ସ୍ୱାସ୍ଥ୍ୟ ସଚେତନତା ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସଫେଇ ସହ ଟିମ କ୍ଲିନ ସିଟିର ସାପ୍ତାହିକ ସାମାଜିକ ସେବା ଜାରି

0
269

ବ୍ରହ୍ମପୁର() ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବ୍ରହ୍ମପୁରର ଟିମ କ୍ଲିନ ସିଟି(TCC) ପକ୍ଷରୁ ସାପ୍ତାହିକ ସାମାଜିକ ସେବା କାର୍ଯ୍ୟ ଜାରି ରହିଛି। ଆଜି ଟିମ ପକ୍ଷରୁ ସଦସ୍ୟ ମାନେ ଭୁବନେଶ୍ୱର ସ୍ଥିତ ‘ଆମରି’ ହସ୍ପିଟାଲ ଦ୍ୱାରା ଆୟୋଜିତ ସ୍ୱାସ୍ଥ୍ୟ ସଚେତନତା ଅଭିଯାନରେ ସାମିଲ ହୋଇଥିଲେ । ସ୍ଥାନୀୟ କମାପଲି ଛକରୁ ଶୋଭାଯାତ୍ରାରେ ବାହାରି ଟାଉନ ହଲ ପର୍ଯ୍ୟନ୍ତ ଯାଇଥିଲେ। ହାତରେ ପ୍ଲା କାର୍ଡ ଧରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରଚେଷ୍ଟା କରାଯାଇଥିଲା।ପରେ ଟିମ ସଦସ୍ୟ ମାନେ ସବ ରେଜିଷ୍ଟ୍ରାର ଅଫିସ ନିକଟରେ ଥିବା ମହାନ ଜନନାୟକ, ସ୍ୱାଧୀନତା ସଂଗ୍ରାମୀ ପୂର୍ବତନ ସାଂସଦ ଓ ବିଧାୟକ ସ୍ବର୍ଗତ ପଦ୍ମଶ୍ରୀ ମୋହନ ନାୟକଙ୍କ ପ୍ରତିମୂର୍ତ୍ତିକୁ ସଫେଇ କରାଯାଇଥିଲା। ପରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ବର୍ଗତ ନେତାଙ୍କ ସ୍ମୃତିଚାରଣ କରାଯାଇଥିଲା। ପଦ୍ମଶ୍ରୀ ମୋହନ ନାୟକ ସ୍ୱାଧୀନତା ପୂର୍ବ ସତ୍ୟାଗ୍ରହ ଓ ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ସାମିଲ ହୋଇଥିଲେ। ପରେ 1957 ଓ 1962ମସିହାରେ ଗଞ୍ଜାମରୁ ସାଂସଦ ଭାବେ ଓ 1974 ମସିହାରେ ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସ୍ବର୍ଗତ ପଦ୍ମଶ୍ରୀ ମୋହନ ନାୟକ ଜଣେ ଅଗଧାଡ଼ିର ଦଳିତ ନେତା ଥିଲେ। ପରେ ସମ୍ପ୍ରତି ଜାରି ରହିଥିବା ପ୍ରବଳ ରୌଦ୍ରତପକୁ ଦୃଷ୍ଟିରେ ରଖି ଟିମର ସଦସ୍ୟଙ୍କ ଦ୍ୱାରା ବୃକ୍ଷରେ ଜଳଦାନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ TCC ର ବହୁ ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here