ଗଞ୍ଜାମ ଜିଲ୍ଲା କରୋନା ମହାଯୁଦ୍ଧର ସାରଥୀ ଓ ଯୋଦ୍ଧା ବୃନ୍ଦ

0
844

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା/ପ୍ରଣୟ ପଣ୍ଡା/ଅନିଲ ମହାରଣା):କରୋନା ମହାଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲା ରହିଛି ଅଜେୟ। ଗଞ୍ଜାମରେ ଜଣଙ୍କୁ ମଧ୍ୟ ସ୍ପର୍ଶ କରିପାରିନାହିଁ ମହାମାରୀ କରୋନା। ଏହି କରୋନା ମହାଯୁଦ୍ଧରେ ରଥ ଚାଳନାରେ ସିଦ୍ଧହସ୍ତ ଥିବା ସାରଥୀ ଓ ଯୋଦ୍ଧା ମାନଙ୍କ ଯୋଗୁଁ ଗଞ୍ଜାମ ରୂପକ ରଥୀ ବିଜୟ ମୁକୁଟ ବଜାୟ ରଖିଛି। ଯୁଦ୍ଧ କଥା ଆସିଲେ ଭାରତରେ ପ୍ରାୟ ସମସ୍ତେ ମହାଭାରତ ଯୁଦ୍ଧର ଉଦାହରଣ ଦେଇଥାନ୍ତି। ମହାଭାରତ ଯୁଦ୍ଧରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଅର୍ଜୁନଙ୍କ ରଥର ସାରଥି ଭଗବାନ ଶ୍ରୀକୃଷ୍ଣ। ଯେତେବେଳେ କର୍ଣ୍ଣ ଓ ଅର୍ଜୁନଙ୍କ ମଧ୍ୟରେ ଚାଲିଥିଲା ଘମାଘୋଟ ଲଢେଇ ସେତେବେଳେ କର୍ଣ୍ଣଙ୍କ ରଥର ଧ୍ଵଜାରେ ଥିବା ନାଗରାଜ ସର୍ପ କର୍ଣ୍ଣଙ୍କୁ ଅନୁରୋଧ କରି ମର୍ତ୍ତ୍ୟରୁ ସ୍ୱର୍ଗ ପର୍ଯ୍ୟନ୍ତ ମୁଖ ବିସ୍ତାର କରି ଅର୍ଜ୍ଜୁନଙ୍କ ରଥକୁ ଗିଳିଦେବାକୁ ଉଦ୍ୟମ କଲାବେଳେ ସାରଥୀ ଭଗବାନ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କ ରଥ ଧ୍ଵଜାରେ ଥିବା ହନୁମାନଙ୍କୁ ସ୍ମରଣ କରି ତୁରନ୍ତ ଅର୍ଜୁନଙ୍କ ରଥକୁ ପତାଳକୁ ଚାପିଦେବାକୁ କହିଥିଲେ। ହନୁମାନ ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶ ପ୍ରକାରେ ତତ୍ କ୍ଷଣାତ ଅର୍ଜୁନଙ୍କ ରଥକୁ ପାତାଳକୁ ଚାପି ଦେଇଥିଲେ, ଫଳରେ ସର୍ପ ମୁଖରୁ ଅର୍ଜ୍ଜୁନ ରକ୍ଷା ପାଇଥିଲେ। ଏହି କଥା ଦୁଇଟି ଉଦାହରଣ ଦର୍ଶାଉଛି ।ପ୍ରଥମଟି ହେଲା ଲକ ଡାଉନ ଯୋଗୁଁ ଅର୍ଜୁନ ମୃତ୍ୟୁ ମୁଖରୁ ରକ୍ଷା ପାଇ ପାରିଲେ। ଶ୍ରୀକୃଷ୍ଣ ଯଦି ହନୁମାନଙ୍କ ଦ୍ୱାରା ଅର୍ଜୁନଙ୍କ ରଥ ପାତାଳକୁ ଚପାଇ ଲକ ଡାଉନ କରିନଥିଲେ ନାଗରାଜ ସର୍ପ ନିଶ୍ଚିତ ଭାବରେ ଅର୍ଜୁନଙ୍କୁ ଗିଳିଦେଇଥାନ୍ତା। ଅର୍ଥାତ ଆମ୍ଭେ ସମସ୍ତେ ଯଦି ଲକ ଡାଉନରେ ନରହିବା ତେବେ କରୋନା ମହାମାରୀରୁ ରକ୍ଷା ପାଇପାରିବାନାହିଁ।ସେହିପରି ଦ୍ଵିତୀୟଟି ହେଲା ସାରଥିଙ୍କ ଭୂମିକା। ଯୁଦ୍ଧରେ ରଥକୁ କିପରି ନେଲେ ଶତ୍ରୁକୁ ପରାସ୍ତ କରିହେବ ତାହା ସାରଥୀ ଉପରେ ନିର୍ଭର କରେ। ଅର୍ଜୁନଙ୍କ ରଥରେ ଶ୍ରୀକୃଷ୍ଣ ସାରଥୀ ରହି ନିଜର ବୁଦ୍ଧି ପ୍ରୟୋଗ କରି ଯେପରି ଅର୍ଜୁନଙ୍କୁ ବିଜୟୀ କରିଥିଲେ, ସେହିପରି ଗଞ୍ଜାମ ଜିଲ୍ଲା କରୋନା ମହାଯୁଦ୍ଧରେ ସାରଥୀ ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତ କୁଳାଙ୍ଗେ ନିଜର ଗୋଟି ଚାଲାଣ କରି ଗଞ୍ଜାମ ମାଟିରେ କରୋନା ଭୁତାଣୁ ପ୍ରବେଶ କରିବାକୁ ଦେଇନାହାଁନ୍ତି। ହନୁମାନଙ୍କୁ ସ୍ମରଣ କରିବା ଦ୍ୱାରା ଲକ ଡାଉନ ଯେପରି ସଫଳ ହୋଇପାରିଥିଲା, ସେହିପରି ଗଞ୍ଜାମ ରାଜସ୍ୱ ଜିଲ୍ଲାର ଗଞ୍ଜାମ ପୋଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏ ଓ ବ୍ରହ୍ମପୁର ପୋଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର, ଦୁଇ ଏସ.ପି.ଙ୍କ ପୋଲିସ ବାହିନୀ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଲକ ଡାଉନ ସଫଳ ହୋଇପାରିଛି। ଏହି କରୋନା ମହାଯୁଦ୍ଧର ଅନ୍ୟ ଯୋଦ୍ଧାମାନେ ହେଲେ ଗଞ୍ଜାମ ଜିଲ୍ଲା ପ୍ରୋଜେକ୍ଟ ଡ଼ାଇରେକ୍ଟର ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋଡ଼, ବ୍ରହ୍ମପୁର ଉପଜିଲ୍ଲାପାଳ ଶିନ୍ଦେ ଦତ୍ତତ୍ରୟ ଭାଉସାହେବ,ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କ ସମେତ ସମସ୍ତ ଥାନା ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପୌରସଂସ୍ଥା କାର୍ଯ୍ୟ ନିର୍ବାହୀ ଅଧିକାରୀ,ଓ ତହସିଲ କାର୍ଯ୍ୟାଳୟ ଅଧିକାରୀ ବୃନ୍ଦ। ଏହି ମହାଯୁଦ୍ଧ ଆଗକୁ ତୀବ୍ର ହୋଇପାରେ ଯେତେବେଳେ ବାହାର ଜିଲ୍ଲା ଏବଂ ବାହାର ରାଜ୍ୟ ଓ ଦେଶରୁ ଭିଟାମାଟିକୁ ଫେରିବେ ଗଞ୍ଜାମର ବ୍ୟକ୍ତି ସମୂହ।

LEAVE A REPLY

Please enter your comment!
Please enter your name here