ତେଲେଙ୍ଗାନାରେ ଟ୍ରକ୍ ଓଲଟି ୬ ଓଡ଼ିଆ ଶ୍ରମିକ ମୃତ

0
385

ଡାବୁଗାଁ (ନ୍ୟୁଜ ଏକ୍ସଟ୍ରା) ତେଲେଙ୍ଗାନାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଯେଉଁ ୭ ଜଣଙ୍କ ପ୍ରାଣହାନି ଘଟିଛି , ସେମାନଙ୍କ ମଧ୍ୟରୁ ୬ ଜଣ ଓଡ଼ିଶାର ବୋଲି ଜଣାପଡ଼ିଛି । ଓଡ଼ିଶାର ୬ ମୃତକଙ୍କ ମଧ୍ୟରୁ ୩ ଜଣଙ୍କ ଘର ବଲାଙ୍ଗୀର ହୋଇଥିବାବେଳେ ଅନ୍ୟ ୩ ଜଣଙ୍କ ଘର ନବରଙ୍ଗପୁର ଅନ୍ୟଜଣେ ଛତିଶଗଡ଼ ବାସିନ୍ଦା ବୋଲି ଜଣାପଡ଼ିଛି । ଏମାନେ ସମସ୍ତେ ସାପ୍ତାହିକ ହାଟକୁ ପରିବା ଓ ରାସନ ସାମଗ୍ରୀ କିଣିବାକୁ ଯାଇଥିଲେ ଏବଂ ଟ୍ରକ ଫେରିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ , ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ଅନ୍ତର୍ଗତ ଚିକିଲି ଗ୍ରାମର ପ୍ରାୟ ୧୦୦ଜଣ ଶ୍ରମିକ ଦୁଇମାସ ଦାଦନ ଖଟିବାକୁ ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦ ଯାଇଥିଲେ । ସେଥିମଧ୍ୟରୁ କିଛି ଦାଦନ ଶ୍ରମିକ ହାଇଦ୍ରାବାଦ ନିକଟ ସମସାବାଦ ଠାରେ ଇଟା ଭାଟିରେ କାମ କରୁଥିଲେ । ଗତକାଲି କାମ ସରିବା ପରେ ପ୍ରାୟ ୩୦ଜଣ ଶ୍ରମିକ ସାପ୍ତାହିକ ତଳେହାଟକୁ ରାସନ ଏବଂ ପରିବା କିଣିବା ପାଇଁ ଟ୍ରରେ ଯାଇଥିଲେ । କିଣାକିଣି କରି ସଂଧ୍ୟା ପ୍ରାୟ ସାଢ଼େ ୫ଟାରେ ପୁଣି କ୍ୟାମ୍ପକୁ ଫେରିବା ସମୟରେ ଟ୍ରକ୍ ସମ୍ମୁଖକୁ ହଠାତ୍ ଗୋଟିଏ କାର୍ ଚାଲି ଆସିଥିଲା । ଯାହାଫଳରେ ଟ୍ରକ୍ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ । କାର୍ ସହ ଧକ୍କା ହୋଇ ଭାରସାମ୍ୟ ହରାଇ ଟ୍ରକ୍‌ ଓଲଟି ପଡ଼ିଥିଲା । ଫଳରେ କିଛି ଶ୍ରମିକ ଟ୍ରକ୍‌ରୁ ଛିଟିକି ପଡ଼ିଥିବାବେଳେ କିଛି ଜଣ ଟ୍ରକ୍ ତଳେ ଚାପି ହୋଇ ରହିଥିଲେ । ଟ୍ରରେ ବସିଥିବା ଡାବୁଗାଁ ବ୍ଲକ୍ ଚିକିଲି ଗ୍ରାମର ପରମାନନ୍ଦ ଗୌଡ଼ ( ୬୦ ) ଓ ଅସ୍ତୁ ଭତରା ( ୬୨ ) ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଆଜି ସ୍ଥାନୀୟ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ବୁଦନ ଗୌଡ଼ ( ୩୫ ) ଙ୍କ ମୃତ୍ୟୁ ଘଟିଛି । ଏହି ତିନି ଜଣଙ୍କ ସହ ଟ୍ରରେ ବସିଥିବା ବଲାଙ୍ଗୀର ଜିଲ୍ଲାର ୩ଜଣଙ୍କ ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସେମାନେ ହେଲେ , ବଲାଙ୍ଗୀର ଜିଲ୍ଲାର କୃପା ସୁନା ( ୪୦ ) , ଗୋପାଳ ଦୀପ ( ୪୫ ) ଏବଂ କଳା କୁମାର ( ୨୫ ) ଅନ୍ୟ କେତେକ ଦାଦନ ଶ୍ରମିକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲ୍ଲା ଚିକିଲି ଗ୍ରାମର ଏବଂ ଓଡ଼ିଶାର ଅନ୍ୟ ଜିଲ୍ଲାର କିଛି ଜଣ ରହିଥିବା ଜଣାପଡ଼ିଛି । ଶବ ମଙ୍ଗଳବାର ଦିନ ଅପରାହ୍ନ ୪ ଘଣ୍ଟା ସମୟ ରେ ଚିକିଲି ଗ୍ରାମରେ ପହଞ୍ଚିବାପରେ ୩ଜଣ ଦାଦନ ଶ୍ରମିକଙ୍କ ଏପରି ଦୁଃଖଦ ତଥା ଅକାଳ ମୃତ୍ୟୁ ପରେ ଚିକିଲି ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here