ସମସ୍ୟାର ସମାଧାନ ନେଇ ବିଡ଼ିଓଙ୍କ ଦ୍ବାରସ୍ଥ ହେଲେ ଭ୍ରମରପୁର ଗ୍ରାମବାସୀ

0
164

ଦିଗପହଣ୍ଡି – ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଭ୍ରମରପୁର ଗ୍ରାମର ଲୋକମାନେ ଦୀର୍ଘ ବର୍ଷ ଧରି ପାନୀୟ ଜଳ ଠାରୁ ଆରମ୍ଭ କରି ରାସ୍ତାଘାଟ ଭଳି ଅନେକ ମୌଳିକ ସମସ୍ୟା ଭିତରେ ଛନ୍ଦି ହୋଇ ରହି ଆସୁଥିଲେ ମଧ୍ୟ ସେମାନଙ୍କ ଅଞ୍ଚଳର ବିକାଶ ନେଇ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟ ହୋଇ ପାରୁନଥିବା ଅଭିଯୋଗ କରିଛନ୍ତି । ଯାହାଫଳରେ ସୋମବାର ଦିନ ଗ୍ରାମର ବହୁ ଲୋକ ଏହି ମୌଳିକ ସମସ୍ୟାର ସମାଧାନ ଉପରେ ଗୁରୁତ୍ବ ଦେବାପାଇଁ ବିଡ଼ିଓ ଡ . ଚିତ୍ତରଞ୍ଜନ ଦାସଙ୍କ ନିକଟରେ ଦ୍ବାରସ୍ଥ ହୋଇ ଦୁଃଖ ପ୍ରକାଶ କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ । ଖବରନୁଯାୟୀ , ଭ୍ରମରପୁର ଗ୍ରାମରେ ୧୭ ଶହ ପରିବାର ବସବାସ କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ପାନୀୟ ଜଳରୁ ବଞ୍ଚିତ ରହି ଆସୁଛନ୍ତି । ଏପରିକି ଗ୍ରାମରେ ପାନୀୟ ଜଳ ନିମନ୍ତେ ରାଜ୍ୟ ସରକାରଙ୍କ ଅନୁମୋଦନରେ ୫ ବର୍ଷ ପୂର୍ବେ ଏକ ପାଣି ଟ୍ୟାଙ୍କ ନିର୍ମାଣ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନାହିଁ । ଯାହାଫଳରେ ଗ୍ରାମବାସୀ ନଳକୂପ ପାଣି ଉପରେ ନିର୍ଭରଶୀଳ ରହୁଛନ୍ତି । ଏପରି ସମୟରେ ବହୁ ନଳକୂପ ମଧ୍ୟ ଅଚଳ ଅବସ୍ଥାରେ ପଡି ରହିଥିବା ଗ୍ରାମବାସୀ କହିଛନ୍ତି । ନଳକୂପ ମରାମତି କରିବାକୁ ଗଲେ ଘରପିଛା ୧୦ ଟଙ୍କା ଚାନ୍ଦା କରି ଦେବାପାଇଁ କହୁଛନ୍ତି । ତେବେ ପ୍ରତ୍ୟେକ ସାହିରେ ଟ୍ଯାପ ରହିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନାହିଁ । ଯାହାଫଳରେ ପାନୀୟ ଜଳ ସେମାନଙ୍କ ମୁଖ୍ୟ ସମସ୍ୟା ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ । ସେହିପରି ଗ୍ରାମରେ ଶବ ସତ୍କାର ନିମନ୍ତେ ଏକ ଶ୍ମଶାନ ଗୃହ ନଥିବା ଫଳରେ ଗ୍ରାମବାସୀ ଶବ ସତ୍କାର ନିମନ୍ତେ ନିକଟସ୍ଥ ବାହୁଦା ନଦୀକୁ ଯାଇଥାନ୍ତି । ତେବେ ସେଠାକୁ ଯାତାୟାତ ନିମନ୍ତେ ଏକ ପକ୍କା ରାସ୍ତା ନଥିବା ଫଳରେ କାଦୁଅ ପଚପଚ ରାସ୍ତାରେ ଗଲା ସମୟରେ ନାନା ବାଧା ବିଘ୍ନର ସମ୍ମୁଖୀନ ହୋଇଥାନ୍ତି । ଏପରିକି ବିଦ୍ୟୁତ ବ୍ୟବସ୍ଥାର ମଧ୍ୟ କୌଣସି ସୁବିଧା ନଥିବା ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଥିଲେ । ତେଣୁ ଏହି ସମସ୍ୟାର ସମାଧାନ ନିମନ୍ତେ ବିଡ଼ିଓଙ୍କ ନିକଟରେ ଗୁହାରି କରିଥିଲେ । ଏନେଇ ବିଡ଼ିଓ ଶ୍ରୀ ଦାସ ସେମାନଙ୍କ ଅଭିଯୋଗ ପ୍ରକାରେ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ଉପରେ ଗୁରୁତ୍ୱାରୋପ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଦାବି ପ୍ରଦାନ ସମୟରେ ସୁବୋଧ ପଟ୍ଟନାୟକ , ହରିକୃଷ୍ଣ ସାହୁ , ନାରାୟଣ ମହାରଣା , ସନ୍ତୋଷ କୁମାର ପଣ୍ଡା , ରାମକୃଷ୍ଣ ପ୍ରଧାନ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here