ସୋରଡା ବ୍ଳକର ପିପଳପଙ୍କା ଠାରେ ପ୍ରସ୍ତାବିତ ନଦୀବନ୍ଧ ପ୍ରକଳ୍ପ ବିରୋଧରେ ୧୯ଟି ଗ୍ରାମର ଲୋକଙ୍କ ପ୍ରତିବାଦ ସଭା

0
587

ଗଞ୍ଜାମ() ସୋରଡା ବ୍ଳକର ଗୋଛା ପଂଚାୟତ ଅନ୍ତର୍ଗତ ପିପଳପଙ୍କା ଠାରେ ଋଷିକୂଲ୍ୟା ଓ ଓଡାଙ୍ଗୀ ନଦୀର ମିଳନ ସ୍ଥଳରେ ରାଜ୍ୟ ସରକାର ଏକ ନଦୀବନ୍ଧ ପ୍ରକଳ୍ପ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ପ୍ରକଳ୍ପ ଫଳରେ ସୋରଡା ବ୍ଳକର ଗୋଛା ଓ ଗାଜଲବାଡି ଗ୍ରାମ ପଂଚାୟତର ୧୯ଟି ଗ୍ରାମର ଲୋକ ସିଧାସଳଖ ଭାବେ ନିଜର ଘରବାଡି, ଚାଷଜମି ଓ ଜଙ୍ଗଲ ହରାଇବେ । ଏହା ବ୍ୟତୀତ ପରୋକ୍ଷ ଭାବେ ଅନେକ ଗ୍ରାମର ଲୋକେ କ୍ଷତିଗ୍ରସ୍ତ ହେବାକୁ ଯାଉଛନ୍ତି । ଯଦିଓ ନଦୀବନ୍ଧ ନିର୍ମାଣ ନେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ନାହିଁ, ତେବେ ଏହା ଛତ୍ରପୁର ଅଂଚଳରେ ଗଢି ଉଠୁଥିବା ଶିଳ୍ପମାନଙ୍କୁ ଜଳ ଯୋଗାଇବାକୁ ଉଦ୍ଦିଷ୍ଟ ବୋଲି କୁହାଯାଉଛି । ପ୍ରକଳ୍ପ ନିର୍ମାଣ ପୂର୍ବରୁ ଜନଶୁଣାଣୀ କରି ସମ୍ପୄକ୍ତ ଅଂଚଳର ଜନଗଣଙ୍କ କୌଣସି ମତାମତ ନିଆଯାଇନାହିଁ । ଲୋକଙ୍କୁ ସମ୍ପୂର୍ଣ୍ଣ ଅନ୍ଧାରରେ ରଖି ପ୍ରଥମେ ସର୍ଭେ ପରେ ଏବେ ରାଜ୍ୟ ବାହାରର ଏକ କମ୍ପାନୀ ଜରିଆରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।
ତେବେ ପ୍ରକଳ୍ପ ଫଳରେ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ହେବାକୁ ଯାଉଥିବା ୧୯ଟି ଗାଁର ଶତାଧିକ ଲୋକ ଆଜି ସ୍ଥାନୀୟ ଗାଜଲବାଡି ଠାରେ ଏକ ସଭା କରି ଭିଟାମାଟି ସୁରକ୍ଷା ମଂଚ ନାମରେ ଏକ ସଙ୍ଗଠନ ଗଢି ନିଜର ଭିଟାମାଟି ସୁରକ୍ଷା ପାଇଁ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବାକୁ ଘୋଷଣା କରିଛନ୍ତି । ଆଦିବାସୀ ନେତା ବ୍ରଜମୋହନ ମଳିକଙ୍କ ନେତୄତ୍ଵରେ ଆୟୋଜିତ ଏହି ସଭାରେ ଅଖିଳ ଭାରତ କିଶାନ୍ ମଜଦୁର୍ ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ରାଜ୍ୟ କମିଟି ସଦସ୍ୟ କୁଶନାଥ ପ୍ରଧାନ, ବ୍ଳକ୍ ସମ୍ପାଦକ କାଳୁ ଚରଣ ନାୟକ, ପ୍ରଗତିଶୀଳ ବୁଦ୍ଧିଜୀବୀ ରାଜା ସୁରେଶ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଆଦିବାସୀ ନେତା ଉଗ୍ରସେନ ମଳିକଙ୍କୁ ଆବାହକ ଏବଂ କେଳା ମଳିକଙ୍କୁ ସହ ଆବାହକ ରୂପେ ନିର୍ବାଚିତ କରାଯାଇଥିଲା । ଆଗାମୀ ଦିନରେ ମଂଚ ପକ୍ଷରୁ ଗାଁ ଗାଁରେ ସଭା ସମିତି କରି ନିଜର ଭିଟାମାଟିକୁ ସୁରକ୍ଷା ଦେବାର ଆନ୍ଦୋଳନକୁ ଜୋରଦାର କରିବାକୁ ସ୍ଥିର କରାଯାଇଥିଲା । ସଭାରେ ନାପାପେଢି, ଗାଜଲବାଡି, ଜୁରାକୁଆ, ମାଙ୍କଡଖାରୀ, ଗମ୍ଭାରିଗୁଡି, ରାମନାବାଡି ଆଦି ୧୯ଟି ଗାଁର ଲୋକେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here