ଜିଲ୍ଲା ସ୍ତରୀୟ ବନୀକରଣ ସମନ୍ବୟ କମିଟି ବୈଠକ ସୁନ୍ଦର ପୋଖରୀ ଯୋଗୁଁ ବିଡିଓ ମାନଙ୍କୁ ଜିଲ୍ଲାପାଳଙ୍କ ପ୍ରଶଂସା

0
361

ଛତ୍ରପୁର(ନ୍ୟୁଜ ଏକ୍ସଟ୍ରା)ଆଜି ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାସ୍ତରୀୟ ବନୀକରଣ ସମନ୍ବୟ କମିଟି ର ଆଲୋଚନା ଜୁମ୍ ଭିଡିଓ କନଫରେନ୍ସିଂ ରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାରେ ଜିଲ୍ଲାରେ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକୁ ତ୍ବରାନ୍ବୀତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କରୋନା କାର୍ଯ୍ୟରେ ଲିପ୍ତ ରହିଥିବା ହେତୁ ଜିଲ୍ଲାରେ ବନୀକରଣ କାର୍ଯ୍ୟ ଧିମେଇଯାଇଛି, ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଲାଇନ୍ ବିଭାଗୀୟ ସହାୟତାରେ ବନୀକରଣ କାର୍ଯ୍ୟକୁ ବ୍ୟାପକ କରିବା ଦିଗରେ ଜିଲ୍ଲାପାଳ ଗୁରୁତ୍ବ ଦେଇଛନ୍ତି । ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକ ଜଣାଇଥିଲେଯେ, ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ ବ୍ରହ୍ମପୁର ବନଖଣ୍ଡ, ଘୁମୁସର ଦକ୍ଷିଣ ବନଖଣ୍ଡ ଓ ଘୁମୁସର ଉତ୍ତର ବନଖଣ୍ଡ ଦ୍ବାରା ପ୍ରାୟ ୬୦ ଲକ୍ଷ ସଂଖ୍ୟକ ୮୦ ପ୍ରଜାତିର ଚାରା ବିଭିନ୍ନ ଚାରା ଉତ୍ପାଦନ କେନ୍ଦ୍ର ମାନଙ୍କରେ ବିକଶିତ କରାଯାଇଛି । ଏଥିରେ ଫଳ ସହିତ ଔଷଧୀୟ ବୃକ୍ଷ ଚାରା ମଧ୍ୟ ରହିଛି । କେଉଁ ବ୍ଲକ୍ ରେ କେତେ ଆବଶ୍ୟକ ତାର ତଥ୍ୟଗୁଡିକ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଅବଗତ କରାଇଲେ ସେହି ପ୍ରକାରେ ଏହାର ଆବଣ୍ଟନ କରାଯିବ । ବ୍ୟାପକ ସଂଖ୍ୟକ ଚାରା ଗଚ୍ଛିତ ଅଛି । ଏହି ଚାରା ଗୁଡିକ ସଂଗ୍ରହ କରି ଆସନ୍ତା ଅଗଷ୍ଟ ୩୦ ତାରିଖ ସୁଦ୍ଧା ରୋପଣ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳ ଅବଗତ କରାଇ ଥିଲେ । ମହାତ୍ମାଗାନ୍ଧୀ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ଉଦ୍ୟାନ ବିଭାଗ ଦ୍ବାରା ୮୧୯ ହେକ୍ଟର ଜମିରେ ଚଳିତ ଆର୍ଥିକ ବର୍ଷରେ ଚାରା ରୋପଣ କରିବାର ଲକ୍ଷ୍ୟଧାର୍ଯ୍ୟ ରଖାଯାଇଛି । ତନ୍ମଧ୍ୟରୁ ୫୦୦ ହେକ୍ଟର ଜମିରେ ଖନନକାର୍ଯ୍ୟ ଓ ଅନ୍ୟାନ୍ୟ ଆନୁସଙ୍ଗୀକ ବ୍ୟବସ୍ଥା ଶେଷ ହୋଇଛି । ଯେଉଁଥିରେ କାଜୁ, ଆମ୍ବ, ନଡିଆ, ଲେମ୍ବୁ ଓ ଅନ୍ୟାନ୍ୟ ଫଳଜାତୀୟ ବୃକ୍ଷ ରୋପଣ ହେବ । ଏଯାବତ୍ ୨୦୦ ହେକ୍ଟରରେ ଚାରାରୋପଣ କାର୍ଯ୍ୟ ଶେଷ ହୋଇଛି ଏବଂ ଅଗଷ୍ଟ ୧୫ ତାରିଖ ସୁଦ୍ଧା ସମୁଦାୟ ୮୧୯ ହେକ୍ଟରରେ ଚାରାରୋପଣ କାର୍ଯ୍ୟ ଶେଷ ହେବ ବୋଲି ଉଦ୍ୟାନ ବିଭାଗୀୟ ଉପନିର୍ଦ୍ଦେଶକ ଦିଗମ୍ବର ପଣ୍ଡା ଅବଗତ କରାଇଥିଲେ । ଗଞ୍ଜାମ ଜିଲ୍ଲାର ଅଧିକାଂଶ ବ୍ଲକ୍ ରେ ପୋଖରୀ ଖନନକାର୍ଯ୍ୟ ଶେଷ ହୋଇଛି ଏବଂ ସେସବୁର ଚତୁଃପାର୍ଶ୍ବରେ ବୃକ୍ଷ ରୋପଣ ହୋଇ ସୁନ୍ଦର ଦେଖାଯାଉଥିବା ଯୋଗୁଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପ୍ରଶଂସା କରିଥିଲେ । ନରେଗା କାର୍ଯ୍ୟରେ ନିୟୋଜିତ ଥାଇ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ କରୋନା ସଂକ୍ରମଣ ହୋଇନଥିବା ହେତୁ ଜିଲ୍ଲାପାଳ ଖୁସି ପ୍ରକଟ କରିଥିଲେ । ଗତବର୍ଷ ଯେଉଁଠାରେ ଚାରା ରୋପଣ କରାଯାଇଥିଲା ସେହି ସ୍ଥାନକୁ ବାଦ ଦେଇ ଅନ୍ୟ ସ୍ଥାନରେ ରୋପଣ କରିବାକୁ ଜିଲ୍ଲାପାଳ ପ୍ରବର୍ତ୍ତାଇ ଥିଲେ . । କରୋନା ଦ୍ବାରା ଆମେ ପରିଚାଳିତ ହେବାନାହିଁ । କରୋନାକୁ ଆମେ ପରିଚାଳନା କରିବା । ସେଭଳି ପଦକ୍ଷେପ ନେବାକୁ ଜିଲ୍ଲାପାଳ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ କରୋନା ପରିଚାଳନା କରୁଥିବା ଅଧିକାରୀଙ୍କୁ ଜିଲ୍ଲାପାଳ ଉତ୍ସାହିତ କରିଥିଲେ ।
ଆଲୋଚନାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଂକର ସ୍ବାଇଁ, ନରଗାରେ ମୋ ଉପକାରୀ ବଗିଚା, ମୋ କାରୀ ବଗିଚା ଉପରେ ଗୁରୁତ୍ବ ଦେଇଥିଲେ ।
ଆଲୋଚନାରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସଂପୃକ୍ତ ବିଭାଗୀୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here