ବିଦ୍ୟୁତ୍ ଭଡାବୃଦ୍ଧି ବିରୋଧରେ ପ୍ରତିବାଦ ବିକ୍ଷୋଭ

0
258

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) କରୋନା ଯୋଗୁଁ ରାଜ୍ୟବାସୀ ରୋଜଗାର ଓ ବ୍ୟବସାୟ ହରାଇ ଦୁର୍ଦ୍ଦଶାମୟ ଜୀବନ ଅତିବାହିତ କରୁଥିବା ବେଳେ ଗତକାଲି ବିଦ୍ୟୁତ୍ ଭଡାକୁ ବୃଦ୍ଧି କରିବା ବେଡି ଉପରେ କୋରଡା ମାଡ ପରି ହୋଇଛି । ଟାଟା ପରି ମୁନାଫାଖୋର କର୍ପୋରେଟ କମ୍ପାନୀର ସ୍ଵାର୍ଥରେ ରାଜ୍ୟ ସରକାର ଏଭଳି ଅନ୍ୟାୟପୂର୍ଣ୍ଣ ଓ ଅଗଣତାନ୍ତ୍ରିକ ଭଡାବୃଦ୍ଧି ସାଧାରଣ ଜନତାଙ୍କ ଉପରେ ଲଦିଦେଇଛନ୍ତି ।
ଆଜି ବିଦ୍ୟୁତ୍ ଭଡା ବୃଦ୍ଧି ବିରୋଧରେ ଇଣ୍ଡିଆନ ଫେଡେରେସନ୍ ଅଫ୍ ଟ୍ରେଡ ୟୁନିଅନ୍ସ (ଇଫଟୁ) ଏବଂ କୃଷକ ସଙ୍ଗଠନ, ଏଆଇକେକେଏମଏସ୍ ପକ୍ଷରୁ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ଠାରେ ଆୟୋଜିତ ବିକ୍ଷୋଭରେ ସହରର ବିଭିନ୍ନ ଗଣ ସଂଗଠନର ନେତା ଓ ବୁଦ୍ଧିଜୀବୀମାନେ ଯୋଗ ଦେଇଛନ୍ତି ।
ଗତବର୍ଷ କରୋନା ସମୟରେ ସରକାର ଲୋକଙ୍କ ଆର୍ଥିକ ସଙ୍କଟ କାରଣରୁ ବିଦ୍ୟୁତ୍ ଭଡା ବଢେଇବେନି ବୋଲି ଘୋଷଣା କରିଥିଲେ । କିନ୍ତୁ ସରକାର ରାଜ୍ୟର ବିଦ୍ୟୁତ୍ ବଣ୍ଟନ ଦାୟିତ୍ୱକୁ ନିଜ ହାତରୁ ବାହାର କରି ଟାଟା କମ୍ପାନୀକୁ ଦେବାର ତୁରନ୍ତ ପରେ ପରେ ଗତ ଅକ୍ଟୋବର ମାସରେ ବିଜୁଳି ଭଡାରେ ୟୁନିଟ ପିଛା 20 ପଇସା ବୃଦ୍ଧି କରିଥିଲେ । ବର୍ତ୍ତମାନ ଛଅ ମାସ ନପୁରୁଣୁ ପୁଣିଥରେ ବିଦ୍ୟୁତ୍ ଭଡାରେ ତିରିଶ ପଇସା ବୃଦ୍ଧି କରାଯାଇଛି । କେନ୍ଦ୍ର ସରକାରଙ୍କ ଦ୍ଵାରା ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଆକାଶଛୁଆଁ ମୂଲ୍ୟବୃଦ୍ଧି ଏବଂ ଡାଲି ଓ ଖାଇବା ତେଲ ପରି ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ସାଧାରଣ ଜନତାଙ୍କ ମେରୁଦଣ୍ଡଙ୍କୁ ଭାଙ୍ଗି ଦେଇଥିବା ବେଳେ ବର୍ତ୍ତମାନର ବର୍ଦ୍ଧିତ ବିଦ୍ୟୁତ୍ ଭଡା ସେମାନଙ୍କ ଆର୍ଥିକ ବୋଝକୁ ବଢାଇ ଦେଇଛି । ରାଜ୍ୟରେ ବିଦ୍ୟୁତ୍ ସଂସ୍କାର ନାଁରେ ସରକାର ଘରୋଇ କମ୍ପାନୀଙ୍କ ହାତରେ ବିଦ୍ୟୁତ୍ ବଣ୍ଟନ ଦାୟିତ୍ୱ ଦେବାବେଳେ ଏଣିକି ଉତ୍ତମ ଓ ନିରନ୍ତର ବିଦ୍ୟୁତ୍ ସେବା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଗତ ଦୁଇ ଦଶନ୍ଧି ମଧ୍ୟରେ ବିଦ୍ୟୁତର ମାନରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିବା ବେଳେ ବାରମ୍ବାର ବିଦ୍ୟୁତ୍ କାଟ କରାଯାଉଛି । ବିଦ୍ୟୁତ୍ ସଂସ୍କାର ଏବେ କର୍ପୋରେଟ୍ ଲୁଟର ମାଧ୍ୟମରେ ପରିଣତ ହୋଇଯାଇଛି ।
ଏଭଳି ପରିସ୍ଥିତିରେ ଆଜି ବିକ୍ଷୋଭକାରୀମାନେ ବର୍ଦ୍ଧିତ ବିଦ୍ୟୁତ୍ ଭଡାକୁ ପ୍ରତ୍ୟାହାର କରିବା ସହ ବିଦ୍ୟୁତ୍ ଭଳି ଏକ ଅତ୍ୟାବଶ୍ୟକ ସେବାରୁ କର୍ପୋରେଟ୍ କମ୍ପାନୀମାନଙ୍କୁ ହଟାଇବାକୁ ଦାବି କରିଛନ୍ତି ।

ଆଜିର ବିକ୍ଷୋଭରେ ଇଫଟୁ ଆବାହକ ପ୍ରତାପ ଚନ୍ଦ୍ର ପ୍ରଧାନ,
ଏଆଇକେକେଏମଏସ୍ ରାଜ୍ୟ ସମ୍ପାଦକ ପ୍ରତାପ କୁମାର ନାୟକ, ଏଆଇକେକେଏମଏସ୍ ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ମାନବିକ ଅଧିକାର ସୁରକ୍ଷା ସଂଗଠନର ଅବନୀ କୁମାର ଗୟା, ଯୁବନେତା ଶିବରାମ ସାହୁ, ଲକ୍ଷ୍ମୀ ନୃସିଂହ ରଥ, ସାମାଜିକ କର୍ମୀ ଶ୍ରୀନିବାସ ରାଓ, ମନୋଜ କୁମାର ତରାଇ, କୃଷ୍ଣ ଚନ୍ଦ୍ର ବରାଡ, ଆଦିତ୍ୟ କୁମାର ରଥ, ପ୍ରଦୀପ ଚୌଧୁରୀ, ଆଦିତ୍ୟ ପାଣିଗ୍ରାହୀ, ତୋଫାନ ସ୍ୱାଇଁ , ମଣ୍ଟୁ ଗୌଡ଼
ଆନୁ ଜେନା, ଖାଉଟି ଅଧିକାର କର୍ମୀ କାମେଶ୍ଵର ରାଓ, କୃଷକ ନେତା ଲଡୁକିଶୋର ଡାକୁଆ, ଧୋବା ଗୌଡ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here