କରୋନା ସମ୍ବନ୍ଧିତ ସ୍ଥିତି ସମୀକ୍ଷା ସକାଶେ ଜିଲ୍ଲାପାଳଙ୍କ ଅଚାନକ ବେଗୁନିଆପଡା ବ୍ଲକ ଗସ୍ତ

0
455

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା ) : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଅଚାନକ ବୃଦ୍ଧି ସରକାର ଓ ପ୍ରଶାସନର ନିଦ ହଜାଇଦେଇଛି l କିଛି ଲୋକଙ୍କ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ନଦେବା, ଏଣେତେଣେ ବୁଲିବା, ଜୀବିକା ପାଇଁ ଦୂରଦୂରାନ୍ତରେ ଥିବା ଶ୍ରମିକମାନେ ରାତାରାତି ଘରକୁ ଫେରିବା ଆଦି ଜାରିରହିଥିବା ଯୋଗୁଁ ସରକାରଙ୍କ କରୋନା ମୁକାବିଲାରେ ବାଧା ଉପୁଜୁଛି l ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଏଭଳି ସ୍ଥିତି ଲାଗିରହିଛି l ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମଙ୍ଗଳବାର ଦିନ ବେଗୁନିଆପଡ଼ା ବ୍ଳକ ଗସ୍ତକରି ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଅସ୍ଥାୟୀ ସଂଗରୋଧ ଗୃହ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି l ସମ୍ପ୍ରତି ବ୍ଲକକୁ ଅନ୍ୟ ଜିଲ୍ଲା ଓ ସହରରୁ ଫେରୁଥିବା ଲୋକଙ୍କୁ ନେଇ ଚିନ୍ତା ପ୍ରକଟ କରିବା ସହ ଗତକାଲି ସିଲ କରାଯାଇଥିବା ସାଙ୍କୁଡ଼ା ପଂଚାୟତର ମାଟିଆ ସାହି ବିଷୟରେ ଆଲୋଚନା କରି ବ୍ଲକକୁ ଫେରୁଥିବା ସମସ୍ତ ଫେରନ୍ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ନିର୍ଦେଶ ଦେଇଛନ୍ତି l ଏହି ଅବସରରର କିଛି ବଦାନ୍ୟ ଵ୍ୟକ୍ତି ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଦଶମ ଶ୍ରେଣୀ ଛାତ୍ରୀ ସୁମିତ୍ରା ଗୌଡ଼ ମୁଦପେଢିରେ ସଂଚିତ ଅର୍ଥକୁ ପେଢ଼ି ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରି ସମସ୍ତଙ୍କ ପ୍ରଶଂସାର ପାତ୍ରୀ ହୋଇଥିଲେ l ଉକ୍ତ ଗସ୍ତରେ ଜିଲ୍ଲାପାଳଙ୍କ ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here