ଲକ ଡାଉନରେ ଚାଷୀକୁଳ ହତାଶ ; ମାଟିରେ ମିଶୁଛି ଉତ୍ପାଦନ

0
613

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା/ ଭଞ୍ଜ କିଶୋର ମହାରଣା) : କରୋନା ଭାଇରସ ସାରା ବିଶ୍ୱର ନିଦ ହଜେଇଦେଇଛି l ବଡ଼ବଡ଼ ଶକ୍ତିଶାଳୀ ରାଷ୍ଟ୍ରମାନେ ହାର ମାନି ହାତ ଟେକିଦେବା ଅବସ୍ଥାକୁ ଆସିଯାଇଛନ୍ତି l ତେଣୁ ବିଶ୍ୱର ପ୍ରଭାବିତ ଦେଶ ଗୁଡିକ କରୋନା ସଂକ୍ରମଣରୁ ବଂଚିବା ପାଇ ଅନିଚ୍ଛା ସତ୍ୱେ ଲକ ଡାଉନ କରି ଆର୍ଥିକ କ୍ଷତି ସହୁଛନ୍ତି l ଏଥିରେ ସବୁବର୍ଗର ଲୋକ ଅଳ୍ପବହୂତେ ପ୍ରଭାବିତ ହେଉଥିବା ବେଳେ ସବୁଠାରୁ ଅଧିକ କ୍ଷତି ସହୁଛନ୍ତି ଚାଷୀକୁଳ l ଏହାଯୋଗୁଁ ବେଗୁନିଆପଡ଼ା ବ୍ଲକ୍ର ପରିବା ଚାଷୀ ମାନଙ୍କର ମେରୁଦଣ୍ଡ ଭାଙ୍ଗି ଯାଇଛି l ଏହି ବ୍ଲକ୍ରର ସୁମଣ୍ଡଳ, ବେଗୁନିଆପଡ଼ା, କାଳିମେଘି ଓ ଖଲ୍ଲିକୋଟ ବ୍ଲକର କଞ୍ଚଣା ଓ ପୁସ୍ତପୁର ଗ୍ରାମର ଚାଷୀ ବାଇଗଣ ଚାଷ ପାଇଁ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବାବେଳେ ବର୍ତ୍ତମାନ ପରିସ୍ଥିତିରେ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ସେମାନଙ୍କର ବେପାର ସମ୍ପୁର୍ଣ୍ଣ ବନ୍ଦ ହୋଇ ଯାଇଛି l ବେଗୁନିଆପଡ଼ା ସ୍ଥିତ ଗେଞ୍ଜାରା ପଲ୍ଲୀର ବାଇଗଣ ଚାଷୀ ଏ. ସିରଜୁଲୁ ଦୋରା ତାଙ୍କ ବାଇଗଣ ଗଛରେ ବାଇଗଣ ପାଚି ଯାଇଥିଲେ ସୁଦ୍ଧା ଲୋକ କେହି କିଣିବାକୁ ଆସୁନାହାନ୍ତି l ଫଳରେ ବାଇଗଣକୁ ମାଟି ଖୋଳି ପୋତିବାକୁ ବାଧ୍ୟ ହେଉଛନ୍ତି ବୋଲି ସେ କୋହଭରା ସ୍ଵରରେ ପ୍ରକାଶ କରିଛନ୍ତି l ସେପଟେ ବାଇଗଣ ଚାଷ ପାଇଁ ରାଜ୍ୟରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିବା ସୁମଣ୍ଡଳ ଓ ଭାଲିଆଝର ଗ୍ରାମର ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି l ଏହି ସମୟରେ ବାଇଗଣ ବସ୍ତା ପ୍ରତି 1500 ଟଙ୍କା ଦରରେ ବିକ୍ରି ହେବାକୁ ଥିବା ବେଳେ ସାମ୍ପ୍ରତିକ ପରିସ୍ଥିତିରେ ବସ୍ତାକୁ 60 ରୁ 100 ଟଙ୍କା ବା ଅତି ବେଶୀରେ 120 ଟଙ୍କା ଦରରେ ବିକ୍ରି କଲେବି ଗ୍ରାହକ ଆସୁନାହାନ୍ତି l ଅପର ପକ୍ଷରେ କଞ୍ଚଣା ଓ ପୁସ୍ତପୁର ଚାଷୀ ମଧ୍ୟ ଅବସାଦରେ ଦିନ କାଟୁଛନ୍ତି l କୋଦଳା ଠାରୁ କଞ୍ଚାଣା ରାସ୍ତା ପାର୍ଶ୍ଵରେ ବିକ୍ରି ହେଉଥିବା ପରିବା ପାଇଁ ସାଧାରଣତଃ ଗ୍ରାହକଙ୍କ ଭିଡ ଜମୁଥିବା ବେଳେ ଏବେ ସେହି ସ୍ଥାନ ଗ୍ରାହକ ବିହୀନ ହୋଇପଡିଛି l କେବଳ ଚାଷୀ ପରିବା ଧରି ସନ୍ଧ୍ୟା ପର୍ଯ୍ୟନ୍ତ ଚାହିଁ ଚାହିଁ ବଳକା ପରିବା ଘରକୁ ଆଣିବା ପାଇଁ ବାଧ୍ୟ ହେଉଛନ୍ତି l ଏହି ବ୍ଲକ୍ ରେ 1000 ହେକ୍ଟରରୁ ଅଧିକ ଜମିରେ ବାଇଗଣ ଚାଷ ଓ 500 ହେକଟରରୁ ଅଧିକ ଜମିରେ ପରିବା ଚାଷ ହେଉଥିବା ବେଳେ ବର୍ତ୍ତମାନ ପରିବା ବିକ୍ରି ହେଉନଥିବା ଯୋଗୁଁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି l କରୋନା ଭୁତାଣୁ ଲୋକଙ୍କ ଜୀବନ ସହିତ ଯୁଦ୍ଧ କରୁଥିବା ବେଳେ ଚାଷୀଙ୍କ ଜୀବିକା ଉପରେ ମଧ୍ୟ କୁଦୃଷ୍ଟି ପକାଇଛି ବୋଲି ଚାଷୀ ମାନେ ପ୍ରକାଶ କରିଛନ୍ତି l

LEAVE A REPLY

Please enter your comment!
Please enter your name here