ସରକାରୀ ସହାୟତା ପ୍ରାପ୍ତ୍ୟାର୍ଥେ କଳାକାର ଶୋଭାଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

0
301

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ସଂପ୍ରତି କରୋନା ମହାମାରୀ ଦ୍ଵାରା କଳାକାର ସମାଜ ପ୍ରଭୂତ କ୍ଷତି ସହିଲେଣି । ଏହି ମର୍ମରେ ସରକାରଙ୍କୁ ବହୁବାର ବହୁ ସମୟରେ ରାଜ୍ୟର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସହାୟତା ଯାଚନା କରାଯାଇଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ସରକାର କଳାକାର ମାନଙ୍କ ଆକୁଳ ନିବେଦନ ପ୍ରତି ଆଦୌ ଦୃକ୍ପାତ କଲେ ନାହିଁ । ଏପଟେ କଳାକାର ମାନଙ୍କ ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇ ଚାଲିଛି । କେତେ କ୍ଷେତ୍ରରେ କଳାକାର ମାନେ ନିଜ ନିଜ ଜୀବିକା ସାଧନ ହାରମୋନୀୟମ, ତବଲା, କେସିଓ ଆଦି ବିକ୍ରିବଟା କରିସାରିଲେଣି । ଏଣିକି ଜୀବନ ଅତ୍ୟନ୍ତ ଦୁର୍ବିସହ ଆଡ଼କୁ ଗତି କରୁଛି । ଏପରି ଏକ ସଙ୍କଟମୟ ସ୍ଥିତିରେ ପହଞ୍ଚିବା ପରେ ଯଥାର୍ଥ କାର୍ଯ୍ୟପନ୍ଥା ଗ୍ରହଣ ନିମନ୍ତେ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ତରଫରୁ ଏକ କାର୍ଯ୍ୟକାରୀଣି ବୈଠକ ସଂଘ ସହ ସମ୍ପାଦକ ବଳଦେବ ସାହୁଙ୍କ ବାଲାଜୀ ପେଣ୍ଠ ଗୌଡ଼ ସାହି ସ୍ଥିତ ବାସ ଭବନ ପରିସରରେ ସଂଘ ସଭାପତି ସୁବାସ ଚନ୍ଦ୍ର ସାହୁ ମାମାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଳାକାର ମାନଙ୍କ ଦୟନୀୟ ଅବସ୍ଥା ଘେନି ଉଦବେଗ ପ୍ରକାଶ ପାଇବା ସହ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା କର୍ମକର୍ତ୍ତା ମାନଙ୍କୁ ସାମିଲ କରି ନଭେମ୍ବର ଛ’ ତାରିଖ ପୂର୍ବାହ୍ନ ଦଶ ଘଟିକା ସମୟରେ ଏକ ଶାନ୍ତିପୂର୍ଣ୍ଣ କଳାକାର ଶୋଭାଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କୁ ଦାବି ପତ୍ର ପ୍ରଦାନ କରିବାକୁ ସ୍ଥିର କରାଗଲା । ବୈଠକରେ ସଂଘର ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ସମେତ ବରିଷ୍ଠ ଭାରତ ଲୀଳା ଗୁରୁ ସନ୍ତୋଷ ପାଢ଼ୀ ଓ ସଙ୍ଗୀତ ନିର୍ଦ୍ଦେଶକ ଶ୍ୱେତ କୁମାର ରଥଙ୍କୁ କାର୍ଯ୍ୟକାରୀ କମିଟିରେ ସାମିଲ କରାଗଲା । ଏହି ବୈଠକରେ ସର୍ବଶ୍ରୀ ନାଟ୍ୟ-ବିଦ୍ୟା-ବୁଦ୍ଧ ପ୍ରଫୁଲ୍ଲ ବେହେରା, ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ନୀଳମାଧବ ଜେନା, ଭଗବାନ ସାମଲ, ସତ୍ୟ ନାରାୟଣ ମହାରଣା, ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ସୂର୍ଯ୍ୟ ନାରାୟଣ ପାତ୍ର, ସନିଆ ବେହେରା, କିଶୋର କପୁର, ବଳଦେବ ସାହୁ, ପ୍ରଫୁଲ୍ଲ ନାୟକ, ଶ୍ରୀମତୀ ଗୀତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସଂଘ ସମ୍ପାଦକ ନୃତ୍ୟାଚାର୍ଯ୍ଯ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ଵାଗତ ଭାଷଣ ଛଳରେ କଳାକାର ସମାଜର ସାମ୍ପ୍ରତିକ ଦୟନୀୟ ଚିତ୍ର ଅବତାରଣା କରିଥିବା ବେଳେ କୋଷାଧ୍ୟକ୍ଷ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ପ୍ରସଙ୍ଗ ଭିତ୍ତିକ ଆଲୋଚନାର ସୂତ୍ରପାତ କରିଥିଲେ । ପରିଶେଷରେ ସଙ୍ଗୀତ ଶିକ୍ଷକ ଲକ୍ଷ୍ମୀ ନାରାୟଣ ସାମଲ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here