ରାଜ୍ୟରେ ବଢିବ ଖରା, ଆସନ୍ତା ୫ ଦିନ ଯାଏଁ ୧୦ ଜିଲ୍ଲାକୁ ଅଂଶୁଘାତ ଭୟ

0
311

ଭୁବନେଶ୍ବର:ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ତତଲାଗଡ଼ରେ ପରିଣତ ହେଲାଣି। ଶନିବାର ତାପମାତ୍ରା ୪୫.୫ ଡିଗ୍ରି ଥିଲା, ଗତକାଲି ଆଉ ଟିକେ (୪୫.୮ ଡିଗ୍ରି) ବୃଦ୍ଧିପାଇଛି। ସେଠାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି। କେବଳ ଏଇଠି ନୁହେଁ, ୩ଟି ଜିଲ୍ଲାରେ ତାତି ୪୪ ଡିଗ୍ରି ଉପରେ ରହିଛି। ୨ଟି ଜିଲ୍ଲା ପାରଦ ୪୩ ଡିଗ୍ରି ଅତିକ୍ରମ କରିସାରିଲେଣି, ୩ଟି ଜିଲ୍ଲାରେ ୪୨ ଡିଗ୍ରି, ୪ ଟି ଜିଲ୍ଲାରେ ୪୧ ଡିଗ୍ରି ଉପରେ ରହିଛି। ଏମିତି ଭାବେ ରାଜ୍ୟର ୧୪ଟି ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଅସହ୍ୟ ହେଲାଣି। ଏମିତି ଝାଞ୍ଜି ପିଟୁଛି ଯେ ବାହାରକୁ ବାହାରିବା ତ ଦୂରର କଥା ଘର ଭିତରେ ବି ସ୍ଥିତି ଅସହ୍ୟ କରିଦେଉଛି।

ଆଜି ଭାରତର ପାଣିପାଗ ବିଭାଗ ଆସନ୍ତା ୫ ଦିନ ପାଇଁ ରାଜ୍ୟର ଏକ ତୃତୀୟାଂଶ ଅର୍ଥାତ୍ ୧୦ଟି ଜିଲ୍ଲା ପାଇଁ ହିଟ୍ ୱେଭ୍ ବା ଅଂଶୁଘାତ ସତର୍କତା ଜାରି କରିଛନ୍ତି। ଅସୁସ୍ଥ,ଛୋଟ ପିଲା ଓ ବୟସ୍କ ବ୍ୟକ୍ତିଙ୍କୁ ଖରାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଏପଟେ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇ ଦେଇଛନ୍ତି ଯେ ତୁରନ୍ତ ସେମାନେ ଅଂଶୁଘାତ ମୁକାବିଲା ପ୍ରସ୍ତୁତି ଅନୁଧ୍ୟାନ କରନ୍ତୁ। ପିଇବା ପାଣି ଯୋଗାଣ ବ୍ୟବସ୍ଥାକୁ ନିଶ୍ଚିତ କରିବା ଲାଗି କୁହାଯାଇଛି।ପାଣିପାଗ ବିଭାଗ ଗତକାଲି ରେକର୍ଡ କରିଥିବା ତାପମାତ୍ରା ସୂଚାଉଛି ଯେ ତାଳଚେର (୪୪.୩ ଡିଗ୍ରି), ଭବାନୀପାଟଣା (୪୪.୦ ଡିଗ୍ରି), ବଲାଙ୍ଗୀର (୪୪.୦ଡିଗ୍ରି), ମାଲକାନଗିରି (୪୩.୧ଡିଗ୍ରି), ସୋନପୁର (୪୩.୦ ଡିଗ୍ରି), ଅନୁଗୁଳ (୪୨.୫ଡିଗ୍ରି), ସମ୍ବଲପୁର (୪୨.୨ ଡିଗ୍ରି), ପାରଳାଖେମୁଣ୍ଡି (୪୨.୨ଡିଗ୍ରି), ହୀରାକୁଦ (୪୧.୯ଡିଗ୍ରି), ଫୁଲବାଣୀ(୪୧.୮ ଡିଗ୍ରି), ବୌଦ୍ଧ (୪୧.୮ ଡିଗ୍ରି), ଝାରସୁଗୁଡା (୪୧.୬ ଡିଗ୍ରି) ଓ ସୁନ୍ଦରଗଡ଼ (୪୦.୦ ଡିଗ୍ରି)ରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ହୋଇଛି। ଆସନ୍ତାକାଲି ପାଇଁ େୟଲୋ ଓ ୨୬ ତାରିଖରୁ ଅରେଞ୍ଜ ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ପାଞ୍ଚଦିନ ପାଇଁ ବଲାଙ୍ଗୀର, କଳାହାଣ୍ଡି, ଅନୁଗୁଳ, ବୌଦ୍ଧ, ସୋନପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡା, ମାଲକାନଗିରି ଓ ସମ୍ବଲପୁର ଜିଲ୍ଲାରେ ଅଂଶୁଘାତ ପରିସ୍ଥିତି ସୃଷ୍ଟି ହୋଇପାରେ। ଓଡିଶା ମଧ୍ୟକୁ ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ ଦିଗରୁ, ଗରମ ଏବଂ ଶୁଷ୍କ ବାୟୁ ପ୍ରବାହିତ ହେଉ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି।

LEAVE A REPLY

Please enter your comment!
Please enter your name here