ଅନ୍ଧର ଲଉଡି : ବିଧାୟକ ଶ୍ରୀକାନ୍ତ ସାହୁ

0
354

ବୁଗୁଡା : ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀକାନ୍ତ ସାହୁ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଓ ବିଜୁ ଶ୍ରମିକ ସାମୁଖ୍ୟ ଗଞ୍ଜାମ ଜିଲ୍ଲା ସଭାପତି ଙ୍କ ବିଷୟରେ ଉପସ୍ଥାପନ ପୂର୍ବରୁ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଷୟରେ ସମ୍ୟକ ଧାରଣା ଦେବା ଉଚିତ ହେବ। ପୋଲସରା ବ୍ଲକ ଓ ଏନଏସି ଏବଂ ବୁଗୁଡା ବ୍ଲକ ଓ ଏନଏସିକୁ ନେଇ ୨୦୦୯ ମସିହାରେ ସୃଷ୍ଟି ହେଲା ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ। ୨୦୦୯ ପୂର୍ବରୁ ପୋଲସରା ବ୍ଲକ ଓ ଏନଏସି କୋଦଳା ନିର୍ବାଚନ ମଣ୍ଡଳୀରେ ଥିବା ବେଳେ ବୁଗୁଡା ବ୍ଲକ ଓ ଏନଏସି ଜଗନ୍ନାଥ ପ୍ରସାଦ ସଂରକ୍ଷିତ ନିର୍ବାଚନ ମଣ୍ଡଳୀରେ ଥିଲା। ପୋଲସରା ନିର୍ବାଚନ ମଣ୍ତଳୀର ପ୍ରଥମ ନିର୍ବାଚନ ୨୦୦୯ ମସିହାରେ ଅନୁଷ୍ଠିତ ହୋଇଥିବା ବେଳେ ୪୯ ପ୍ରତିଶତ ଭୋଟ ପାଇ ବିଜେଡି ପ୍ରାର୍ଥୀ ନିରଞ୍ଜନ ପ୍ରଧାନ ବିଧାୟକ ହୋଇଥିଲେ। ୨୦୧୪ ମସିହା ନିର୍ବାଚନରେ ୪୮ ପ୍ରତିଶତ ଭୋଟପାଇ ପ୍ରଥମ ଥର ପାଇଁ ଶ୍ରୀକାନ୍ତ ସାହୁ ବିଧାୟକ ଭାବେ ନିର୍ବାଚିତ ହେଲେ। ୨୦୧୯ ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ଭୋଟପାଇ ଶ୍ରୀକାନ୍ତ ସାହୁ ଦ୍ଵିତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ ନିର୍ବାଚନ ଅପେକ୍ଷା ୨୦୧୯ ନିର୍ବାଚନରେ ୨ ପ୍ରତିଶତ ଅଧିକ ଭୋଟ ପାଇ ନିଜର ଜନପ୍ରିୟତାକୁ ପ୍ରମାଣିତ କରିପାରିଥିଲେ। ବିଜେଡିର ଶ୍ରମିକ ସାମୁଖ୍ୟ ଗଠନ ପରେ ଶ୍ରୀକାନ୍ତ ସାହୁ ଗଞ୍ଜାମ ଜିଲ୍ଲା ଶ୍ରମିକ ସାମୁଖ୍ୟ ସଭାପତି ମନୋନୀତ ହୋଇଥିଲେ। ପରେ ପରେ ଶ୍ରୀକାନ୍ତ ବାବୁଙ୍କ କାର୍ଯ୍ୟଦକ୍ଷତା ଉପରେ ଭରଷା ଓ ସନ୍ତୋଷ ପ୍ରକାଶ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ପଦବୀ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଥିଲେ। ଓଡ଼ିଶାର ସର୍ବ ବୃହତ୍ତମ ଜିଲ୍ଲା ତଥା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ରହିଥିବା ଗଞ୍ଜାମ ଜିଲ୍ଲାର ଯୋଜନା ବୋର୍ଡ଼ ଅଧ୍ୟକ୍ଷ ପଦବୀରେ ଅବସ୍ଥାପିତ ପ୍ରମାଣ କରୁଛିଯେ ନବୀନ ବାବୁଙ୍କ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପରେ ଆଶୀର୍ବାଦ ରହିଛି। ଶ୍ରୀକାନ୍ତ ସାହୁଙ୍କ ଉପରେ ନବୀନ ବାବୁ ସନ୍ତୋଷ ପ୍ରକାଶ କରିବାର ଏକ ମୁଖ୍ୟ କାରଣ ହେଲା ହାତୀଓଟ ଜରାଶ୍ରମ। ସାୟାହ୍ନ ଅବସ୍ଥା ଆସିଗଲେ ଅନେକ କ୍ଷେତ୍ରରେ ବାପା ମାଆ ଅଲୋଡ଼ା ହୋଇଯାଇଥାନ୍ତି ପୁଅ ଝିଅ ମାନଙ୍କ ପାଇଁ। ଆଉ ସେହି ଅଲୋଡ଼ା ସଜୀବ ବସ୍ତୁ ଗୁଡିକୁ ସାଉଁଟି ଆଣି ରଖନ୍ତି ହାତୀଓଟ ଜରାଶ୍ରମ କୋଠରୀ ମଧ୍ୟରେ ବିଧାୟକ ଶ୍ରୀକାନ୍ତ ସାହୁ। କେବଳ ପୁଅମାନଙ୍କ ଠାରୁ ବିତାଡିତ ବୟସ୍କ ବାପା ମାଆ ନୁହଁ, ଯେଉଁ ବ୍ୟକ୍ତିମାନେ ନିରାଶ୍ରୟ ଓ ଭିନ୍ନକ୍ଷମ ଏବଂ ଅନାଥ ଶିଶୁ ସେହିମାନଙ୍କୁ ମଧ୍ୟ ହାତୀଓଟ ଜରାଶ୍ରମରେ ଆଶ୍ରୟ ଦେଇଛନ୍ତି ବିଧାୟକ ଶ୍ରୀ ସାହୁ। ସୁନ୍ଦର ପରିବେଶ ମଧ୍ୟରେ ଚାରିପାଖ ପାଚେରୀ ଥାଇ ନିର୍ମାଣ ହୋଇଛି ଦୁଇ ମହଲା କୋଠା ବିଶିଷ୍ଟ ଜରାଶ୍ରମ ଗୃହ। ସେ ମଧ୍ୟରେ ଏକ ସୁନ୍ଦର ପଞ୍ଚମୁଖୀ ହନୁମାନ ମନ୍ଦିର ଓ ଅତି ସୁନ୍ଦର ଫଳ ଓ ଫୁଲ ଗଛ। ରୋଷେଇ ଶାଲା ଓ ଶୌଚାଳୟ ସବୁଠି ପାଇପ ଜଳଯୋଗାଣ। ଗରମରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଘରେ ଫ୍ୟାନ। ଅନେବାସୀଙ୍କ ମନଖୁସି କରିବା ଲାଗିଛି ରଙ୍ଗୀନ ଟିଭି। ସେହି ଜରାଶ୍ରମରେ ରହୁଛନ୍ତି ୩୦ ରୁ ଉର୍ଦ୍ଧ ଅସହାୟ ବୁଢ଼ା, ବୁଢୀ, ଭିନ୍ନକ୍ଷମ ଓ ନିରାଶ୍ରୟ ଶିଶୁ। ଅନ୍ତବାସୀଙ୍କ ମଧ୍ୟରୁ ଜଣେ ମହିଳାଙ୍କୁ ଜରାଶ୍ରମ ବିଷୟରେ ପଚାରିବାରୁ ସେ ପ୍ରଥମେ ଖାଦ୍ୟ ବିଷୟ ନେଇ ପ୍ରକାଶ କରିଥିଲେ। ସେ କହିବା ପ୍ରକାରେ ପ୍ରତିଦିନ ସକାଳେ ଚାହା ଓ ଜଳଖିଆ, ଦିବା ଏକ ଘଣ୍ଟା ସମୟରେ ଭାତ,ଡାଲି ଓ ତରକାରୀ କିମ୍ବା ଭଜା। ରବିବାର ଓ ବୁଧବାର ଦୁଇଦିନ ମଧ୍ୟରୁ ଗୋଟିଏ ଦିନ ଅଣ୍ଡା ଓ ଅନ୍ୟ ଦିନ ମାଛ। ସନ୍ଧ୍ୟା ସମୟରେ ଚାହା ଓ ବିସ୍କୁଟ। ରାତ୍ରରେ ରୁଟି ଓ ତରକାରୀ। ଏହିପରି ଖାଦ୍ୟ ଜଣେ ନିମ୍ନ ମଧ୍ୟବିତ୍ତ ପରିବାର ଖାଇବା ସମ୍ଭବ ନୁହେଁ। ସ୍ୱାସ୍ଥ୍ୟ ସେବା ବିଷୟରେ ପଚାରିବାରେ କହିଥିଲେଯେ ସେମାନଙ୍କ ସମସ୍ତ ବିଷୟ ବୁଝିବା ପାଇଁ ବିଧାୟକ ଶ୍ରୀକାନ୍ତ ବାବୁ ଲୋକ ନିଯୁକ୍ତି କରିଛନ୍ତି। ସ୍ୱାସ୍ଥ୍ୟ ଖରାପ ହେଲେ ପରିଚାଳକଙ୍କୁ କହିବା ମାତ୍ରେ ଏକ ଅଟୋ ଆଣି ପୋଲସରା ମେଡିକାଲକୁ ନେଇ ଚିକିତ୍ସା କରି ଆଣନ୍ତି। ସୁପକାର ମଧ୍ୟ ଠିକ ସମୟରେ ରନ୍ଧା କାର୍ଯ୍ୟ ଶେଷ କରି ଠିକ୍ ସମୟରେ ସମସ୍ତ ଖାଦ୍ୟ ଦେଇଥାନ୍ତି। ଆଉଜଣେ କହିଲେଯେ ଆମକୁ ଘରକଥା ମୋଟେ ମନପଡୁନାହିଁ। ନିଜ ଘରେ ଗାଳିମାଡ ଖାଇ ହାଇରାଣରେ ଚଳୁଥିବା ବେଳେ ଏହି ଜରାଶ୍ରମରେ ଅତି ଖୁସିରେ ଅଛୁ।
ଶ୍ରୀକାନ୍ତ ବାବୁ ଆମର ବାପା, ମାଆ ଏବଂ ପୁଅ ଝିଅ ଠାରୁ କେତେ ଗୁଣରେ ଭଲ ଅଟନ୍ତି ତାହା କହିବାକୁ ଭାଷା ନାହିଁ। ସେ ଭୁବନେଶ୍ୱର କିଛି ଦିନ ରହି ଫେରିବା ବେଳେ ଆମପାଇଁ ବିଭିନ୍ନ ପ୍ରକାର ମିଠା, ଫଳ, ବିସ୍କୁଟ ପ୍ରଭୃତି ଆଣି ଆମକୁ ଦିଅନ୍ତି। ଆମପାଇଁ ଦଶହରା କୁମାର ପୂର୍ଣ୍ଣିମାରେ ନୂଆଁ ଖାଦିପଟା ଓ ଟଙ୍କା ଦିଅନ୍ତି। ମଝିରେ ମଝିରେ ବହୁ ବଡ ଲୋକମାନେ ଆସି ଖାଦିପଟା, ଶୀତବସ୍ତ୍ର ପ୍ରଦାନ କରିଥାନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପାଠ ପଢିଥିବା ଜଣେ ବ୍ରାହ୍ମଣ ମହିଳା ଗୋଟିଏ ନୂଆଁ ମଠା ଶାଢୀ ଦେଖାଇ କହିଲେ, “ମୁଁ ପୂଜା କରିବାକୁ ଗଲାବେଳେ ଏହି ମଠାଟି ପନ୍ଧି ଯିବାକୁ ବାବୁ ଦେଇଛନ୍ତି। ସେ ଆମର ସବୁକିଛି। ଆମେସବୁ ଅନ୍ଧ ହେଲେ ଶ୍ରୀକାନ୍ତ ବାବୁ ହେଉଛନ୍ତି ବାଡ଼ି। “ସେ ହେଉଛନ୍ତି ଅନ୍ଧର ଲଉଡି”।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here