ସରକାରଙ୍କ ଐତିହାସିକ ନିଷ୍ପତ୍ତି : ଜମ୍ମୁ କାଶ୍ମୀରରୁ ହଟିଲା ଧାରା ୩୭୦ ଏବଂ ୩୫ ଏ*

    0
    640

    ଜାମ୍ମୁ : ଜମ୍ମୁ କାଶ୍ମୀରରୁ ପରିଶେଷରେ ଧାରା ୩୭୦ ଏବଂ ୩୫ ଏ ହଟାଇଛନ୍ତି କେନ୍ଦ୍ର ସରକାର । ୭୦ ବର୍ଷ ପୁରୁଣା ଏହି ନିୟମକୁ ହଟାଇବା ନିମନ୍ତେ ଗୃହମନ୍ତ୍ରୀ ଅମିତ ଶାହା ରାଷ୍ଟ୍ରପତିଙ୍କ ମଞ୍ଜୁରୀ ହାସଲ କରିଥିବା ଆଇନ ଏବଂ ନ୍ୟାୟ ମନ୍ତ୍ରାଳୟର ବିଜ୍ଞପ୍ତି ପ୍ରଦର୍ଶନ କରିଥିଲେ । ଏ ସମ୍ବନ୍ଧୀୟ ପ୍ରସ୍ତାବକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଥିବା ନେଇ ପୂର୍ବାହ୍ନ ୧୧.୦୦ ସମୟରେ ରାଜ୍ୟସଭାକୁ ସମ୍ବୋଧିତ କରିବା ଅବସରରେ ଗୃହ ମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି । ଏହି ଦୁଇ ଧାରା ଉଠାଯିବା ପରେ ଜମ୍ମୁ କାଶ୍ମୀରକୁ ମିଳୁଥିବା ସ୍ବତନ୍ତ୍ର ଅଧିକାର ମିଳିପାରିବ ନାହିଁ । ଜମ୍ମୁ କାଶ୍ମୀରକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଭାବରେ ଘୋଷଣା କରାଯାଇଥିବା ବେଳେ ଲଦାଖକୁ ମଧ୍ୟ ଏକ ଅଲଗା କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ଘୋଷଣା କରାଯାଇଛି ।
    ରାଜ୍ୟସଭାରେ ଏହି ପ୍ରସ୍ତାବ ସମୟରେ ବିରୋଧୀ ଦଳ ସଦସ୍ୟ ମାନେ ହଙ୍ଗାମା କରିଥିଲେ । ପିଡିପି ସାଂସଦ ମାନେ ନିଜର କୁର୍ତ୍ତା ଫାଡିବା ସହିତ କଳାବ୍ୟାଜ୍ ପିନ୍ଧି ଏହାର ବିରୋଧ କରିଥିଲେ । ଉଲ୍ଳେଖଯୋଗ୍ୟ ବିଗତ ଦୁଇ ଦିନ ଧରି କାଶ୍ମୀରକୁ ସେନା ଛାଉଣୀରେ ପରିବର୍ତ୍ତନ କରିବା ପରେ ଗତକାଲି ରାତିରେ ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ ରଖାଯାଇଥିଲା । ଆଜି ସକାଳେ ମୋଦିଙ୍କ ବାସଭବନରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଆଲୋଚନା ପରେ ଶାହା ରାଜ୍ୟସଭାରେ ନିଜର ବକ୍ତବ୍ୟ ରଖି ଧାରା ୩୭୦ ଏବଂ ୩୫ ଏ ସମ୍ପର୍କରେ ଘୋଷଣା କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ନିର୍ବାଚନ ପୂର୍ବରୁ ଏହି ଦୁଇ ଧାରାର ଉଚ୍ଛେଦ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଶେଷରେ ଆଜି ଧାରା ୩୭୦ ଏବଂ ୩୫ ଏର ଉଚ୍ଛେଦ କରିବାରେ ସକ୍ଷମ ହୋଇଛନ୍ତି କେନ୍ଦ୍ର ସରକାର ।
    କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତି ତଥା ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ କଂଗ୍ରେସ, ପିଡିପି, ନ୍ୟାସନାଲ୍ କନଫରେନ୍ସ ପ୍ରମୁଖ ବିରୋଧ କରିଥିବାବେଳେ ଓ୍ବାଇଏସ୍ଆର୍, ବିଏସ୍ପି, ଏଆଇଡିଏମ୍କେ ଓ ବିଜେଡ଼ି ସମର୍ଥନ କରିଛନ୍ତି । କିନ୍ତୁ ସହଯୋଗୀ ଦଳ ଜେଡିୟୁର ପ୍ରବକ୍ତା କେସି ତ୍ୟାଗି ସରକାରଙ୍କ ଏହି ନିଷ୍ପତ୍ତିରେ ଅସହମତି ଦର୍ଶାଇଛନ୍ତି । ଜମ୍ମୁ କାଶ୍ମୀରରୁ ସ୍ବତନ୍ତ୍ର ବ୍ୟବସ୍ଥା ହଟାଯିବା ପରେ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ୭ ତାରିଖରେ ସର୍ବଦଳୀୟ ବୈଠକ କରିବେ ବୋଲଇ ସୂଚନା ରହିଛି । ଏହି ଅବସରରେ ସେ ଦେଶବାସୀଙ୍କ ସମର୍ଥନ କରିବେ । ମିଳିଥିବା ସୂଚନା ଅନୁସାରେ ଏହି ଦିନ ପ୍ରଧାନମନ୍ତ୍ରୀ ମୋଦି ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଆସାମ ସମେତ ଅନ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା କରିବେ ।

    LEAVE A REPLY

    Please enter your comment!
    Please enter your name here