ଟିମ କ୍ଲିନ ସିଟିର ପୋଷ୍ଟର ସଫେଇ ଅଭିଯାନରେ ସାମିଲ ହେଲେ ଗଞ୍ଜାମ ଜିଲ୍ଲାପାଳ।

0
808

ବ୍ରହ୍ମପୁର,୨୮/୭(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ):ବ୍ରହ୍ମପୁର ସହରକୁ ସଫା ଓ ସୁନ୍ଦର ରଖିବା ଲକ୍ଷ୍ୟରେ ଟିମ କ୍ଲିନ ସିଟି ପକ୍ଷରୁ ଜାରି ରହିଥିବା ପୋଷ୍ଟର ଚିରା ଅଭିଯାନ ୨୧ଦିନରେ ପହଂଚିଛି। ଆଜି ଭୋର 5ଟା ସମୟରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଜାନନା ହସ୍ପିଟାଲ ନିକଟରୁ ଆରମ୍ଭ ହୋଇ ପୁରୁଣା ବସଷ୍ଟାଣ୍ଡ ନିକଟରେ ଶେଷ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ନିଜେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ହଠାତ ଆସି ସାମିଲ ହେବା ସହ ଟିମ ସଦସ୍ୟଙ୍କ ସହ ମିଶି କାନ୍ଥରେ ଲାଗିଥିବା ପୋଷ୍ଟରକୁ ଚିରିଥିଲେ। ବ୍ରହ୍ମପୁର ସହରକୁ ସଫା ଓ ସୁନ୍ଦର ରଖିବା ନେଇ ଆରମ୍ଭ ହୋଇଥିବା ଏହି ଅଭିଯାନ ଏବେ ଗଣ ଆନ୍ଦୋଳନର ରୂପ ନେଇସାରିଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ରାସ୍ତାର ଉଭୟ ପର୍ଶ୍ୱର ରାସ୍ତାରେ ପୋଷ୍ଟର ଲଗାଇବା ଉପରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କଟକଣା ଲାଗୁ କରାଯାଇଥିବା ବେଳେ ଏଥିରେ ଖିଲାଫ କଲେ ଜୋରିମାନା ଓ ଆବଶ୍ୟକ ସ୍ଥଳେ ଅପରାଧିକ ମାମଲା ମଧ୍ୟ ରୁଜୁ କରାଯିବ ବୋଲି ସେ ତାଗିଦ କରିଥିଲେ। ଜିଲ୍ଲାପାଳ ନିଜେ ଅଭିଯାନରେ ସାମିଲ ହେବା ପରେ ଟିମ କ୍ଲିନ ସିଟିର ସଦସ୍ୟଙ୍କ ଉତ୍ସାହ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here