କଳା ଓ କଳାକାର ହୀତୈଷୀ ମହାମଞ୍ଚ ପକ୍ଷରୁ ଶ୍ରୀରାମ ନବମୀ ପାଳିତ

0
304

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ସ୍ଥାନୀୟ କଳା ଓ କଳାକାର ହୀତୈଷୀ ମହାମଞ୍ଚ ‘ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ’, ଗଜପତି ସେବା ଓ ସାଂସ୍କୃତିକ ସମିତି, ମଞ୍ଚଜ୍ୟୋତି : ଏକ ଅନନ୍ୟ ସାଂସ୍କୃତିକ ପ୍ରତିଷ୍ଠାନ ଏବଂ ଶିଳାପଦ୍ମ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ବ୍ରହ୍ମପୁର ସିଟି ହାଇସ୍କୁଲ ରୋଡ ସ୍ଥିତ ଶ୍ରୀ ଶ୍ରୀ ରଘୁନାଥ ମଠ ପରିସରରେ ପବିତ୍ର ଶ୍ରୀ ରାମ ନବମୀ ଅବସରରେ ଏକ ସାଂସ୍କୃତିକ ସମ୍ମେଳନ ଅନୁଷ୍ଠିତ ହୋଇଯାଇଛି । ସମିତିର ଆବାହକ ନୀଳାମ୍ବର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାଂସ୍କୃତିକ ଉତ୍ସବରେ ପଣ୍ଡିତ ସଦାନନ୍ଦ ଦାଶ ମୁଖ୍ୟ ଅତିଥି, ବରିଷ୍ଠ କଳାକାର ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟ ମୁଖ୍ୟ ବକ୍ତା, ମଠ ପରିଚାଳକ ଶ୍ୟାମ ସୁନ୍ଦର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମର୍ଯ୍ୟାଦା ପୁରୁଷ ଭଗବାନ ଶ୍ରୀ ରାମଙ୍କ ମାନବୀୟ ଲୀଳା ସମ୍ପର୍କରେ ନିଜ ନିଜ ବକ୍ତବ୍ୟରେ ଅବତାରଣା କରିଥିଲେ । ଏହି ଅବସରରେ ଦାସକାଠିଆ ଗାୟକ ସାରଥି ପଣ୍ଡା, ପାଳିଆ ଉଲ୍ଲାସ ପଣ୍ଡା, ଗାହାଣ ଗୁରୁ ଜି. କାମରାଜୁ ପାତ୍ର, ମୃଦଙ୍ଗ ବାୟକ କୁନୁ ବେହେରା, ଶାସ୍ତ୍ରୀୟ କଣ୍ଠ ସଂଗିତ୍ବବିତ୍ ଟି. ତାରିଣୀ ରାଓ, ବରିଷ୍ଠ ଲୋକନାଟ୍ୟ କଳାକାର ମହେନ୍ଦ୍ର କୁମାର ସାହୁ ଏବଂ ସାଂସ୍କୃତିକ ସଂଗଠକ ରବୀନ୍ଦ୍ର କୁମାର ନାୟକଙ୍କୁ ମଞ୍ଚଜ୍ୟୋତି ତରଫରୁ ଆନୁଷ୍ଠାନିକ ଭାବେ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ସହ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ଶିଳାପଦ୍ମର ସମ୍ପାଦକ ନୃତ୍ୟାଚାର୍ଯ୍ୟ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କଣ୍ଠଶିଳ୍ପୀ ଅନୁରାଧା ପାଣି ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଗାୟକ ସାରଥୀ ପଣ୍ଡା ଏବଂ ସାଥିଙ୍କ ଦ୍ଵାରା ଦାସକାଠିଆ ନୃତ୍ୟ ମାଧ୍ୟମରେ ରାମାଭିଷେକ ଚରିତ ପରିବେଷଣ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ପରିଶେଷରେ ବଳଦେବ ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ ଶିବରାମ ସାବତ, ନୀଳମାଧବ ଜେନା, ମାମୁନି ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here