲସରା ପୋଲିସ ମେଡ଼ିକାଲ ରେ ପହଞ୍ଚି ଶବ ଜବତ କରିବା ସହ ଉକ୍ତ ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ଉକ୍ତ ଗୋଷ୍ଠୀ ସଂଘର୍ଷ କୁ ନେଇ ମଧୁପଲ୍ଲୀ ପଞ୍ଚାୟତରେ ତ୍ରୀବ୍ର ଉତ୍ତେଜନା ଦେଖିବାକୁ ଥିବାବେଳେ ପୁରୁଷୋତ୍ତମପୁର ଏସ୍ ଡିପିଓ ସୂର୍ଯ୍ୟମଣି ପ୍ରଧାନ , ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ସଦଳବଳେ ପହଞ୍ଚି ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବା ଜଣାପଡିଛି ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here