କାର ଧକ୍କାରେ ମାଆ ର ମୃତ୍ୟୁ, ବେସାହାରା ହୋଇ ଗଲେ ୪ ଝିଅ

0
361

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ)ଦୁର୍ଘଟଣା ରେ ମାଆ ର ମୃତ୍ୟୁ ପରେ ବେସାହାରା ହୋଇ ଯାଇଛନ୍ତି ୪ ଝିଅ । ଏବେ କେମିତି ବଞ୍ଚିବେ ସେ ଚିନ୍ତାରେ ଚାରି ଭଉଣୀ । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣ ସରଣପୁର ଗ୍ରାମରେ । ଶ୍ରୀକୃଷ୍ଣ ସରଣପୁର ଗ୍ରାମର ଉମା ଦାସ ପୋଲସରା ଢୁଙ୍କାପଡା ଗ୍ରାମର ଅମର ଦାସ ଙ୍କୁ ବିବାହ କରିଥିଲେ । ତେବେ ଅମର ଦାସଙ୍କ ଗତ ୧୧ ବର୍ଷ ତଳେ ମୃତ୍ୟୁ ଘଟିବା ପରେ ସେ ୪ ଝିଅଙ୍କୁ ଧରି ଶାଶୁ ଘର ଛାଡ଼ି ବାପା ଘର କୁ ଚାଲି ଆସିଥିଲେ । ଶ୍ରୀକୃଷ୍ଣ ସରଣପୁର ଗ୍ରାମରେ ଏକ ଭଡାଘରେ ରହି ଦିନ ମଜୁରିଆ ଭାବେ କାମ କରି ଯାହା କିଛି ମିଳେ ସେଥିରେ ପାଞ୍ଚ ପ୍ରାଣୀ କୁଟୁମ୍ବ ଦୁଃଖେ ସୁଖେ ଚଳିଯାଉ ଥିଲେ । ଏମିତି କି ଆବଶ୍ୟକ ପଡ଼ିଲେ ସେ ଚେନ୍ନାଇ ଭଳି ବାହାର ରାଜ୍ୟ କୁ ମଧ୍ୟ କାମଧନ୍ଦା କରିବା ପାଇଁ ଯାଉଥିଲେ । ତେବେ ଗତ ରବିବାର ଦିନ ସେ ଭୁବନେଶ୍ୱର ରୁ କାମଧନ୍ଦା ସାରି କୌଣସି ମତେ ବାଲୁଗାଁ ଠାରେ ପହଞ୍ଚି ଥିଲେ । ସେଠାରୁ ତାଙ୍କ ପୁତୁରା ସହ ଏକ ସାଇକେଲ ରେ ବସି ନିଜ ଗାଁକୁ ଫେରୁଥିବା ବେଳେ ନାଭାଲ ଛକ ନିକଟରେ ଏକ କାର ସାଇକେଲ କୁ ଧକ୍କା ଦେବାରୁ ଉଭୟେ ଗୁରୁତର ଆହତ ହୋଇଥିଲେ । ଉଭୟ ଙ୍କୁ ଚିକିତ୍ସା ପାଇଁ ବାଲୁଗାଁ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା । ତେବେ ଉମାଙ୍କ ମୁଣ୍ଡ ରେ ଗଭୀର ଆଘାତ ଲାଗି ଅଚେତ ଅବସ୍ଥାରେ ରହିଥିବା ରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ଶବ ବ୍ୟବଚ୍ଛେଦ ପରେ ଗତକାଲି ଗାଁ କୁ ମୃତଦେହ ଅଣାଯାଇ ଅନ୍ତିମ ସତ୍କାର କରାଯାଇଥିଲା । ତେବେ ଉମାଙ୍କ ମୃତ୍ୟୁ ପରେ ତାଙ୍କ ୪ ଝିଅ ଏବେ ବେସାହାରା ହୋଇଯାଇଛନ୍ତି । ବଡ଼ ଝିଅ ମମତା ଦାସ ମ୍ୟାଟ୍ରିକ ପରେ ପାଠରେ ଡୋରୀ ବାନ୍ଧି ଥିବା ବେଳେ ଦ୍ୱିତୀୟ ଝିଅ ସସ୍ମିତା ଦଶମ ଶ୍ରେଣୀରେ ପଢୁଛି । ତୃତୀୟ ଝିଅ ସୁଜାତା ଅଷ୍ଟମ ଓ ସାନ ଝିଅ ରିତା ପଞ୍ଚମ ଶ୍ରେଣୀରେ ପାଠ ପଢୁଛନ୍ତି । ମାଆ ରୋଜଗାର କରି ଆଣିଲେ ଏମାନେ ଚଳୁଥିଲେ । ଏବେ ମାଆ ର ମୃତ୍ୟୁ ପରେ ଚାରି ଭଉଣୀ ଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟ କୁ ଠେଲି ହୋଇଯାଇଛି । ଏବେ ସେମାନେ ନିଜ ର ଅର୍ଦ୍ଧ ନିର୍ମିତ ଘରେ ରହୁଛନ୍ତି । ପାଖରେ ଥିବା ଆଈ ମଝିରେ ମଝିରେ ଆସି ଭଲମନ୍ଦ ବୁଝି ଯାଉଛନ୍ତି ।ଆଗକୁ କିପରି ଚଳିବେ ଚିନ୍ତାରେ ପଡିଯାଇ ଛନ୍ତି ଚାରି ଭଉଣୀ । ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ରବୀନ୍ଦ୍ର ସେଠୀ ଙ୍କୁ ପଚାରିବାରୁ ସେ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଯାହା ସରକାରୀ ସହାୟତା ମିଳି ପାରିବ ସେ ବିଷୟରେ ବିଡ଼ିଓଙ୍କ ସହ ଆଲୋଚନା କରି ନିଶ୍ଚିତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଦୁର୍ଘଟଣା ଘଟାଇଥିବା କାର କୁ ଜବତ କରିବା ସହ ଡ୍ରାଇଭର କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଗୌଡ଼ ଆମକୁ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ନାଭାଲ ଫାଣ୍ଡି କେସ ନମ୍ବର ୧୪୫/୨୦୨୦ ରେ ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here