ଆଞ୍ଚଳିକ ପରିବହନ ବିଭାଗର କେତୋଟି ସେବା ବନ୍ଦ ରଖାଯିବ କୋଭି଼ଡ୍ ପରିଚାଳନା କେନ୍ଦ୍ରରେ ବିଦ୍ୟୁତ୍ ସରବରାହ ବନ୍ଦ ନ କରିବାକୁ ନିର୍ଦ୍ଦେଶ

0
246

ଛତ୍ରପୁର(ନ୍ୟୁଜଏକ୍ସଟ୍ରା) ଗତ କିଛିଦିନ ମଧ୍ୟରେ ଜିଲ୍ଲାର ସଂକ୍ରମିତ ସଂଖ୍ୟା ସ୍ଥିତିକୁ ଲକ୍ଷ୍ୟକରି ଜିଲ୍ଲାର ଅନେକ ବୁଦ୍ଧିଜୀବୀ ଲକ୍ ଡାଉନ୍ ସପକ୍ଷରେ ସୋସିଆଲ୍ ମିଡିଆରେ ନିଜନିଜ ମତ ରଖିଛନ୍ତି । ଅନେକ ବ୍ୟବସାୟୀକ ସଂଘ ଦୋକାନ ବଜାର ବନ୍ଦ ରଖିବାକୁ ସ୍ବତଃପ୍ରବୃତ ଭାବେ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହା ସ୍ବାଗତଯୋଗ୍ୟ ପଦକ୍ଷେପ । ସଂକ୍ରମଣକୁ ନେଇ ଜନ ସାଧାରଣ ମାନଙ୍କର ଏହି ଉପଲବ୍ଧିକୁ ଆଧାର କରି ସେମାନେ ସଜାଗ ଓ ସଚେତନ ରହିବା ଜରୁରୀ ହୋଇପଡିଛି । ନିହାତି ଆବଶ୍ୟକ ନ ପଡିଲେ ଘରୁ ବାହାରି ବାକୁ ବାରଣ କରାଯାଇଛି । ମାସ୍କ ପରିଧାନ, ପଞ୍ଚସୂତ୍ରୀ ନିୟମର କଡାପାଳନ ଏବଂ ସାମାଜିକ ଦୂରତ୍ବ ରକ୍ଷା କରିବାକୁ ଜିଲ୍ଲାପାଳ ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ କରୋନା ପରିଚାଳନା ସମୟରେ ଉନ୍ନୟନ କାର୍ଯ୍ୟ ବନ୍ଦ ରହିବ ନାହିଁ । କରୋନା ପରିଚାଳନାରେ ଯନ୍ତ୍ରୀଗଣ ନିୟୋଜିତ ହୋଇ ନାହାନ୍ତି । ତେଣୁ ସମସ୍ତ ଉନ୍ନୟନ କାର୍ଯ୍ୟ ପୂର୍ବଭଳି ଚାଲୁ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଗତ କାଲି ସୁଦ୍ଧା ଜିଲ୍ଲାକୁ ୧୭,୭୭୧ ଜଣ ପ୍ରବାସୀ ଫେରିଥିବା ପଞ୍ଜିକରଣ ତଥ୍ୟରୁ ଜଣା ପଡିଛି । ଯାହାକି ଗତବର୍ଷ ତୁଳନାରେ ବହୁତ କମ୍ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ଅନୁଷ୍ଠିତ ଭିଡିଓ କନଫରେନ୍ସିଂ ବୈଠକରେ ଅବଗତ କରାଇଥିଲେ । ଏଣୁ କରି ପଞ୍ଚାୟତ ସ୍ତରରୁ ଆରମ୍ଭ କରି ସମସ୍ତ ସ୍ଥାନରେ ପଞ୍ଜିକରଣ, ସ୍ବାସ୍ଥ୍ୟ ଯାଂଚ୍,ଏକାନ୍ତବାସରେ ରହି ଚିକିତ୍ସା ଇତ୍ୟାଦି ଠିକ ରୂପେ ହୋଇପାରିଲେ ଖୁବ୍ ଶୀଘ୍ର ଜିଲ୍ଲାରୁ ସଂକ୍ରମିତ ସଂଖ୍ୟା ହ୍ରାସ ପାଇବ । ସମସ୍ତ କୋଭିଡ୍ କେୟାର ସେଣ୍ଟର ଶଯ୍ୟାରେ ଅକ୍ସିଜେନ୍ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କହିଥିଲେ । ସମସ୍ତ ଚିକିତ୍ସାଳୟ ଏବଂ କୋଭିଡ୍ କେୟାର୍ ସେଣ୍ଟର ଗୁଡିକରେ ବିଦ୍ୟୁତ୍ ସରବରାହ ଯେପରି ବନ୍ଦ ହେବ ନାହିଁ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାପାଇଁ ବିଦ୍ୟୁତ୍ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଗତ ପ୍ରଥମ ଲହର ଚିକିତ୍ସା ସମୟରେ ଅଧିକାଂଶ ସଂକ୍ରମିତ ବ୍ୟକ୍ତି କେବଳ ଔଷଧ ଦ୍ବାରା ସୁସ୍ଥ ହୋଇପାରିଥିଲେ । କିନ୍ତୁ ଏହି ଦ୍ବିତୀୟ ଲହର ଚିକିତ୍ସାରେ ଅକ୍ସିଜେନର ଆବଶ୍ୟକତା ଅଧିକ ରହୁଛି । ଏଣୁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ହିଁ ଏହି ଦିଗରେ ସହାୟକ ହୋଇପାରିବ । ସମସ୍ତ କୋଭିଡ୍ କେୟାର ସେଣ୍ଟର ଗୁଡିକରେ ଆବଶ୍ୟକୀୟ ଷ୍ଟାଫ୍ ମୁତୟନ କରାଯାଇ ଦାୟୀତ୍ବ ପ୍ରଦାନ କରାଯାଇଛି । ଏଣୁ ଏହାର ସୁପରିଚାଳନା ଦିଗରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ବର୍ତ୍ତମାନର ସ୍ଥିତିକୁ ଲକ୍ଷ୍ୟକରି ସଂକ୍ରମଣକୁ ରୋକିବା ନେଇ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ବାହନ ସେବାକୁ ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିବା ଜିଲ୍ଲାପାଳ ଏକ ଆଦେଶନାମା ରେ ଦର୍ଶାଇଛନ୍ତି । ଯାନବାହନ ପଞ୍ଜିକରଣ, ମୋଟରଯାନ ଟ୍ୟାକ୍ସ ଆଦାୟ, ସାମୁହିକଭାବେ ଗାଡିକୁ ବ୍ୟବହାର ନ କରିବା ନିମନ୍ତେ ଆବେଦନ, (ଅଫ୍ ରୋଡ୍) ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ରହିବ । ସେଥିରେ ଜନ ସାଧାରଣ ସହଯୋଗ କରିବାକୁ କୁହାଯାଇଛି ।
ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଡଃ ସିଦ୍ଧେଶ୍ବର ବଳିରାମ ବନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବ କୀର୍ତ୍ତି ଓ୍ବାସନ୍ , ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ , ଅମୀୟ କୁମାର ସାହୁ, ଉପଜିଲ୍ଲାପାଳ ଛତ୍ରପୁର ପ୍ରିୟ ରଞ୍ଜନ ପୃଷ୍ଟି, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ , ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ସଚ୍ଚିବ ସମ୍ବିତ ରାଉତ୍, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଂକର ମିଶ୍ର, ଏମ୍. କେ.ସି.ଜି.ର ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ , ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here