ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଙ୍କ ଜୟନ୍ତୀ ଉତ୍ସବ ପାଳିତ

0
156

ଛତ୍ରପୁର :ଆଧୁନିକ ଓଡିଶାର ନିର୍ମାତା ତଥା ଓଡିଶାର ବରପୁତ୍ର ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୪ତମ ଜନ୍ମ ଜୟନ୍ତୀ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ମହା ଆଡମ୍ବର ସହକାରେ ପାଳନ କରାଯାଇଛି । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ ସହ ଅତିଥିମାନେ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ସମସ୍ତଙ୍କୁ ସ୍ବାଗତ କରିବା ସହ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଉପରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଥିଲେ । ଶ୍ରୀ ବେହେରା ତାଙ୍କ ଅଭିଭାଷଣରେ କହିଥିଲେଯେ, ଓଡିଶାର ଶିକ୍ଷା,ସ୍ବାସ୍ଥ୍ୟ,ଗମନାଗମନ, କୃଷି ଓ ଜଳସେଚନ ବ୍ୟବସ୍ଥାକୁ ସୁଦୃଢ କରିବା ଦିଗରେ ରାଜା ମର୍ଦ୍ଦରାଜ ପ୍ରାଧାନ୍ୟ ଦେବା ସହ ତାଙ୍କ ବଦାନ୍ୟ ଖଲ୍ଲିକୋଟ ବିଦ୍ୟାଳୟ ଓ ମହା ବିଦ୍ୟାଳୟକୁ ନିଜ ନାମରେ ନାମିତ ନ କରି ଖଲ୍ଲିକୋଟ ନାମରେ ନାମିତ କରିବାକୁ ପ୍ରବର୍ତ୍ତାଇ ଥିଲେ । ଏଥିରୁ ରାଜାଙ୍କ ମହାନତା ସମ୍ପର୍କରେ ସମସ୍ତେ ଅବଗତ ହେବା ଆଜିର ଦିନରେ ଆବଶ୍ୟକତା ରହିଛି ।
ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ୧୯୨୧ ମସିହାରେ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଖଲ୍ଲିକୋଟ ପ୍ରତ୍ୟାବର୍ତ୍ତନ କରି ରାଜ୍ୟଭାର ଗ୍ରହଣ କଲେ । ୧୯୨୨ ମସିହାରେ ଗଞ୍ଜାମ ଜିଲ୍ଲା ବୋର୍ଡ ସଭାପତି ଭାବେ ମନୋନୀତ ହେଲେ । ୧୯୨୩ ମସିହାରେ ମାନ୍ଦ୍ରାଜ ଲୋକସଭାର ସଦସ୍ୟ ହେଲେ ଏବଂ ଅବହେଳିତ ଉତ୍କଳୀୟଙ୍କ ଉନ୍ନତିମୂଳକ କାର୍ଯ୍ୟରେ ମନୋନିବେଶ କଲେ । ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ମନ ପ୍ରାଣ ଢାଳିଲେ । ଅଣ ଓଡିଆ ମାନେ ଓଡିଶାର ବିଭିନ୍ନ ଅଞ୍ଚଳରେ ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇ ବିଭିନ୍ନ ଷଡଯନ୍ତ୍ର କରିବା ହେତୁ ଓଡିଆ ମାନେ ବହୁ ଦୁଃଖ ଓ ନିର୍ଯାତନା ଭୋଗ କରୁଥିଲେ । ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ନିଜ ପିତା ସ୍ବର୍ଗତ ହରିହର ମର୍ଦ୍ଦରାଜ ଦେଓଙ୍କ ଦେଶ ମିଶ୍ରଣ ପାଇଁ ମହନୀୟ ଚେଷ୍ଟା ତଥା ଓଡିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣର ଆବଶ୍ୟକତା, ଓଡିଆ ମାନଙ୍କ ଇଚ୍ଛା ଓ ଅଭିପ୍ସା ସମ୍ପର୍କରେ ଯୁକ୍ତିଯୁକ୍ତ ଲିଖିତ ଦାବୀ ଉପସ୍ଥାପନ କରିଥିଲେ । ୧୯୨୭ ମସିହାରେ ମହାତ୍ମା ଗାନ୍ଧୀ ସ୍ବରାଜ ଆନ୍ଦୋଳନ ପାଇଁ ଓଡିଶା ଗସ୍ତ ବେଳେ ରମ୍ଭା ରାଜ ପ୍ରାସାଦରେ ଆତିଥ୍ୟ ଗ୍ରହଣ କରିଥିଲେ । ୧୯୩୧ ମସିହାରେ ଓଡିଶା ସୀମା ନିର୍ଦ୍ଧାରଣ ପାଇଁ ସାର୍ ସାମୁଏଲ୍ ଓଡୋନେଲଙ୍କ ଅଧ୍ୟକ୍ଷତାରେ ଏକ କମିଟି ନିଯୁକ୍ତ ହୋଇଥିଲା । ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ୧୯୩୨ ମସିହାରେ ତୃତୀୟ ଗୋଲଟେବୁଲ୍ ବୈଠକରେ ଯୋଗଦାନ କରି ଓଡୋନେଲ କମିଟି ସୁପାରିଶ୍ ଅସମିଚୀନ ଓ ଅଟଲୀ ସବ୍ କମିଟିର ସୁପାରିଶ୍ ଯଥାର୍ଥ ବୋଲି ଯୁକ୍ତି ଉପସ୍ଥାପନ ପୂର୍ବକ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ହେଉ ବୋଲି ଦାବୀ ଉପସ୍ଥାପନ କରିଥିଲେ । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଭୂମିକା ଅତ୍ୟନ୍ତ ମହନୀୟ, ଏଣୁ ଓଡିଶାର ଏହି ମହାନ ବରପୁତ୍ର ଜନକଲ୍ୟାଣ ପାଇଁ ଜନମାନସରେ ସଦା ସ୍ମରଣୀୟ ହୋଇ ରହିଛନ୍ତି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଗଞ୍ଜାମ ମହାବିଦ୍ଯାଳୟର ପ୍ରାଧ୍ଯାପକ ଅମର ପ୍ରସାଦ ବିଷୋୟୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ତାଙ୍କ ଅଭି ଭାଷଣରେ କହିଥିଲେଯେ, ଶିକ୍ଷା, ସ୍ବାସ୍ଥ୍ୟ, ଗମନା ଗମନ କ୍ଷେତ୍ରରେ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଅବଦାନ ଅତୁଳନୀୟ । ସେ ଜଣେ ପ୍ରଜାବତ୍ସଳ ରାଜା ଥିଲେ । ଭାରତ ସ୍ବାଧୀନତା ପୂର୍ବରୁ ଓଡିଶା ଏକ ସ୍ବତନ୍ତ୍ର ପ୍ରଦେଶ ଗଠନର ସ୍ବପ୍ନ ମଧୁବାବୁ ଦେଖିଥିଲେ । ତେଣୁ ଓଡିଶାର ସ୍ବାଧୀନତା ଆନ୍ଦୋଳନକୁ ସେ ପ୍ରାଧାନ୍ୟ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭିକାରୀ ଚରଣ ମହାପାତ୍ର ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ସ୍ମୃତି ଚାରଣ କରି କହିଥିଲେଯେ, ରାମଚନ୍ଦ୍ର ମର୍ଦ୍ଦରାଜ ପ୍ରକୃତରେ ଗଣତନ୍ତ୍ରର ପ୍ରତିଷ୍ଠାତା ଥିଲେ । ସେ ବ୍ୟକ୍ତିର ସ୍ବାଧୀନତା ଉପରେ ଗୁରୁତ୍ବ ଦେଉଥିଲେ । ୧୯୪୭ ମସିହାରେ ମର୍ଦ୍ଦରାଜ ସ୍ବାଧୀନ ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଜମିଦାରୀ ଉଚ୍ଛେଦ ଆଇନକୁ ସମର୍ଥନ କରିଥିଲେ । ଓଡିଶା ହେଉଛି ବହୁ ପୂରାତନ ଭାଷା । ଏଣୁ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ ।
ପରିଶେଷରେ ଛତ୍ରପୁର ର ବିଶିଷ୍ଟ ସଙ୍ଗୀତ ଗୁରୁ ଗଣେଶ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here