ବିଶ୍ବ ନାଟ୍ୟ ଦିବସ ଅବସରରେ ଛତ୍ରପୁର ଠାରେ ମଞ୍ଚସ୍ଥ ହେବ ନାଟକ “ଗାନ୍ଧୀଙ୍କ ଓଡିଶା”

0
249

ଛତ୍ରପୁର(ନ୍ୟୁଜଏକ୍ସଟ୍ରା) ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାର, ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ପ୍ରଶାସନ,ଗଞ୍ଜାମ ମିଳିତ ଆନୁକୂଲ୍ୟରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଏକଶତ ବର୍ଷ ପୂର୍ତ୍ତି ଅବସରରେ ଚଳିତ ମାସ ୨୭ ତାରିଖରେ ପାଳନ ହେବାକୁ ଥିବା “ବିଶ୍ବ ନାଟ୍ୟ ଦିବସ” ରେ ବ୍ରହ୍ମପୁର ସହରର ଅଗ୍ରଣୀ ଓଡିଶା ନାଟକ ସମାରୋହ ସମିତି ଦ୍ବାରା ପ୍ରସ୍ତୁତ ନାଟକ “ଗାନ୍ଧୀଙ୍କ ଓଡିଶା” ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହେବ ।
୧୯୨୧ ମାର୍ଚ୍ଚ ୨୩ ତାରିଖ ଦୋଳପୂର୍ଣ୍ଣିମା ଦିନ କଟକରେଳ ଷ୍ଟେସନ ରେ କର୍ବ ପ୍ରଥମେ ଗାନ୍ଧିଜୀ ଓଡିଶା ଆଗମନ କରି ଓଡିଶାରେ ଶାନ୍ତି,ମୈତ୍ରୀର ବାର୍ତ୍ତା ପ୍ରଚାର ପ୍ରସାର କରିବା ସହିତ, ଓଡିଶାରେ ଅରଟ ଅଭିଯାନର ଆରମ୍ଭ କରିଥିଲେ । ଉତ୍କଳର ଭାଗିରଥୀ ପୂଣ୍ୟାତ୍ମା ଗୋପବନ୍ଧୁ ଦାସ, ମଧୁସୂଦନ ଦାସ, ନୀଳକଣ୍ଠ ଦାଶ, ଗୋପବନ୍ଧୁ ଚୌଧୁରୀ, ହରେକୃଷ୍ଣ ମହତାବ,ଆଚାର୍ଯ୍ୟ ହରିହର,ଚନ୍ଦ୍ର ଶେଖର ବେହେରା,କସ୍ତୁରବା,ରମାଦେବୀ ପ୍ରମୁଖ କିଭଳି ପରାଧୀନ ଭାରତକୁ ମୁକ୍ତି କରିବା ଦିଗରେ ପ୍ରୟାସ କରିଥିିଲେ । ଲବଣ ସତ୍ୟାଗ୍ରହ ଆନ୍ଦୋଳନକୁ ତୀବ୍ରତର କରିଥିଲେ । ଓଡିଶାର କୁଟୀରଶିଳ୍ପର ବିକାଶ କ୍ଷେତ୍ରରେ ଡାକରା ଦେଇଥିଲେ । ସେହି ସମସ୍ତ ଘଟଣାବଳୀକୁ ଆଧାର କରି ଏକ ଭିନ୍ନଶୈଳୀରେ ରୂପକ ନାଟକ “ଗାନ୍ଧୀଙ୍କ ଓଡିଶା” କୁ ରଚନା କରଛନ୍ତି ଶଙ୍କର ତ୍ରିପାଠୀ, ନିର୍ଦ୍ଦେଶନା ଦେଇଛନ୍ତି ରାଜୁ ପାଢୀ, ସହ ନିର୍ଦ୍ଦେଶନାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ।
ଚଳିତ ମାସ ୨୩ ତାରିଖରେ ଓଡିଶାର ସମସ୍ତ ୩୦ଟି ଜିଲ୍ଲାର କଳାକାରଗଣ ଏକ ସାଥୀରେ ଗୋଟିଏ ଦିନରେ ଏହି ନାଟକ ପରିବେଷଣ କରିଥିଲେ । ଏହି ସୁଯୋଗକୁ ପୁଣିଥରେ ଦେଖିବାର ସୁଯୋଗ ଚଳିତ ବିଶ୍ବ ନାଟ୍ୟ ଦିବସ ଅବସରରେ ଚଳିତ ମାସ ୨୭ ତାରିଖରେ ଛତ୍ରପୁର ସ୍ଥିତ ସଂସ୍କୃତି ଭବନ ମଞ୍ଚରେ ସଂଧ୍ୟା ଘ.୦୬.୩୦ମି. ସମୟରେ କୋଭିଡ୍ ନିୟମ ଅନୁପାଳନ କରି ଦର୍ଶକ ଗଣ ଏହି ନାଟକ ଉପଭୋଗ କରିବା ସହିତ ଓଡିଶାରେ ସ୍ବାଧୀନତା ଆନ୍ଦୋଳନର ଇତିହାସ ଜାଣିପାରିବେ । ଏହି ସୁଯୋଗକୁ ହାତଛଡା ନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମର ସେଠୀ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here