ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୭୪ ତମ ସ୍ୱାଧୀନତା ଦିବସ ପାଳିତ, ୬୦ ଜଣ କରୋନା ଯୋଦ୍ଧାଙ୍କୁ ସମ୍ମାନିତ

0
308

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୭୪ ତମ ସ୍ୱାଧୀନତା ଦିବସ ଖଲ୍ଲିକୋଟ କଲେଜ ପଡିଆ ପରିସରରେ ପାଳିତ ହୋଇଯାଇଛି । ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି.ଆଓ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଶ୍ରୀ ଆଓ ଜାତିର ପିତା ମହାତ୍ମା ଗାନ୍ଧୀ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଦେଶ ସ୍ୱାଧୀନତା ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଆମେ ଦଳିତ, କୁସଂସ୍କାର, ସନ୍ତ୍ରାସବାଦ, ମାଓବାଦ ଭଳି ବିଭିନ୍ନ ପ୍ରକାର ସାମାଜିକ ଅର୍ଥନୈତିକ ବିରୋଦ୍ଧରେ ସଂଗ୍ରାମ କରିବାକୁ ପଡ଼ିବ ବୋଲି ସେ କହିଥିଲେ । ଆଜି ସମଗ୍ର ଭାରତ ବର୍ଷ କରୋନା ସମ୍ମୁଖରେ ଛିଡ଼ା ହୋଇଛି । ଏହି ବିପଦକୁ ନିଜକୁ ଜଣେ ଜଣେ କରୋନା ଯୋଦ୍ଧା ଭାବି ପ୍ରତିହତ କରିବାକୁ ପଡ଼ିବ । ସାରା ବିଶ୍ୱରେ ଦେଖାଦେଇଥିବା ଏହି ମହାମାରୀ ଆମ ରାଜ୍ୟର କୋଣ ଅନୁକୋଣରେ ବ୍ୟାପି ଚାଲିଛି । ଗଞ୍ଜାମ ଜିଲ୍ଲାରେ ଏହାର ବ୍ୟାପକତା ସମଗ୍ର ରାଜ୍ୟରେ ଅତ୍ୟଧିକ ହୋଇ ଅନେକ ଧନ ଜୀବନ ନଷ୍ଟ କରିଛି । କରୋନା ମୁକାବିଲା କ୍ଷେତ୍ରରେ ଜିଲ୍ଲାର କାର୍ଯ୍ୟରତ କରୋନା ଯୋଦ୍ଧାମାନଙ୍କ ଭୂମିକା ଅତି ଉଚ୍ଚ କୋଟିର ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ତଥା ଉତ୍ସବ କମିଟିର ଅଧ୍ୟକ୍ଷ ସିନ୍ଧେ ଦାତାତ୍ରୟ ଭାଉ ସାହେବ, ବ୍ରହ୍ମପୁର ଏସ୍‌ପି ପିନାକୀ ମିଶ୍ର ଓ ଭି.କ୍ରୀତି ବାସନ ପ୍ରମୁଖ ଯୋଗ ଦେଇଥିଲେ । ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଅବସରରେ ଆଗଧାଡ଼ିର କରୋନା ଯୋଦ୍ଧା ଡ଼ାକ୍ତର, ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ, ଅଙ୍ଗନୱାଡ଼ି, ଶିକ୍ଷକ, ପୁଲିସ୍‌, ଅଗ୍ନିଶମ ଓ ସଫେଇ କର୍ମଚାରୀଙ୍କୁ ମିଶାଇ ମୋଟ ୬୦ ଜଣଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ଆନ୍ତର୍ଜାତିକ ସ୍ତରରେ ସମ୍ମାନିତ ହୋଇଥିବା “ମାସ୍କ” ପ୍ରାମାଣିକ ଚଳଚ୍ଚିତ୍ର ପାଇଁ ଓ ଶ୍ରେଷ୍ଠ କୋଭିଡ଼୍ ଯୋଦ୍ଧା ଭାବେ ବ୍ରହ୍ମପୁର ଏସ୍‌ଡ଼ି,ମ୍‌ଓ ଡା.ଶ୍ୱେତ କୁମାର ଦାଶ ଏବଂ ଉକ୍ତ ଚଳଚ୍ଚିତ୍ରରେ ଭଲ ଅଭିନିୟ କରିଥିବା ନବମ ଶ୍ରେଣୀର ଛାତ୍ର ଅଜୟ ଚୌଧୁରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ସମ୍ମାନିତ ଯୋଦ୍ଧାମାନଙ୍କ ମଧ୍ୟରୁ ୧୬ ଜଣ ମେଡ଼ିକାଲ ଓ ପାରା ମେଡ଼ିକାଲ ଷ୍ଟାଫ୍‌, ଅଗ୍ନିଶମ ବିଭାଗର ସହକାରୀ ଅଧିକାରୀ ସନାତନ ମହାପାତ୍ର ଓ ଅନ୍ୟ ଚାରି ଜଣ ଅଗ୍ନିଶମ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ବ୍ରହ୍ମପୁର ପୁଲିସ୍ ବିଭାଗର ୯ ଜଣ ପୁଲିସ୍ ଅଧିକାରୀ, ମହାନଗର ନିଗମର ୫ଜଣ କର୍ମଚାରୀ, ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟର ୫ ଜଣ କର୍ମଚାରୀ, ୩ ଜଣ ଅଙ୍ଗନୱାଡ଼ି କର୍ମୀ, ୩ ଜଣ ଶିକ୍ଷକ, ରେଳବାଇ ଷ୍ଟେସନର ୩ ଜଣ କର୍ମଚାରୀ, ବ୍ରହ୍ମପୁର ନୋବେଲ୍ ଯୋଦ୍ଧା ଭାବେ ୫ ଜଣ, ରୋଟାରୀ କ୍ଲବର ସଭାପତି ଏବଂ ଗଞ୍ଜାମ ଚାମ୍ବର ଅଫ୍ କମର୍ସର ସଭାପତିଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଆଜିର ଉତ୍ସବରେ ଆରଆଇ ଅଫ୍ ପୁଲିସ୍ ଦିଲ୍ଲୀପ କୁମାର ବେହେରା, ପ୍ୟାରେଡ଼୍ ପରିଚାଳନା କରିଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ କର୍ମଚାରୀ ଗୌରୀ ଶଙ୍କର ଶତପଥୀ ଓ ଲୋକନାଥ ଶତପଥୀ ସହଯୋଗ କରିଥିଲେ l ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ଖଲ୍ଲିକୋଟ କଲେଜ ପଡିଆ ଠାରେ ବୃକ୍ଷରୋପଣ କରାଯାଇଥିଲା l

LEAVE A REPLY

Please enter your comment!
Please enter your name here