ଅଧ୍ୟକ୍ଷଙ୍କ ଶ୍ରାଦ୍ଧ ବାର୍ଷିକୀରେ ଇତିହାସ ବିଭାଗ ଅଧ୍ୟାପକଙ୍କ ଅକାଳ ବିୟୋଗରେ ଛାତ୍ରଛାତ୍ରୀ ସ୍ତବ୍ଧ, ଅଞ୍ଚଳରେ ଶୋକର ଛାୟା

0
297

ଗାଙ୍ଗପୁର/ବେଲଗୁଣ୍ଠI(ଶିବରାମ ଚୌଧୁରୀ) ବେଲଗୁଣ୍ଠI ବ୍ଲକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ଵନକ୍ଷତ୍ର ଦିବସ ଏକ ବର୍ଷ ଅନ୍ତରରେ ପୁଣି ଥରେ ଏକ ଦୁଃସମ୍ବାଦ ଆଣିଦେଇଛି I ସୂଚନା ପ୍ରକାରେ ଗତ ବର୍ଷ ଜୁଲାଇ 26 ତାରିଖରେ ବିଦ୍ୟାଳୟର 36 ତମ ସ୍ଵନକ୍ଷତ୍ର ଦିବସ ପାଳନର ଅନ୍ତିମ ପର୍ଯ୍ୟାୟରେ ବିଦ୍ୟାଳୟର ତତ୍କାଳୀନ ଅଧ୍ୟକ୍ଷ ଅମୂଲ୍ୟ ଦାସଙ୍କ ଅକାଳ ବିୟୋଗ ଘଟିଥିଲା I ପୁଣି ଚଳିତ ବର୍ଷ ସେହି ଜୁଲାଇ 26 ତାରିଖରେ ଦିବଂଗତ ଅଧ୍ୟକ୍ଷଙ୍କ ଶ୍ରାଦ୍ଧ ବାର୍ଷିକୀରେ ବିଦ୍ୟାଳୟର ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପକ ଡକ୍ଟର ପ୍ରଦୀପ କୁମାର ତ୍ରିପାଠୀ ଅବିଶ୍ଵସନୀୟ ଭାବେ ପୃଥିବୀ ପୃଷ୍ଠରୁ ବିଦାୟ ନେଇଛନ୍ତି I ଖବର ଅନୁଯାୟୀ ଅଧ୍ୟାପକ ଡକ୍ଟର ତ୍ରିପାଠୀ କିଛିଦିନ ହେବ ଜ୍ଵରରେ ଆକ୍ରାନ୍ତ ଥିଲେ I କିନ୍ତୁ କରୋନା ଭୟାବହତା ଯୋଗୁଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ମେଡିକାଲ୍ ରେ ଓପିଡି ବନ୍ଦ ଥିବା ଯୋଗୁଁ ସ୍ଵର୍ଗତ ଅଧ୍ୟାପକଙ୍କର ଉଚ୍ଚ ମାନର ଚିକିତ୍ସା ହୋଇପାରିନଥିଲାବେଳେ ସେ ସ୍ଥାନୀୟ ବିଭିନ୍ନ ଔଷଧ ଦୋକାନରୁ ଔଷଧ କିଣି ଖାଉଥିଲେ I କିନ୍ତୁ 26 ତାରିଖ ସନ୍ଧ୍ୟାରେ ଡକ୍ଟର ତ୍ରିପାଠୀଙ୍କ ସ୍ଵାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା I ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡକ୍ଟର ତ୍ରିପାଠୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ I 27 ତାରିଖ ସକାଳେ ସ୍ଵର୍ଗତ ତ୍ରିପାଠୀଙ୍କ ଶବ ବ୍ୟବଚ୍ଛେଦ କରାଯାଇ ମେଡିକାଲ୍ ତରଫରୁ ପରିବାରକୁ ହସ୍ତାନ୍ତର କରାଯାଇଥିଲା I ଏକ ମହାପ୍ରୟାଣ ଗାଡ଼ିରେ ଶବ ନିଜର ଜନ୍ମଭୂମି ତଥା କର୍ମଭୂମି କ୍ଷତ୍ରିୟବରପୁରରେ ପହଞ୍ଚିବା ପରେ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା I ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସହକର୍ମୀ, ପୁରାତନ ଛାତ୍ର ସଂଗଠନ, ଅଞ୍ଚଳର ବୁଦ୍ଧିଜୀବୀମାନେ କୋଭିଡ-19 ମାର୍ଗଦର୍ଶିକାକୁ ସମ୍ମାନ ଜଣାଇ କ୍ଷତ୍ରିୟବରପୁର ମୁଖ୍ୟ ସଡକ ଉଭୟ ପାର୍ଶ୍ୱ ରେ ଛିଡା ହୋଇ ନିଜର ପ୍ରିୟ ଅଧ୍ୟାପକଙ୍କୁ ଅଶ୍ରୁଭରା ଆଖିରେ ଅନ୍ତିମ ବିଦାୟ ଜଣାଇଥିଲେ I କେବଳ ପରିବାର ଏବଂ ନିକଟ ସମ୍ପର୍କୀୟ ଅଳ୍ପ ସଂଖ୍ୟକ ଲୋକ ଶବକୁ ଶ୍ମଶାନକୁ ନେଇ ଅନ୍ତିମ ସତ୍କାର କରିଥିଲେ I ମହାବିଦ୍ୟାଳୟରେ ଅଧ୍ୟକ୍ଷ, ସହକର୍ମୀ, କର୍ମଚାରୀ ଏବଂ ପୁରାତନ ଛାତ୍ର ସଂଗଠନ ଏକ ନୀରବ ପ୍ରାର୍ଥନା କରି ସ୍ଵର୍ଗତ ତ୍ରିପାଠୀଙ୍କ ଆତ୍ମାର ସଦ୍‌ଗତି କାମନା କରିଥିଲେ I ସ୍ଵର୍ଗତ ତ୍ରିପାଠୀ ବିଦ୍ୟାଳୟର ଜଣେ ମିଷ୍ଟଭାଷୀ ଛାତ୍ର ବତ୍ସଳ ଅଧ୍ୟାପକ ଥିବାବେଳେ ନିଜ ଅଞ୍ଚଳରେ ଏକ ଉତ୍ତମ ବ୍ୟକ୍ତିତ୍ଵ ଥିଲେ I ନିଜର ପ୍ରିୟ ଅଧ୍ୟକ୍ଷଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ପୁଣି ଥରେ ପ୍ରିୟ ଅଧ୍ୟାପକଙ୍କ ଅକାଳ ବିୟୋଗକୁ ଛାତ୍ରଛାତ୍ରୀ ସହଜରେ ଗ୍ରହଣ କରିପାରୁନାହାନ୍ତି I ଜୁଲାଇ 26 ଆମ ବିଦ୍ୟାଳୟର ସ୍ଵନକ୍ଷତ୍ର ଦିବସ ନୁହେଁ, ଏହା ଆମ ପାଇଁ କଳା ଦିବସ ବୋଲି ବହୁ ଛାତ୍ରଛାତ୍ରୀ କାନ୍ଦି କାନ୍ଦି ପ୍ରକାଶ କରିଛନ୍ତି I

LEAVE A REPLY

Please enter your comment!
Please enter your name here