ଚେନ୍ନାଇରୁ ସାଇକେଲରେ ଫେରୁଥିଲେ ସାତ ପ୍ରବାସୀ ; ସହଯୋଗର ହାତ ବଢାଇଲେ ଗାଙ୍ଗପୁର ଶତପୁଷ୍ପ ଯୁବକ ସଂଘ

0
332

ଗାଙ୍ଗପୁର/ବେଲଗୁଣ୍ଠI(ନ୍ୟୁଜଏକ୍ସଟ୍ରା/ଶିବରାମ ଚୌଧୁରୀ): ଚେନ୍ନାଇରୁ ସାଇକେଲରେ ଫେରୁଥିବା ସାତ ଜଣ ପ୍ରବାସୀଙ୍କୁ ସହଯୋଗର ହାତ ବଢାଇବା ସହ ପୋଲିସ୍ ସହାୟତାରେ ନିଜ ଭିଟାମାଟିକୁ ପଠାଇଦେଇଛନ୍ତି ଗାଙ୍ଗପୁରର ଶତପୁଷ୍ପ ଯୁବ ସ୍ଵେଚ୍ଛାସେବୀ ସଂଗଠନ I ସୂଚନା ପ୍ରକାରେ ଚେନ୍ନାଇର ଜୀଗ୍ମା ହୂଣ୍ଡାଇ ପାର୍ଟସ୍ କମ୍ପାନୀରେ ଦେଓଗଡ ଏବଂ ଝାରସୁଗୁଡା ଅଞ୍ଚଳର କିଛି ଶ୍ରମିକ କାମ କରୁଥିଲେ I କିନ୍ତୁ କରୋନା ଯୋଗୁଁ ଲକ୍ ଡ଼ାଉନ୍ ଘୋଷଣା ହେବା ଫଳରେ କମ୍ପାନୀ ବନ୍ଦ ହୋଇଯିବା ଫଳରେ ସେମାନେ ପଇସା ପତ୍ର ଅଭାବରୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲେ I ତେଣୁ ସେମାନେ ନିଜ ଭିଟାମାଟିକୁ ଫେରିବା ପାଇଁ ଇଚ୍ଛା କରିଥିଲେ I କିନ୍ତୁ ପଇସା ପତ୍ର ଅଭାବରୁ ଏବଂ ଯାନ ବାହାନର ଅସୁବିଧା ହେତୁ ଗତ ବାର ତାରିଖରେ ସେମାନେ ସାଇକେଲରେ ଚେନ୍ନାଇର ରେଓଲିସ୍ ରୁ ନିଜ ଗାଁକୁ ବାହାରିଥିଲେ I ସେମାନେ ଓଡ଼ିଶାରେ ପ୍ରବେଶ କରିବା ପରେ ଗତ କାଲି ରାତିରେ ଗାଙ୍ଗପୁର ଦେଇ ଯାଉଥିଲେ I ସେହି ସମୟରେ ଗାଙ୍ଗପୁରର ଶତପୁଷ୍ପ ସ୍ଵେଚ୍ଛାସେବୀ ସଙ୍ଗଠନ ସେମାନଙ୍କୁ ପ୍ରଥମେ ଶୁଖିଲା ଖାଦ୍ୟ ଦେଇଥିଲେ ଏବଂ ପରେ ଭାତ ଡାଲମା ରୋଷେଇ କରି ଖାଇବାକୁ ଦେଇଥିଲେ I ଗାଙ୍ଗପୁର ପୋଲିସ୍ କୁ ଖବର ଦେଲା ପରେ ଥାନା ଅଧିକାରୀ ଧୀରେସ୍ କୁମାର ଦାସଙ୍କ ସହଯୋଗରେ ସେହି ପ୍ରବାସୀମାନଙ୍କୁ ଏକ ସ୍ଵତନ୍ତ୍ର ଗାଡ଼ି କରି ସେମାନଙ୍କୁ ନିଜ ଗ୍ରାମକୁ ପଠାଇଥିଲେ I ସାତ ଜଣଙ୍କ ମଧ୍ୟରୁ ଚାରି ଜଣଙ୍କୁ ଦେଓଗଡ ଜିଲ୍ଲାର ତିଲେଇମୁଣି ବ୍ଲକ୍ ଅନ୍ତର୍ଗତ ଲେମୁଣା ପଞ୍ଚାୟତକୁ ଏବଂ ତିନି ଜଣ ଝାରସୁଗୁଡାକୁ ପଠାଇଦେଇଛନ୍ତି I ଲକ୍ ଡ଼ାଉନ୍ ହେବା ପର ଠାରୁ ଶତପୁଷ୍ପ ସ୍ଵେଚ୍ଛାସେବୀ ସଙ୍ଗଠନ ନିୟମିତ ଭାବେ ପ୍ରବାସୀ ଫେରନ୍ତାମାନଙ୍କୁ ସାହାଯ୍ୟ କରୁଛନ୍ତି I ଆଗକୁ ମଧ୍ୟ ଏମିତି ଫେରୁଥିବା ପ୍ରବାସୀଙ୍କୁ ସହଯୋଗ କରିବେ ବୋଲି ସଂଗଠନର ନେତୃତ୍ଵ ନେଇଥିବା ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ରଙ୍କ ନିଧି ସ୍ଵାଇଁ, ଶାନ୍ତନୁ ଜେନା, ପିଣ୍ଟୁ ପ୍ରଧାନ ପ୍ରମୁଖ ପ୍ରକାଶ କରିଛନ୍ତି I ସଂଗଠନର ଏହିଭଳି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ଏବଂ ଗାଙ୍ଗପୁର ଥାନା ଅଧିକାରୀ ଭୂୟସୀ ପ୍ରଶଂସା କରିଛନ୍ତି I

LEAVE A REPLY

Please enter your comment!
Please enter your name here