ଇନ୍ଦ୍ରାବତୀ କୁ ନେଇ ରାଜ୍ୟ ସରକାର ଉପରେ ବର୍ଷିଲା ବିଜେପି , ଆନ୍ଦୋଳନ କରିବାକୁ ଚେତାବନୀ

0
403

କୋଷାଗୁମୁଡା (ଯୋଗେନ୍ଦ୍ର ପ୍ରସାଦ ମହାନ୍ତି) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବୃହତ୍ତ ଇନ୍ଦ୍ରାବତୀ ଜଳ ପ୍ରକଳ୍ପକୁ ନେଇ କଳାହାଣ୍ଡି ଜିଲାରେ ଜୟପାଟଣା ବ୍ଲକ ମଙ୍ଗଳପୁରଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜଳସେଚନ ପ୍ରକଳ୍ପଗୁଡିକର ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନକୁ ନେଇ ନବରଙ୍ଗପୁର ଜିଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି। ମୁଖ୍ୟମନ୍ତ୍ରୀ ୨୫ହଜାର ହେକ୍ଟର ଜମିକୁ ଜଳସେଚିତ ଏକ ଉଠା ଜଳ ସେଚନ ପ୍ରକଳ୍ପର ଉଦ୍‍ଘାଟନ କରିଛନ୍ତି। ସେହିଭଳି ୫୬ଟି ପ୍ରକଳ୍ପ ଉଦଘାଟନ ଓ ୫୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତସ୍ଥାପନ କରିଛନ୍ତି। ଏହା ମଧ୍ୟରେ ଅନେକ ଜଳସେଚନ ପ୍ରକଳ୍ପ ରହିଛି। ଅଧିକାଂଶ ଇନ୍ଦ୍ରାବତୀ ନଦୀ ସମ୍ପର୍କିତ ରହିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ନବରଙ୍ଗପୁର ଜିଲାର ଜନସାଧାରଣଙ୍କ ପାଇଁ କଟାଘାଷର ଚୁନ ଦେବା ସଦୃଶ୍ୟ ହୋଇଛି ବୋଲି କୁହାଯାଇଛି। ଜିଲା ବିଜେପି କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ଯୋଗ ଦେଇଥିଲେ ।
ସେ କହିଥିଲେଯେ,୧୯୭୮ରେ ଇନ୍ଦ୍ରବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଆରମ୍ଭ ହୋ ୧୯୯୯ରେ ସମାପ୍ତ ହୋଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଏକ ପ୍ରତିନିଧି ଦଳ ପରବର୍ତ୍ତୀ ବିସ୍ତୁତ ଆଲୋଚନା କରି ଥିବାବେଳେ ପୋଡାଗଡ, କପୁର, ଓ ମୁରାନ ନଦୀ ଡ୍ୟାମ ନିର୍ମାଣ କରାଯିବ। ନବରଙ୍ଗପୁର ଅଞ୍ଚଳକୁ ୧ ଲକ୍ଷ ୮୨ ହଜାର ଏକର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ତଳମୁଣ୍ଡର ଜଳ ସଂଙ୍କଟକୁ ଦୂର କରିବା ପାଇଁ ୪୫ ଟିଏମସି ପାଣି ମଧ୍ୟ ଛଡାଯିବ। ତେବେ ଦୁର୍ଭାଗ୍ୟର ବିଷୟ କୌଣସି ଗୋଟିଏବି ପ୍ରତିଶୃତି ପାଳନ କରାଗଲା ନାହିଁ। ବରଂ ସମସ୍ତ ନଦୀ ଉପରେ ବନ୍ଧନିର୍ମାଣକରି ଗୋଦାବରୀ ଅବବାହିକାରେ ସମସ୍ତ ଜଳକୁ ମହାନଦୀ ଅବବାହିକାକୁ ଠେଲି ଦିଆଗଲା। ଏହା ଦ୍ୱାରା କଳାହାଣ୍ଡି ଜିଲାର ୧ ଲକ୍ଷ ୪୦ ହଜାର ହେକ୍ଟର ଜମିକୁ ଜଳସେଚନ ହୋଇ ପାରୁଛି ଓ ୬ଶହ ମେଗାୱଟ ବିଦ୍ୟୁତ ଉତ୍ପାଦନ ହୋଇ ପାରୁଛି। ନବରଙ୍ଗପୁର ଜିଲାର ଦୁଇଟି ପୋଡଶୀ ଜିଲା କୋରାପୁଟ ଓ କଳାହାଣ୍ଡିର ଚାଷୀ ଜଳସେଚନର ସୁବିଧା ପାଉଛନ୍ତି। ନବରଙ୍ଗପୁର ଜିଲାର ଉମରକୋଟ ସ୍ଥିତ ଭାସ୍କଲ ପ୍ରକଳ୍ପକୁ ଛାଡିଦେଲେ ଜଳସେଚନ ପାଇଁ ଅନ୍ୟ କିଛି ସୁବିଧା ନାହିଁ। ଇନ୍ଦ୍ରବତୀ ନଦୀ ଅବବାହିକାର ତଳଅଞ୍ଚଳର ସମସ୍ୟା ଗୁଡିକ ଦୂରୀକରଣ କରିବା ପାଇଁ ୧୯୯୮ରେ ସରକାର ହାର୍ଜା କମିଟି ଗଠନ କରିଥିଲେ। କମିଟି ଅନୁଧ୍ୟାନ କଲାପରେ ସମସ୍ୟା ଗୁଡିକ ସମାଧାନ ପାଇଁ ଏକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କଲେ। ସେଥିମଧ୍ୟରେ ଥିଲା ୭୫ଟି ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ, ୩୦୦ ଗଭୀର ନଳକୂପ ଖନନ, ଟୁରୀ, ତେଲେଙ୍ଗିରି, ଭାସ୍କଲ, ବାଙ୍ଗରି ନାଲା, ଲୋୟାର ଇନ୍ଦ୍ରବତୀ ନଦୀବନ୍ଧ ନିର୍ମାଣ, ଓ ଇନ୍ଦ୍ରବତୀ ନଦୀରୁ ପ୍ରତି ସେକେଣ୍ଡକୁ ୫.୫ କ୍ୟୁବିକ ମିଟର ଏବଂ ମୁରାନ ଡ୍ୟାମରୁ ୧.୫ କ୍ୟୁବିକ ମିଟର ଜଳ ନିସ୍କାସନ। ଏହି ସମସ୍ତ ପ୍ରସ୍ତାବ ଗୁଡିକ କାର୍ଯ୍ୟକାରୀ କରିବା ପାଇଁ ୧୯୯୯ ମସିହା ୨୪ ତମ ଟି.ଏ.ସି ବୈଠକରେ ଆଲୋଚନା ପରେ ଗୃହୀତ ହୋଇଥିଲା। ନବରଙ୍ଗପୁର ଜିଲାର ଜଳସେଚନ ସୁବିଧା ପାଇଁ ପ୍ରାଥମିକ ଆକଳନ ପ୍ରକାରେ ଟୁରୀ ଗୁଣିଥାଟ ପ୍ରକଳ୍ପ ନିର୍ମାଣ ହେଲେ ୯୧୩୫ ହେକ୍ଟର ଜଳସେଚିତ ହୋଇ ପାରିବ। ଲୋୟାର ଭାସ୍କଲ ହେଲେ ୧୧୩୦୦ ହେକ୍ଟର ଜମିକୁ ଚନ୍ଦାହାଣ୍ଡିର ତେଲ ଇଣ୍ଟିଗ୍ରେଟଡ ପ୍ରଜେକ୍ଟ ହେଲେ ୧୨୦୦୦ ହେକ୍ଟର ଓ ଲୟାର ଇନ୍ଦ୍ରାବତୀ ପ୍ରକଳ୍ପ ହେଲେ ୧୨୦୦୦ ହେକ୍ଟର ଜମି ଜଳସେଚିତ ହୋଇ ପାରିବ। ଟୁରୀ ଗୁଣିଥାଟ ପ୍ରକଳ୍ପ ଆରମ୍ଭ କରିବା ପାଇଁ ୨୦୧୬ ମସିହାରୁ ସେଣ୍ଟ୍ରାଲ ୱାଟର କମିଶନ ଅନୁମତି ଦେଇ ସାରିଛନ୍ତି। ରାଜ୍ୟ ସରକାର ଚାହିଁଲେ ପ୍ରକଳ୍ପ ଆରମ୍ଭ ହୋଇ ପାରିବ। ଦୁର୍ଭାଗ୍ୟର ବିଷୟ ନବରଙ୍ଗପୁର ଜିଲାର କୃଷକ ମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଇଛା ପ୍ରକାଶ କରୁନାହାଁନ୍ତି। ପୋଡଶୀ ଜିଲା ମାନଙ୍କରେ ତେଲିଆ ମୁଣ୍ଡରେ ତେଲ ପରି ଗୋଟିଏ ପରେ ଗୋଟିଏ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। କୌଣସି ଜିଲାର ପ୍ରଗତି ଓ ବିକାଶକୁ ବିରୋଧ କରିବା ଉଦ୍ଦେଶ୍ୟ ନୁହେଁ।

LEAVE A REPLY

Please enter your comment!
Please enter your name here