କରୋନା ଛଡ଼ାଇ ନେଇଛି ଜୀବିକା ; ତଥାପି ପଶୁମୁଖା ନିର୍ମାଣରୁ ବିରତ ନୁହଁନ୍ତି ବଡକୋଦଣ୍ଡା ର କାରୀଗର ମଳୟ

0
303

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ଭଞ୍ଜନଗର ବ୍ଲକର ବଡକୋଦଣ୍ଡା ଏକ କଳାକାର ବହୁଳ ଗ୍ରାମ । ଏଠି ମୂର୍ତ୍ତୀ କାରୀଗର,ନାଟ୍ୟ କଳାର କାରିଗର ,ଚିତ୍ର କଳା ଶିଳ୍ପୀ, ସଂଗୀତ କଳାତାର ତଥା ପଶୁ ମୁଖା ଶିଳ୍ପୀ ପ୍ରାୟ ଘରେ ଘରେ ଦେଖାଯାନ୍ତି । ଏହି ଗ୍ରାମରୁ ହିଁ ସୃଷ୍ଟି ହୋଇଛି ସୂତା କଣ୍ଢେଇ ନୃତ୍ୟ ଯାହା ବିଶ୍ବ ପ୍ରସିଦ୍ଧ । ପୁଣି ଏହି ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମାରେ ଦେଖିବାକୁ ମିଳେ ବିଶ୍ବ ପ୍ରସିଦ୍ଧ ଡେରାବେଶ ,ଯେଉଁଥିରେ ବଣ ବା ଜଙ୍ଗଲର ପଶୁ ଙ୍କ ଯଥା:- ବାଘ,ଭାଲୁ,ସିଂହ,ହାତୀ,ହରିଣ, ତଥା ଶ୍ରୀରାମ,ଲକ୍ଷ୍ମଣ,ହନୁମାନ,
ରାବଣ, କୁମ୍ଭକର୍ଣ୍ଣ,ରାଜା ,ରାଣୀ,ସାପୁଆ,କେଳା,ଚଇତି ଘୋଡା,ବୃଷଭ,ନବଗୁଞ୍ଜର ଆଦି ଙ୍କ ବୃହତକାୟ ବାଉଁଶ ବା ବେତ ତଥା ସୋଲ,ଆଟା ଓ ମାଟିରେ ତିଆରି ବେଶ ଗାଁ ସାରା ଶଗଡ ଉପରେ ଡେରା ଯାଏ । ଏତଦ ବ୍ୟତୀତ ଏହି ଗ୍ରାମର କଳାକାର ମାନେ ବାଘ ,ଘୋଡା,ବୃଷଭ ତଥା ନୃସିଂହ ମୁଖା,ବିଭିନ୍ନ କଣ୍ଢେଇ ଆଦି ନିର୍ମାଣରେ ସିଦ୍ଧହସ୍ତ । ଏହି ପରି ପଶୁ ମୁଖା ତଥା ମୂର୍ତ୍ତୀ ନିର୍ମାଣର ଜଣେ ଅନନ୍ୟ କାରୀଗର ହେଉଛନ୍ତି ଏହି ଗ୍ରାମର ବଡଦାଣ୍ଡ ସାହି ନିବାସୀ ଶ୍ରୀ ମଳୟ ବେହେରା। ତାଙ୍କ ପିତାଙ୍କ ନାମ ସ୍ବର୍ଗତ ଦେବରାଜ ବେହେରା। ସେ ଏହି କଳାକୁ ଦୀର୍ଘ ଦିନ ହେଲା ବଜାୟ ରଖି ଆସିଛନ୍ତି । କିନ୍ତୁ ବର୍ତ୍ତମାନର କରୋନା କଟକଣା ଓ ଲକଡାଉନ ତାଙ୍କ କଳାର ଉପଯୁକ୍ତ ମୂଲ୍ୟ ପ୍ରାପ୍ତିରେ ଘୋର ଅନ୍ତରାୟ ସୃଷ୍ଟି କରିଥିବା କଥା ସେ କ୍ଷୋଭ ଭରା କଣ୍ଠରେ ପ୍ରକାଶ କରନ୍ତି । ସେ ଧାର କରଜରେ ଥାଇ ସୁଦ୍ଧା ଏହି ମୁଖା ନିର୍ମାଣ କଳା କୁ କେବେ ଛାଡି ପାରିନାହାନ୍ତି । କରୋନା କଟକଣା ହେତୁ ପ୍ରାୟ ପଚାଶ ହଜାରରୁ ଉର୍ଦ୍ଧ୍ବ ଟଙ୍କାର ଅଡର ଥିବା ପଶୁ ମୁଖା,ନୃସିଂହ ମୁଣ୍ଡ ସେ ବହୁ କଷ୍ଟ ସ୍ବୀକାର କରି ନିର୍ମାଣ କରିଥିଲେ ମଧ୍ୟ ତାହା କୁ ଅଡର ପ୍ରଦାନକାରୀ ମାଲିକ ମାନେ ନ ନେବା ହେତୁ ସେ ଘୋର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି। ସରକାର ଯେହେତୁ ପାଖାପାଖି ଦେଢ ବର୍ଷହେଲା କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନର ଅନୁମତି ଦେଇନାହାନ୍ତି ସେଥିପାଇଁ ଅଡର ପ୍ରଦାନ କରିଥିବା ମାଲିକମାନେ ମଧ୍ୟ ନିଜ ସାମଗ୍ରୀ ନେବାକୁ କୁଣ୍ଠାବୋଧ କରୁଛନ୍ତି । ଫଳତଃ ସେ ଓ ତାଙ୍କ ପରି ବହୁ କାରୀଗର ବହୁତ ଅସୁବିଧାରେ ଥିବାରୁ ଏମାନଙ୍କ ପାଇଁ ସରକାର ସ୍ବତନ୍ତ୍ର କିଛି ପ୍ରୋତ୍ସାହନର ବ୍ୟବସ୍ଥା କଲେ ସେମାନେ ଉପକୃତ ହୋଇପାରନ୍ତେ ବୋଲି ସେ ପ୍ରକାଶ କରିଛନ୍ତି । ଏଥି ସହିତ ଏହି କାରିଗର ଜଣକ କେବଳ ପଶୁ ମୁଖା କିମ୍ବା ମୂର୍ତ୍ତୀ ନିର୍ମାଣ କଳାରେ ନିଜକୁ ସୀମିତ ରଖି ନାହାନ୍ତି ବରଂ ସେ ଜଣେ ଭଲ ତବଲା ଓ ମୃଦଙ୍ଗ ବାଦକ । ଗାଁ ଜଗନ୍ନାଥ ମନ୍ଦିରରେ ପିଲାମାନଙ୍କୁ ନେଇ ସେ ନାମଦଳ ଗଠନ କରି ବହୁ ବର୍ଷ ହେଲା ନାମ ସଂକିର୍ତ୍ତନ ରେ ଅଂଶ ଗ୍ରହଣ କରିଆସୁଛନ୍ତି । କଳା,ସଂସ୍କୃତିର ପ୍ରଚାର ପ୍ରସାରରେ ନିଜକୁ ସକ୍ରିୟ କରି ରଖିଥିବା ଏହି କଳାକାରଙ୍କ ପ୍ରତି ସରକାର ଙ୍କ ଶୁଭ ଦୃଷ୍ଟି ପଡୁ ବୋଲି ଗାଁର ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here