ପାଞ୍ଚ ବର୍ଷର ଝିଅ ପେଟ ବାହାରେ ବଢୁଛି ମାଂସ ପିଣ୍ଡୁଳା

0
370

ବେଗୁନିଅପଡା(ଭଞ୍ଜ କିଶୋର ମହାରଣା) ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ଗ୍ରାମର ଭୁଜବଳ ସାହିର ପାଞ୍ଚ ବର୍ଷର ଝିଅ ମାମା ନାୟକ l ଦୁର୍ବଳ ଶରୀର ସହିତ ତାର ପେଟକୁ ଲାଗି ବାହାରେ ବଢୁଛି ଏକ ମାଂସ ପିଣ୍ଡୁଳା l ନିଜେ କଷ୍ଟ ସହିସହି ପଥର ହୋଇଗଲାଣି ସିନା ଦୁଃଖକୁ ନିଜ ମନ ଭିତରେ ଚାପି ରଖିଛି ସେ l ଖେଳିବା ବୟସରେ ତା ମୁହଁରେ ଦୁଃଖ ଭରିରହିଛି l ମାମାର ବାବା ନିରଞ୍ଜନ ନାୟକ 10 ବର୍ଷ ପୂର୍ବେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ କେ.ବରିଡା ପଂଚାୟତର ଝୁମୁରି ନାୟକଙ୍କୁ ବିବାହ କରିଥିଲେ l ବଡ ଝିଅ ‘ଶିବାନୀ’ ପରେ ‘ମାମା’ ଜନ୍ମ ହୋଇଥିଲା l ତୃତୀୟ ସନ୍ତାନ ଭାବେ ‘ରୁପମ’ ଜନ୍ମ ନେଇଥିଲା l ମାମା ଜନ୍ମ ବେଳେ ତାର ପେଟରେ ଏକ ଛୋଟ ଆବୁ ଦେଖାଦେଇଥିଲା l କାଳକ୍ରମେ ତାହା ବଡ ହୋଇ ଚାଲିଥିଲା ସିନା ତାହାର ଅର୍ଥ ଅଭାବରୁ ପରିବାର ଲୋକେ ମାମାର ଚିକତ୍ସା କରିପାରିନଥିଲେ l ବର୍ଷ ପରେ ବର୍ଷ ବିତି ବର୍ତ୍ତମାନ ମାମାକୁ ୫ ବର୍ଷ ବୟସ ଚାଲିଛି l ତିନି ବର୍ଷ ପୂର୍ବେ ସ୍ୱତନ୍ତ୍ର ମେଡିକାଲ ପ୍ରତିନିଧି ଆସି ତାକୁ ଚିକତ୍ସା ପାଇଁ କହିଥିଲେବି ତାହା ସମ୍ପୂର୍ଣ୍ଣ କରିନଥିଲେ l ଦୁଇ ବର୍ଷ ପୂର୍ବେ ବାପା ନିରଞ୍ଜନ କୁଆଡେ ଯାଇଛନ୍ତିଯେ ତାଙ୍କର ଖୋଜ ଖବର ନାହିଁ l ବଡ ଝିଅ ଶିବାନୀ ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ସାନ ପୁଅକୁ ତିନି ବର୍ଷ l ମାମା ବିଦ୍ୟାଳୟ ଯିବା ବୟସ ହୋଇଥିଲେବି ଏହି ମାଂସ ପିଣ୍ଡୁଳାକୁ ବୋହି ଚାଲିପାରିବା ତା ପାଇଁ କଷ୍ଟସାଧ୍ୟ ହୋଇପଡିଛି l ଝୁମୁରିଙ୍କ ପରିବାର ସମ୍ପୂର୍ଣ୍ଣ ଗରିବ ଶ୍ରେଣୀର ହୋଇଥିବା ବେଳେ ରୋଜଗାର ବିନା ଚାରି ପ୍ରାଣୀ ଚଳିବା ବହୁତ କଷ୍ଟ ହୋଇପଡୁଛି l ବାପା ଘରୁ ଖାଇବା ପାଇଁ ଚାଉଳ ଆଣି କଷ୍ଟେମଷ୍ଟେ ଚାଲିଯାଉଛନ୍ତି ସିନା ପେଟର ଭୋକ ମରୁନି l ପିଲା ମାନେ ଭୋକରେ କାନ୍ଦିଲେ ମା ଝୁମୁରି ଆଖିରୁ ଦୁଇ ଟୋପା ଲୁହ ଗଡ଼ାଇ ନିଜ ଭାଗ୍ୟକୁ ନିନ୍ଦୁଛନ୍ତି l ୫ ହାତର ଘର ଉପରେ ଆଜବେଷ୍ଟସ ପଡିଛି ସିନା ଚଟାଣ ମାଟି ଲିପା ହୋଇଛି l ଝୁମୁରିଙ୍କର ଗୋଟିଏ ଝିଅର ନାମ ଶଶୁରଙ୍କ ଜଏଣ୍ଟ ରାସନ କାର୍ଡରେ ଥିବା ବେଳେ ଆଉ ଦୁଇଟି ପିଲାଙ୍କ ନାମ କାର୍ଡରେ ସଂଯୋଗ ହୋଇନାହିଁ l ସେପଟେ ମାମା ର କଷ୍ଟ ଦେଖି ମା ଅସହ୍ୟ କଷ୍ଟ ପାଉଥିଲେବି ପିଲାର ଚିକତ୍ସା ପାଇଁ ଅର୍ଥର ଅଭାବ ତାଙ୍କ ପାଇଁ ବିରାଟ ଚିନ୍ତାର ପାହାଡ ଠିଆ କରିଛି l ଏଣୁ ମାମା ର ଚିକତ୍ସା ପାଇଁ ପ୍ରଶାସନ ସହାୟତାର ହାତ ବଢାଇବା ପାଇଁ ଝୁମୁରି ନିବେଦନ କରିଛନ୍ତି l

LEAVE A REPLY

Please enter your comment!
Please enter your name here