ଅଜଣା ରୋଗରେ ଆକ୍ରାନ୍ତ ରଶ୍ମିତା, ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ନିବେଦନ

0
308

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ଅଜଣା ରୋଗରେ ଆକ୍ରାନ୍ତ ହୋଇ ଦୁଇ ଭାଇ ଙ୍କ ମୃତ୍ୟୁ ପରେ ଏବେ ଭଉଣୀ ସେହି ରୋଗ ରେ ଆକ୍ରାନ୍ତ ହୋଇ ଚିକିତ୍ସା ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ଖାରିପଲ୍ଲୀ ଗ୍ରାମରେ । ଖାରିପଲ୍ଲୀ ଗ୍ରାମର ଧୋବା ପ୍ରଧାନ ଓ ପତ୍ନୀ ପୂର୍ଣ୍ଣବାସୀ ପ୍ରଧାନଙ୍କର  ଦୁଇ ପୁଅ ଓ ଦୁଇ ଝିଅକୁ ନେଇ ହସଖୁସିରେ ସଂସାର ଚଳି ଯାଉଥିଲା । ବଡ଼ ପୁଅ ଲିଟୁନା ପ୍ରଧାନକୁ ଯେତେବେଳେ ୨୨ ବର୍ଷ ସେ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ୧୦ ବର୍ଷ ତଳେ ମୃତ୍ୟୁ ବରଣ କରିଥିଲେ । ଏହା ପରେ ସାନ ପୁଅ ନିକୁଞ୍ଜ ପ୍ରଧାନ ୨୮ ବର୍ଷ ବୟସରେ ଏହି ଅଜଣା ରୋଗରେ ଆକ୍ରାନ୍ତ ହୋଇ ଗତ ଅଗଷ୍ଟ ମାସ ୧୮ ତାରିଖରେ ମୃତ୍ୟୁ ବରଣ କରିଥିଲେ । ସାନ ଝିଅ ରଶ୍ମିତା ପ୍ରଧାନ ବେଶ ହସଖୁସିରେ ଗାଁ ସ୍କୁଲ ରେ ପାଠ ପଢୁଥିଲା । ସପ୍ତମ ଶ୍ରେଣୀ ରେ ପାଠ ପଢ଼ୁଥିବା ବେଳେ ସେ ମଧ୍ୟ ଏହି ଅଜଣା ରୋଗରେ ଆକ୍ରାନ୍ତ ହେଲା । ଏବେ ତାକୁ ୨୫ ବର୍ଷ ବୟସ ହେଲାଣି  ହେଲେ ସେ ଚାଲି ପାରୁନାହିଁ କି ବସିବା ସ୍ଥାନରୁ ଉଠି ପାରୁନାହିଁ । ମାଆ ତାକୁ ଟେକି ଟେକି ନେଉଛନ୍ତି । ଭେଣ୍ତିଆ ଦୁଇ ପୁଅଙ୍କୁ ହରାଇ ଗୁମୁରି ଗୁମୁରି କାନ୍ଦୁଛନ୍ତି ପୂର୍ଣ୍ଣବାସୀ । ସେପଟେ ଝିଅ ରଶ୍ମିତା କୁ ନେଇ ବ୍ରହ୍ମପୁର, ଭୁବନେଶ୍ୱର, କଟକ, ହାଇଦ୍ରାବାଦ, ମୁମ୍ବାଇ ପ୍ରଭୃତି ମେଡ଼ିକାଲ ରେ ଡାକ୍ତରଙ୍କୁ ଦେଖାଇଲେ ମଧ୍ୟ ରୋଗ ର ଉପଚାର ହୋଇପାରୁ ନାହିଁ । ଚିକିତ୍ସା କରି ସର୍ବସ୍ବାନ୍ତ ହେବା ପରେ ଅର୍ଥ ଉପାର୍ଜନ ପାଇଁ ବାପା ଧୋବା ପ୍ରଧାନ ଗତ ଏକ ମାସ ହେଲା ହାଇଦ୍ରାବାଦ ଯାଇ ଦାଦନ ଶ୍ରମିକ ଭାବେ କାମ କରୁଛନ୍ତି ।  ସେପଟେ ଖେଳିବା ବୁଲିବା ବୟସ ରେ ଚାଲି ପାରୁ ନ ଥିବା ରୁ ଭାଗ୍ୟକୁ ଆଦରି ମନଦୁଃଖ ରେ ବସିରହୁଛି ରଶ୍ମିତା । ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତି, ଅନୁଷ୍ଠାନ ସହାୟତାର ହାତ ବଢ଼ାଇଲେ ତାର ଉପଯୁକ୍ତ ଚିକିତ୍ସା ହୋଇ ପାରନ୍ତା ଓ ସେ ଚାଲିବୁଲି ପାରନ୍ତା ବୋଲି ଅତି ଆକୁଳ କଣ୍ଠରେ ନିବେଦନ କରିଛି ରଶ୍ମିତା । ଯଦି କେହି ରଶ୍ମିତା କୁ ସାହାଯ୍ୟ କରିବା ପାଇଁ ଚାହାନ୍ତି ତାଙ୍କର ଷ୍ଟେଟ୍ ବ୍ୟାଙ୍କ ଆକାଉଣ୍ଟ ନମ୍ବର ୩୪୮୭୩୫୨୯୫୮୪ କୁ ଅର୍ଥ ରାଶି ପଠାଇ ପାରିବେ କିମ୍ବା ତାଙ୍କର ମୋବାଇଲ ନମ୍ବର ୯୩୩୭୧୩୩୩୪୨ ରେ ଯୋଗାଯୋଗ କରିପାରିବେ ।

LEAVE A REPLY

Please enter your comment!
Please enter your name here